କଟକ,୧୯/୧୨: ରେଳବାଇ  ସଂସ୍ଥାରେ ଚାକିରି ପାଇଁ କିଏ ୫ ଲକ୍ଷ ତ ଆଉ  କିଏ ୧୦ ଲକ୍ଷ ଟଙ୍କା ଦେଇଥିଲେ । ଟଙ୍କା ପାଇଲା  ପରେ ରେଳବାଇ ସଂସ୍ଥାର ମୋହର ବାଜିଥିବା  ନିଯୁକ୍ତି ପତ୍ର ବି ମିଳିଥିଲା । ମିଛିମିଛିକା ଟ୍ରେନିଂ  ବି ଦିଆଗଲା । ହେଲେ କେଉଁଠି ନିଯୁକ୍ତି ନମିଳିବାରୁ ଠକେଇର ଶିକାର ହୋଇଥିବା  ଜାଣିବାକୁ ପାଇଥିଲେ । ନିଯୁକ୍ତି ପତ୍ର ବି ଜାଲ୍‌  ବୋଲି ବି ଧରାପଡ଼ିଲା । ବାପା, ମା’ ପୁଅ ଏଭଳି ଠକେଇ ର‌୍ୟାକେଟ୍‌ ଚଲାଇଥିଲେ । ପୁଲିସ  ଅଭିଯୁକ୍ତ ପୁଅକୁ ଗିରଫ କରିଥିବା ବେଳେ  ବାପା, ମା’ ଫେରାର ଅଛନ୍ତି । ଗିରଫ ହୋଇ  ଜେଲ୍‌ ଯାଇଥିବା ଅଭିଯୁକ୍ତର ନାଁ ଡାନିଏଲ୍‌  ରାଜ (୨୫) । ତାର ଘର ବିଡ଼ାନାସୀ ସୁଭଦ୍ରା  ନଗର ଅଞ୍ଚଳରେ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ  ୫୦ରୁ ଅଧିକ ଚାକିରି ଆଶାୟୀ କଟକରେ ଏହି  ଠକେଇ ର‌୍ୟାକେଟ୍‌ର ଶିକାର ହୋଇଛନ୍ତି । 

ଠକେଇର ଶିକାର ହୋଇଥିବା ଚାକିରି  ଆଶାୟୀ ବାଲେଶ୍ୱରର ସୋର ଥାନା ଅଞ୍ଚଳର  ସଞ୍ଜୀବ କୁମାର ରାଉତ ବିଡ଼ାନାସୀ ଥାନାରେ  ଏ ସଂକ୍ରାନ୍ତରେ ଏତଲା ଦେଇଛନ୍ତି । ଏହି  ଘଟଣାରେ ପୁଲିସ୍‌ ତନାଘନା ଆରମ୍ଭ କରିଛି ।  ଏହି ର‌୍ୟାକେଟ୍‌ର ଚେର ବହୁ ଗଭୀରରେ  ଥିବା ଜଣାପଡ଼ିଛି । ଡାନିଏଲ୍‌ର ମା’ଙ୍କ  ନାଁରେ ଗୁରୁତର ଅଭିଯୋଗ ଥିବା ପୁଲିସ୍‌  କହିଛି । ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି  ଅଭିଯୁକ୍ତ ମହିଳାଙ୍କୁ ଖୋଜି ବାହାର କରିବା  ପାଇଁ ବିଭିନ୍ନ ଆଡ଼େ ଚଢ଼ଉ ଜାରି ରଖିଛି । 

ପୁଲିସ୍‌ ସୂତ୍ରରୁ ପ୍ରକାଶ, କଟକରେ  ରହୁଥିବା ଡାନିଏଲ୍‌ଙ୍କ ମା’ ନିଜକୁ ଇଷ୍ଟକୋଷ୍ଟ ରେଳବାଇର ଜଣେ ବରିଷ୍ଠ ଅଧିକାରୀଙ୍କ  ବ୍ୟକ୍ତିଗତ ସଚିବ ବୋଲି କହି ଅନେକ  ଲୋକଙ୍କ ଯୋଗାଯୋଗରେ ଥିଲେ । ଏମିତିକି  ରେଳବାଇ ସଂସ୍ଥାର ବିଭିନ୍ନ କାର୍ଯ୍ୟାଳୟକୁ  ତାଙ୍କର ଅବାଧ ପ୍ରବେଶ ମଧ୍ୟ ଥିଲା ।  ମହିଳାଙ୍କର ରେଳବାଇ ସଂସ୍ଥାକୁ ଧାଁଧପଡ଼  ଥିବାରୁ ଅନେକ ତାଙ୍କ ଉପରେ ବିଶ୍ୱାସ କରି  ଚାକିରି ପାଇଁ ଯୋଗାଯୋଗରେ ଥିଲେ । ଚାକିରି  ଆଶାୟୀମାନଙ୍କ ମନରେ ଅଧିକ ବିଶ୍ୱାସ ଓ  ଭରସା ଜମାଇବା ପାଇଁ ସେ ଅନେକ ଶିକ୍ଷିତ  ଯୁବକ/ଯୁବତୀଙ୍କୁ ଭୁବନେଶ୍ୱରରେ ନେଇ  କିଛି ମହିଳା ଓ ପୁରୁଷଙ୍କ ସହ ମିଶାଉଥିଲେ ।  ଜଣେ ସନ୍ଦିଗଧ୍‌ ମହିଳା ନିଜକୁ ଆଇଏସ୍‌  ଅଫିସର ବୋଲି ପରିଚୟ ଦେଉଥିଲେ ।  

ଯୋଜନାବଦ୍ଧ ଭାବେ ଏହି ର‌୍ୟାକେଟ୍‌  ଚାଲିଥିଲା । ଚାକିରି ଆଶାୟୀଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଲା ପରେ ରେଳବାଇ ମୋହର  ଲାଗିଥିବା ଏକ ଜାଲ୍‌ ନିଯୁକ୍ତିପତ୍ର ସେମାନଙ୍କୁ  ଧରାଇ ଦିଆଯାଉଥିଲା । ଆଶାୟୀମାନଙ୍କ  ମନରେ ଅଧିକ ବିଶ୍ୱାସ ସୃଷ୍ଟି ପାଇଁ ସେମାନଙ୍କ  ଦକ୍ଷତା ବୃଦ୍ଧି ଆଳରେ ପଶ୍ଚିମବଙ୍ଗର କିଛି ରେଳ ଷ୍ଟେସନ୍‌ରେ ଘରୋଇ ଭାବେ ପ୍ରଶିକ୍ଷଣ  ବି ଦିଆଯାଉଥିଲା । ତାଲିମ୍‌ ନାଁରେ କୋଲକାତା  ସିଆଲ୍‌ଦା ଷ୍ଟେସନ୍‌ରେ ଚାକିରି ଆଶାୟୀମାନେ  ମାସାଧିକ କାଳ ବେଠି ଖଟି ସାରିଲା ପରେ ମିଳିଥିବା ନିଯୁକ୍ତିପତ୍ର ସମ୍ପୂର୍ଣ୍ଣ ଜାଲ୍‌ ବୋଲି  ଜାଣିବାକୁ ପାଇଥିଲେ । ସେହିକ୍ରମରେ ସଞ୍ଜୀବଙ୍କଠାରୁ ଡାନିଏଲ ଓ ତା ମା’ ୮ ଲକ୍ଷ  ୫୦ ହଜାର ଟଙ୍କା ଠକି ନେଇଥିଲେ । ଏହି  ର‌୍ୟାକେଟ୍‌ ସଞ୍ଜୀବଙ୍କ ପରି ୫୦ରୁ ଅଧିକ ଚାକିରି  ଆଶାୟୀଙ୍କଠାରୁ କୋଟିଏ ଟଙ୍କା ଠକି ନେଇଥିବା  ଖବର ମିଳିଛି । ବିଡ଼ାନାସୀରେ ରହୁଥିବା  ଡାନିଏଲ୍‌ ଓ ତାଙ୍କ ମା ବାଲେଶ୍ୱର, ଭଦ୍ରକ,  କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ  ବହୁ ଶିକ୍ଷିତ ଯୁବକ ଯୁବତୀଙ୍କୁ ଠକିଥିବାର  ପୁଲିସ୍‌ ଜାଣିବାକୁ ପାଇଛି । ପୂର୍ବରୁ ସମ୍ପୃକ୍ତ  ମହିଳାଙ୍କ ନାଁରେ ୮ରୁ ଅଧିକ ଚାକିରି ଆଶାୟୀ  ଜଗତପୁର ଥାନାରେ ଏତଲା ଦେଇଥିଲେ ।