ନୂଆଦିଲ୍ଲୀ,୧୨/୧୦: ବିଶ୍ୱର ସର୍ବବୃହତ୍ ରେୟାର୍ ଆର୍ଥ ଯୋଗାଣକାରୀ ଚୀନ୍ର ବିଚିତ୍ର ନିୟମ ଯୋଗୁ ଦେଶଗୁଡ଼ିକ ପାଇଁ ବିରଳ ହୋଇଚାଲିଛି ଦୁର୍ଲଭ ଖଣିଜ ପଦାର୍ଥ ବା ରେୟାର୍ ଆର୍ଥ ଉପାଦାନ । ଏସବୁ ଉପାଦାନ ଉପରେ ରପ୍ତାନି କଟକଣା ଲଗାଇଚାଲିଛି ଡ୍ରାଗନ୍, ଯେଉଁଥିପାଇଁ ସମଗ୍ର ବିଶ୍ୱରେ ସୃଷ୍ଟି ହୋଇଛି ହଇଚଇ । ଭାରତ ଖୋଜୁଛି ବିକଳ୍ପ । କାରଣ ଏଗୁଡ଼ିକର ବ୍ୟବହାର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ଇଭି ଏବଂ ପ୍ରତିରକ୍ଷା ଆଦି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ହୋଇଥାଏ । ଚୀନ୍ର କଟକଣା ଯୋଗୁ ଦେଶଗୁଡ଼ିକ ଆଗକୁ ଏକ ଭୟଙ୍କର ସମସ୍ୟାକୁ ନେଇ ଆଶଙ୍କିତ ।
ଚୀନ୍ ପାଖରେ ବିଶ୍ୱର ୧୭ଟି ଦୁର୍ଲଭ ଖଣିଜ ପଦାର୍ଥ ରହିଛି, ଯାହାକୁ ଏହା ସମଗ୍ର ବିଶ୍ୱକୁ ରପ୍ତାନି କରିଥାଏ । ପୂର୍ବରୁ ଏହା ୭ଟି ଦୁର୍ଲଭ ଖଣିଜ ରପ୍ତାନିକୁ ନିୟନ୍ତ୍ରଣ କରିଥିଲା । ଅକ୍ଟୋବର ୯ରେ ଏଥିରେ ଆଉ ୫ଟି ଯୋଡ଼ି ହୋଇଯାଇଛି । ତାହା ହେଲା ହୋଲ୍ମିୟମ, ଏର୍ବିୟମ, ଥୁଲିୟମ, ୟୁରୋପିୟମ ଏବଂ ୟଟରାବିୟମ । ଅର୍ଥାତ ଚୀନ୍ର ୧୭ଟି ରେୟାର ଆର୍ଥ ଉପାଦାନ ମଧ୍ୟରୁ ୧୨ଟିର ରପ୍ତାନି ଉପରେ ନିୟନ୍ତ୍ରଣ ଲଗାଯାଇଛି । ଏଗୁଡ଼ିକୁ ବ୍ୟବହାର କରିବା ପୂର୍ବରୁ ଚୀନ୍ରୁ ରପ୍ତାନି ଲାଇସେନ୍ସ ନେବା ଜରୁରୀ । ଜାତୀୟ ସୁରକ୍ଷା ଏବଂ ବିଭିନ୍ନ ଦେଶଗୁଡ଼ିକର ସେନା ଦ୍ୱାରା ଅତ୍ୟାଧୁନିକ ଉପକରଣର ବ୍ୟବହାର ଡରରେ ଚୀନ୍ ଏଭଳି ଏକ ନିୟମ ଆଣିଛି । ଫଳରେ ଟ୍ରମ୍ପଙ୍କ ଟାରିଫ୍ ମାଡ଼ରୁ ଉଧେଇବାକୁ ଚେଷ୍ଟା କରୁଥିବା ଦେଶଗୁଡ଼ିକୁ ଡ୍ରାଗନ୍ ଦେଇଛି ଆଉ ଏକ ଝଟ୍କା ।
ଚୀନ୍ର ନୂଆ ନିୟମ ଅନୁସାରେ, ରେୟାର୍ ଆର୍ଥ ମାଇନିଂ, ସ୍ମେଲ୍ଟିଂ, ସେପାରେଶନ୍, ମାଗ୍ନେଟ୍ ଉତ୍ପାଦନ, ପୁନଃ ପ୍ରକ୍ରିୟାକରଣ ଏବଂ ରେୟାର୍ ଆର୍ଥ ପ୍ରଡକ୍ସନ ଲାଇନ୍ର ବିକାଶ ପାଇଁ ପ୍ରଯୁକ୍ତି ଏବଂ ଉପକରଣ ରପ୍ତାନି କରିବା ପୂର୍ବରୁ ରପ୍ତାନିକାରୀ ଲାଇସେନ୍ସ ଆବଶ୍ୟକ କରିବେ । ଭାରତ ପାଇଁ ଚିନ୍ତାର ବିଷୟ ଭାରତ ପାଇଁ ଚୀନ୍ର ଏ ନିଷ୍ପତ୍ତି ଚିନ୍ତାର ବିଷୟ । କାରଣ ଇଭି ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ଆଗକୁ ବଢୁଛି ଦେଶ । ଏଥର ଚୀନ୍ ଭାରତକୁ ଏଣ୍ଡ୍-ୟୁଜର ସାର୍ଟିଫିକେଟ୍ ମାଧ୍ୟମରେ ଏହା ସୁନିଶ୍ଚିତ କରିବାକୁ କହିଛି ଯେ, ଚୀନ୍ରୁ ଆସୁଥିବା ହେଭି ରେୟାର୍ ଆର୍ଥ ମାଗ୍ନେଟ୍ ଆମେରିକାକୁ ଯିବନାହିଁ ଏବଂ ଅସ୍ତ୍ର ନିର୍ମାଣରେ ଏହାର ବ୍ୟବହାର ହେବ ନାହିଁ । ଭାରତୀୟ କମ୍ପାନିଗୁଡ଼ିକ ଏଭଳି ସାର୍ଟିଫିକେଟ୍ ଦାଖଲ କରିଛନ୍ତି କିନ୍ତୁ ନୂଆଦିଲ୍ଲୀ ଚୀନ୍ର ସମସ୍ତ ସର୍ତ୍ତକୁ ମାନିବାକୁ ରାଜି ନାହିଁ ।
ଅଟକିଯିବ ଯୋଗାଣ ଶୃଙ୍ଖଳ ଭାରତ ଏବଂ ଚୀନ୍ ମଧ୍ୟରେ କୁଟନୈତିକ ପଦକ୍ଷେପ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ କିଛି ମାତ୍ରାରେ ସୁଧାରିଥିବା ମନେ ହେଉଥିଲେ ମଧ୍ୟ ଚୀନ୍ ଭାରତୀୟ କମ୍ପାନିଗୁଡ଼ିକର ମାଗ୍ନେଟ୍ ରପ୍ତାନି ଆବେଦନକୁ ଅଟକାଇ ରଖିଛି । ବିଶେଷକରି ହେଭି ରେୟାର୍ ଆର୍ଥ ମାଗ୍ନେଟ୍ ପାଇଁ ଏଭଳି କରିଛି ଚୀନ୍ । ଯଦିଓ ରେୟାର୍ ଆର୍ଥ ଉପାଦାନ ଅତି ବିରଳ ନୁହେଁ ଏଗୁଡ଼ିକୁ ପ୍ରକ୍ରିୟାକରଣ କରିବା କଷ୍ଟକର । ଚୀନ୍ ବିଶ୍ୱର ୭୦% ରେୟାର୍ ଆର୍ଥ ଆବଶ୍ୟକତାକୁ ପୂରଣ କରିଥାଏ ଏବଂ ୯୦% ରେୟାର୍ ଆର୍ଥ ଉପାଦାନକୁ ପ୍ରକ୍ରିୟାକରଣ କରିଥାଏ । ପ୍ରମୁଖ ଟେକ୍ନୋଲୋଜି କ୍ଷେତ୍ରରେ ଏହାର ବ୍ୟବହାର ହୋଇଥାଏ । ଉଚ୍ଚ-ପ୍ରଦର୍ଶନକାରୀ ମୋଟର, ପବନ ଟର୍ବାଇନ୍, ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଡିଫେନ୍ସ ସିଷ୍ଟମ୍ ଏବଂ ଇଲେକ୍ଟ୍ରିକ୍ ଯାନ ବା ଇଭି କ୍ଷେତ୍ରରେ ଏହାର ବହୁଳ ବ୍ୟବହାର ହୋଇଥାଏ । ଚୀନ୍ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଦ୍ୱାରା ବିଶ୍ୱ ରେୟାର୍ ଆର୍ଥ ଯୋଗାଣ ଶୃଙ୍ଖଳ ବ୍ୟାହତ ହେବ ।