ନୂଆଦିଲ୍ଲୀ, ୧୦।୪: ସ୍ୱଳ୍ପ ସମୟରେ ଅଧିକ ଟଙ୍କା ରୋଜଗାର କରିବାର ଲୋଭ ଦେଖାଇ ସାଧାରଣ ଲୋକଙ୍କୁ କାଙ୍ଗାଳ କରୁଛନ୍ତି ସାଇବର ଲୁଟେରା । ବିଶେଷ କରି ଫେକ୍ ଟ୍ରେଡିଂ ଆପ୍ ଜରିଆରେ ବଡ଼ ଧରଣର ସ୍କାମ୍ ଚାଲିଥିବା ଦେଖିବାକୁ ମିଳିଛି । ଏହି ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି ଭାରତ ସରକାର ଏବେ ଏକ ନୂଆ ଆଡଭାଇଜରୀ ବା ସତର୍କ ସୂଚନା ଜାରି କରିଛନ୍ତି । ସରକାରୀ ଆଡଭାଇଜରୀ ଅନୁଯାୟୀ, ଠକମାନେ ଅବିକଳ ଅସଲି ଟ୍ରେଡିଂ ଆପ୍ ଭଳି ଦେଖାଯାଉଥିବା ନକଲି ଆପ୍ ତିଆରି କରୁଛନ୍ତି ।

ଜାଲରେ ପକାଇବା: ସୋସିଆଲ ମିଡିଆ ବିଜ୍ଞାପନ, ହ୍ୱାଟ୍ସଆପ୍ ମେସେଜ୍ କିମ୍ବା ଲିଙ୍କ୍ ଜରିଆରେ ଲୋକଙ୍କୁ ଏହି ଆପ୍ ଡାଉନଲୋଡ୍ କରିବାକୁ ପ୍ରବର୍ତ୍ତାଯାଏ ।

ମିଛ ପ୍ରୋଫିଟ୍: ଥରେ ଟଙ୍କା ନିବେଶ କଲା ପରେ, ଏକ ଫେକ୍ ଡ୍ୟାଶବୋର୍ଡ ଜରିଆରେ ଲୋକଙ୍କୁ ବହୁତ ଲାଭ ହେଉଥିବା ଦେଖାଯାଏ । ଏହି ଲାଭ ଦେଖି ଲୋକମାନେ ଅଧିକ ଟଙ୍କା ନିବେଶ କରନ୍ତି, କିନ୍ତୁ ବାସ୍ତବରେ ସେହି ଟଙ୍କା ଠକମାନଙ୍କ ଆକାଉଣ୍ଟକୁ ଚାଲିଯାଇଥାଏ ।

ଏହା ବି ପଢ଼ନ୍ତୁ... ​​​​​​​ସାବଧାନ ! ୧୦,୦୦୦ରୁ ଅଧିକ ପେମେଣ୍ଟ କଲେ ଅଟକିଯିବ ଟଙ୍କା; RBI ଆଣୁଛି 'କିଲ୍ ସୁଇଚ୍' ନିୟମ !

ରକ୍ଷା ପାଇବା ପାଇଁ ସରକାରଙ୍କ ୩ଟି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ

ଏଭଳି ଠକେଇରୁ ବଞ୍ଚିବା ପାଇଁ ସରକାର ମୁଖ୍ୟତଃ ତିନୋଟି କଥା ଉପରେ ଧ୍ୟାନ ଦିଅନ୍ତୁ:

ବ୍ୟାଙ୍କ ବିବରଣୀ ଯାଞ୍ଚ କରନ୍ତୁ: ଯେକୌଣସି ଆପ୍‌ରେ ଟଙ୍କା ଜମା କରିବା ପୂର୍ବରୁ ସେହି ସଂସ୍ଥାର ଅଫିସିଆଲ୍ ୱେବସାଇଟ୍ ବା ସୋର୍ସରୁ ବ୍ୟାଙ୍କ ଡିଟେଲ୍ସ ଯାଞ୍ଚ କରନ୍ତୁ । ଆପଣଙ୍କ ଟଙ୍କା ସଠିକ୍ ଜାଗାକୁ ଯାଉଛି କି ନାହିଁ ନିଶ୍ଚିତ ହୁଅନ୍ତୁ ।

UPI ହ୍ୟାଣ୍ଡେଲ୍‌ର ସତ୍ୟତା: ପେମେଣ୍ଟ ଗେଟୱେ ବା UPI ଆଇଡିର ଅଥେଣ୍ଟିସିଟି ଚେକ୍ କରନ୍ତୁ । ନକଲି ଆପ୍‌ଗୁଡ଼ିକ ସାଧାରଣତଃ ସନ୍ଦେହଜନକ ପେମେଣ୍ଟ କ୍ରେଡେନସିଆଲ୍ ବ୍ୟବହାର କରିଥାନ୍ତି ।

ଭେରିଫାଇଡ୍ ଲେବଲ୍ ଦେଖନ୍ତୁ: ଆପ୍ ଡାଉନଲୋଡ୍ କରିବା ପୂର୍ବରୁ ସେଥିରେ ଭେରିଫାଇଡ୍ ଲେବଲ୍ କିମ୍ବା ସାର୍ଟିଫିକେସନ୍ ଅଛି କି ନାହିଁ ଦେଖନ୍ତୁ । କେବଳ ପ୍ଲେ-ଷ୍ଟୋର କିମ୍ବା ଆପଲ୍ ଷ୍ଟୋରରୁ ବିଶ୍ୱସ୍ତ ଆପ୍ ବ୍ୟବହାର କରନ୍ତୁ ।

ଠକେଇର ଶିକାର ହେଲେ କ’ଣ କରିବେ ?

ଯଦି ଆପଣ କିମ୍ବା ଆପଣଙ୍କ ପରିଚିତ କେହି ଏଭଳି ଆର୍ଥିକ ଠକେଇର ଶିକାର ହୁଅନ୍ତି, ତେବେ ଡରି ନଯାଇ ତୁରନ୍ତ ପଦକ୍ଷେପ ନିଅନ୍ତୁ । ତୁରନ୍ତ ନ୍ୟାସନାଲ ସାଇବର କ୍ରାଇମ ହେଲ୍ପଲାଇନ ନମ୍ବର ୧୯୩୦କୁ କଲ୍ କରନ୍ତୁ । ସରକାରଙ୍କ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ୍ cybercrime.gov.in ରେ ନିଜର ଅଭିଯୋଗ ଦାଖଲ କରନ୍ତୁ । ଅଧିକ ସୁରକ୍ଷିତ ରହିବା ପାଇଁ ଅଜଣା ବ୍ୟକ୍ତିଙ୍କ ଦ୍ୱାରା ପଠାଯାଇଥିବା କୌଣସି ଲିଙ୍କ୍ କିମ୍ବା "Free Trading Tips" ଉପରେ ଭରସା କରନ୍ତୁ ନାହିଁ । ଆପଣଙ୍କ ଗୋଟିଏ ସାବଧାନତା ଆପଣଙ୍କୁ ବଡ଼ କ୍ଷତିରୁ ବଞ୍ଚାଇ ପାରିବ ।