ଝୁମ୍ପୁରା ୦୯/୦୩: ଝୁମ୍ପୁରା ବ୍ଲକ ଅନ୍ତର୍ଗତ  ବାମେବାରୀ ଥାନାର କାଳିଆପାଳ ଗ୍ରାମରେ ଦେଖିବାକୁ ମିଳିଛି ଏକ  ଅଭାବନୀୟ ଦୃଶ୍ୟ । ବିଳମ୍ବିତ ରାତିରେ ନାଲିବତୀ  ଲାଗିଥିବା ଏକ ବୋଲେରା ଗାଡ଼ି ନେଇ କିଛି ଯୁବକ ଚୋରି କରୁଥିବାବେଳେ ଲୋକଙ୍କ ହାବୁଡ଼ରେ ପଡିଛନ୍ତି । ଗାଡ଼ିରେ ଥିବା ଅନ୍ୟ ଯୁବକମାନେ  ଫେରାର ହୋଇଯାଇଥିବାବେଳେ ଗାଡ଼ିର ଡ୍ରାଇଭର ଲୋକଙ୍କଠାରୁ ଛେଚା ଖାଇଥିବା ଘଟଣା ସ୍ଥାନୀୟ  ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ବାମେବାରୀ ପୁଲିସ ଉକ୍ତ ଡ୍ରାଇଭରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର  କରି ଗିରଫ କରିଛି । ଗିରଫ ହୋଇଥିବା ଡ୍ରାଇଭର  ଜଣକ ଆନନ୍ଦପୁର ଥାନା, ଭାଗପୁର ଗ୍ରାମର  ନିତ୍ୟାନନ୍ଦ ସିଂ(୩୫) ବୋଲି ସୂଚନା ମିଳିଛି ।  ଏହି ଘଟଣାର ଅଧିକ ତଦନ୍ତ ପାଇଁ ପୁଲିସ ପକ୍ଷରୁ  ତନାଘନା ଆରମ୍ଭ ହୋଇଛି ।  

ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ  ରାତିରେ ନାଲିବତୀ ଲାଗିଥିବା ଓଡ଼ି ୦୯ ଡବ୍ଲୁ  ୬୦୭୨ ନମ୍ବର ବିଶିଷ୍ଟ ଏକ ବୋଲେରା ଗାଡ଼ିରେ  ନିତ୍ୟାନନ୍ଦଙ୍କ ସହିତ କିଛି ଯୁବକ ଜଗଦଳା-  ଫୁଲଝର ରାସ୍ତାରେ ବିଭିନ୍ନ ଗାଡିରୁ ବ୍ୟାଟେରୀ  ଚୋରି କରୁଥିଲେ । ଏହି ସମୟରେ ଟ୍ରକ୍‌ର  ଡ୍ରାଇଭରମାନେ ଏହା ଜାଣି ସେମାନଙ୍କୁ ଧରିବାକୁ  ପିଛା କରିଥିଲେ । ଉକ୍ତ ରାସ୍ତାର କାଳିଆପାଳ ଗ୍ରାମ  ନିକଟରେ ଗ୍ରାମବାସୀଙ୍କ ସହାୟତାରେ ସେମାନଙ୍କୁ  ଅଟକାଇଥିଲେ । ମାତ୍ର ଏହା ଜାଣି ଗାଡ଼ିରେ ଥିବା  ଅନ୍ୟ ଯୁବକମାନେ ଚମ୍ପଟ ମାରିଥିବାବେଳେ  ଗାଡ଼ିର ଡ଼୍ରାଇଭର ନିତ୍ୟାନନ୍ଦ ଧରାପଡ଼ି ଯାଇଥିଲେ ।  ବାରମ୍ବାର ଉକ୍ତ ରାସ୍ତାରେ ଯାତାୟାତ କରୁଥିବା  ଗାଡ଼ିଗୁଡିକରୁ ବ୍ୟାଟେରୀ, ଡିଜେଲ ଆଦି ଚୋରି  ହେଉଥିବାରୁ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଉତ୍ତମ  ମାଧ୍ୟମ ଦେଇଥିଲେ । ଶନିବାର ସକାଳୁ ଖବର  ପାଇ ବାମେବାରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା  ସହିତ ଡ଼୍ରାଇଭର ନିତ୍ୟାନନ୍ଦକୁ ଉଦ୍ଧାର କରିଥିଲା  ଏବଂ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଥିଲା ।  ଡ୍ରାଇଭର ଜଣକ ଚୋରି ଘଟଣାରେ ସଂପୃକ୍ତ ଥିବା  ଜାଣିବା ପରେ ଡ୍ରାଇଭର ନିତ୍ୟାନନ୍ଦକୁ ଗିରଫ  କରିଥିଲା । ଏନେଇ ବାମେବାରୀ ଥାନାରେ ଧାରା  ୩୦୩(୫)/୩(୫) ସମ୍ବଳିତ ଏକ ମାମଲା ରୁଜ୍ଜୁ  କରାଯାଇ ଗିରଫ ନିତ୍ୟାନନ୍ଦକୁ କୋର୍ଟ ଚାଲାଣ  କରାଯାଇଛି । ନାଲିବତୀ ଲାଗିଥିବା ବୋଲେରଟି  ଏକ ଘରୋଇ ଗାଡ଼ି ହାଇଥିବାବେଳେ ପୁଲିସ  ଉକ୍ତ ଗାଡିଟିକୁ ବ୍ୟବହାର କରୁଥିବା ବିଶ୍ୱସ୍ତ  ସୂତ୍ରରୁ ଜଣାପଡ଼ିଛି । କେଉଁ ଅଧିକାରୀ ବା କେଉଁ  ଥାନାରେ ଉକ୍ତ ଗାଡ଼ି ବ୍ୟବହାର ହେଉଥିଲା ତାହାର  ତଦନ୍ତ ହେବା ଉଚିତ୍‌ ବୋଲି ସାଧାରଣରେ ଦାବି  ହାଇଥିବାବେଳେ କେଉଁ ପରିସ୍ଥିତିରେ ଡ୍ରାଇଭର  ଜଣକ ଉକ୍ତ ଗାଡ଼ି ବ୍ୟବହାର କରି ଚୋରି  କରୁଥିଲା ତାହା ତଦନ୍ତ ସାପେକ୍ଷ ବୋଲି କହିଛନ୍ତି ।