ଠାକୁରମୁଣ୍ଡା,୦୭/୧୧: ବିଜ୍ଞାନର  ବିକାଶ ସହିତ ସମତାଳରେ ଅନ୍ଧ ବିଶ୍ୱାସ ବସା ବାନ୍ଧି ଚାଲିଛି । କୌଣସି ଅସୁବିଧା ପାଇଁ ପୂଜା ପାଠର ଆଶ୍ରୟ  ନିଆଯାଉଛି । ବିଶେଷକରି ଆଦିବାସୀ  ଅଞ୍ଚଳରେ ସ୍ୱାସ୍ଥ୍ୟ ସମସ୍ୟା କ୍ଷେତ୍ରରେ ଡାକ୍ତରଖାନା ଯିବା ପରିବର୍ତ୍ତେ ଗୁଣିଆ,  ବାବା ମାନଙ୍କ ପାଖରେ ଚିକିତ୍ସା ପାଇଁ  ଭିଡ଼ ବଢୁଛି । ମାତ୍ର ବିଶ୍ୱାସ ଯେ ବିପଦ ଡାକି ଆଣୁଛି ତାର ହିସାବ କିଛି  କମ୍‌ ନୁହେଁ । ଯାହାର ସଦ୍ୟ ନମୁନା ଦେଖିବାକୁ ମିଳିଛି ଠାକୁରମୁଣ୍ଡା ବ୍ଲକ  କେଶଡିହା ଗ୍ରାମରେ । ଶରୀରରୁ କାଛୁ  କୁଣ୍ଡିଆ ଭଲ କରିବା ପାଇଁ ଗୁଣିଆ  ପାଖରେ ଆଶ୍ରୟ ନେଇ ଶେଷରେ ଦୁଷ୍କର୍ମର ଶିକାର ହୋଇ ପୀଡ଼ିତା  ଥାନାର ଦ୍ୱାରସ୍ଥ ହୋଇଛନ୍ତି । 

ଠାକୁରମୁଣ୍ଡା ବ୍ଲକ ମହୁଲଡିହା  ଥାନା ଅନ୍ତର୍ଗତ କେଶଡିହା  ଗ୍ରାମରେ ଯୁବତୀକୁ ଦୁଷ୍କର୍ମ  କରି ଜେଲ୍‌ ହାଜତକୁ ଗଲେ ବୃଦ୍ଧ  ଗୁଣିଆ । ଅନ୍ଧବିଶ୍ୱାସର ବଶବର୍ତ୍ତୀ  ହୋଇ ଶରତ ଥାନା ରଜତନଗର  ପଞ୍ଚାୟତର ଜନୈକା ଯୁବତୀ ନିଜ  ମା’ଙ୍କ ସହ କେଶଡିହା ଗ୍ରାମକୁ  ନିଜର ଦେହ ଅସୁସ୍ଥ ଥିବାରୁ ପୂଜା  କରିବାକୁ ଆସିଥିଲେ । ଦେହରେ  କାଛୁ କୁଣ୍ଡିଆ ଲାଗି ରହୁଥିବାରୁ  ଯୁବତୀ ଜଣକ ଗୁଣିଆ ବାବାକୁ ମା’  ସହ ଭେଟି ପ୍ରତିକାର କରିବାକୁ  କହିଥିଲେ । ଗୁଣିଆ ଜଣକ ଚିକିତ୍ସା  ପାଇଁ ଅମାବାସ୍ୟା ତିଥିରେ ଆସିବାକୁ  ପରାମର୍ଶ ଦେଇଥିଲେ । ଯୁବତୀ ଜଣକ  ପରାମର୍ଶ ଅନୁଯାୟୀ ୨ ତାରିଖ ଦିନ  କେଶଡିହାରେ ପହଞ୍ଚିଥିଲେ । ବିଳମ୍ବିତ  ରାତିରେ ପୂଜା କରିବାକୁ ଯୁବତୀକୁ  ଡାକିଥିଲେ ଗୁଣିଆ ବିଶେଶ୍ୱର ସୟ । ଅନ୍ଧକାର ଓ ବିଶ୍ୱାସର ସୁଯୋଗ  ନେଇ ବିଶେଶ୍ୱର ଯୁବତୀକୁ ଯୌନ  ଶୋଷଣ କରିଥିଲା । ୩ ତାରିଖରେ  ଯୁବତୀ ଘରକୁ ଫେରିଯାଇ ନିଜ  ମା'କୁ ଘଟଣା ସମ୍ପର୍କରେ ଅବଗତ  କରିଥିଲେ । ପରିବାରର ପରାମର୍ଶ  କ୍ରମେ ଗତକାଲି ଯୁବତୀ ମହୁଲଡିହା  ଆସି ଥାନାରେ ଅଭିଯୋଗ କରିଥିଲେ । ମହୁଲଡିହା ଥାନା ପୁଲିସ ମାମଲା  ରୁଜୁ କରି ଗୁଣିଆ ବିଶେଶ୍ୱର ସୟକୁ  ଠାକୁରମୁଣ୍ଡା ଜେଏମ୍‌ଏଫ୍‌ସି କୋର୍ଟରେ  ହାଜର କରିଥିଲେ । ଜାମିନ ନାମଞ୍ଜୁର ହେବାରୁ ଗୁଣିଆକୁ କରଞ୍ଜିଆ ଜେଲକୁ  ପଠାଇ ଦିଆଯାଇଛି।