କଟକ,୧୮/୧୨ : ଏସ୍‌ସିବି ମେଡିକାଲ୍‌ରେ ଏବେ ଏକ୍ସପାୟାର୍ଡ ସାନିଟାଇଜର ବ୍ୟବହାର ହେଉଛି । ବିଭିନ୍ନ ବିଭାଗର ଆଉଟ୍‌ଡୋର୍‌ଠାରୁ ଆରମ୍ଭ କରି ୱାର୍ଡ, ଓଟି, ମାଇନର ଓଟି, ଆଇସିୟୁ, ଟିକାଦାନ କେନ୍ଦ୍ର, ଲେବର୍‌ ରୁମ୍‌, ଲାବୋରେଟୋରୀ ଆଦି ବିଭିନ୍ନ ସ୍ଥାନରେ ବ୍ୟବହାର ଅବଧି (ଏକ୍ସପାରି) ଶେଷ ହୋଇଥିବା ସାନିଟାଇଜର୍‌ ରୋଗୀ ସେବାରେ ନିୟୋଜିତ ଡାକ୍ତର, ନର୍ସିଂ କର୍ମଚାରୀ ଓ ଟେକ୍ନିସିଆନ୍‌ ଆଦି ବିଭିନ୍ନ ସ୍ୱାସ୍ଥ୍ୟ କର୍ମୀ ବ୍ୟବହାର କରୁଛନ୍ତି । ଗତ ଜୁଲାଇ ମାସରୁ ସେସବୁର ଅବଧି ଶେଷ ହୋଇଗଲାଣି । ଦୀର୍ଘ ୬ ମାସ ହେଲା ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ଏହି ଏକ୍ସପାୟାର୍ଡ ସାନିଟାଇଜର ବ୍ୟବହାର କରୁଥିଲେ ହେଁ ଏହା କାହାରି ନଜରକୁ ନଆସିବା ଚର୍ଚ୍ଚାର ବିଷୟ ହୋଇଛି । 

ବ୍ୟବହାର ହେଉଥିବା ଏହି ଏକ୍ସପାୟାର୍ଡ ସାନିଟାଇଜର ଏସ୍‌ସିବି ନ୍ୟୁରୋଲୋଜି ବିଭାଗ ଆଉଟ୍‌ଡୋର୍‌ରେ ପ୍ରଥମେ ନଜରକୁ ଆସିଥିଲା । ଏହି ଖବର ପ୍ରଚାରିତ ହେବା ପରେ ସର୍ଜରୀ, ମେଡିସିନ୍‌ ଆଦି ବିଭିନ୍ନ ବିଭାଗର ଆଉଟ୍‌ଡୋର୍‌ରେ ଡାକ୍ତରମାନେ ବ୍ୟବହାର କରୁଥିବା ସାନିଟାଇଜର ଏକ୍ସପାୟାର୍ଡ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ମେଡିକାଲ୍‌ ଷ୍ଟୋର୍‌ ପକ୍ଷରୁ ଯୋଗାଣ ହେଉଥିବା ଏହି ଏକ୍ସପାୟାର୍ଡ ସାମଗ୍ରୀକୁ ନେଇ କେତେକ ବିଭାଗର ଡାକ୍ତର ଓ ନର୍ସିଂ କର୍ମଚାରୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଡାକ୍ତରଖାନାରେ ବ୍ୟବହାର ହେଉଥିବା ସାନିଟାଇଜର ଭର୍ତ୍ତି ବୋତଲ ଉପରେ ମାନୁଫାକ୍‌ଚରିଂ ତାରିଖ ଅଗଷ୍ଟ ୨୦୨୧ ଉଲ୍ଲେଖ ରହିଥିବା ବେଳେ ବ୍ୟବହାର ଅବଧିର ଶେଷ ସମୟ(ଏକ୍ସପାୟାର୍ଡ ତାରିଖ) ଜୁଲାଇ ୨୦୨୪ ରହିଛି । ଦୀର୍ଘ ୬ ମାସ ହେଲା ଏକ୍ସପାୟାର୍ଡ ହୋଇସାରିଥିଲେ ମଧ୍ୟ ଏହାକୁ କିପରି ଏସ୍‌ସିବି ମେଡିକାଲ୍‌ ଷ୍ଟୋର୍‌ରୁ ବିଭିନ୍ନ ବିଭାଗର ଆଉଟ୍‌ଡୋର, ୱାର୍ଡ, ଓଟି, ମାଇନର ଓଟି, ଲାବୋରେଟୋରି ଆଦିକୁ ଯୋଗାଣ ହେଉଛି ତାହା ବିତର୍କର ବିଷୟ ହୋଇଛି । ଏ ସମ୍ପର୍କରେ ଏସ୍‌ସିବି ମେଡିକାଲ ପ୍ରଶାସନିକ ଅଧିକାରୀ ଡ. ଅବିନାଶ ରାଉତ କହିଛନ୍ତି, ଏହାର ଯାଞ୍ଚ କରାଯାଇ ପଦକ୍ଷେପ ନିଆଯିବ ।