ପୁରୀ,୩୧/୦୮: ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁବିଧାରେ ଦର୍ଶନ କରାଇବା ଓ ମହାପ୍ରସାଦ ହାଟ ପାଖରେ ପହଞ୍ଚାଇବା ଆଳ ଦେଖାଇ ବିଭିନ୍ନ ଅନ୍‌ଲାଇନ୍‌ ଫୋରମରେ ଟଙ୍କା ଆଦାୟ ଚାଲିଛି । ଶ୍ରଦ୍ଧାଳୁଙ୍କୁ ସାଇବର ଠକମାନେ ବିଭିନ୍ନ ପ୍ରଲୋଭନ ଦେଖାଇ ଠକୁଥିବା ଅଭିଯୋଗ ହୋଇଛି । ପ୍ରାଶାସନିକ ବିଧି ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରୁଛନ୍ତି । ଇଣ୍ଡିଆ ଥ୍ରିଲର ନାମକ ଏକ ସଂସ୍ଥା ମହାପ୍ରଭୁଙ୍କ ଟିକଟ ଦର୍ଶନ, ଲାଇଭ୍‌ ଦର୍ଶନ  ଓ ଭିଆଇପି ଦର୍ଶନ ନାମରେ ଟଙ୍କା ଆଦାୟ କରିବାକୁ ୱେବ୍‌ସାଇଟ୍‌ ପ୍ରସ୍ତୁତ କରିଛି । ଏହି ସଂସ୍ଥା ଶ୍ରଦ୍ଧାଳୁଙ୍କୁ ଠକୁଥିବା ଅଭିଯୋଗ ହୋଇଛି । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି ।

ୱେବସାଇଟରେ ଜଗନ୍ନାଥ ଦର୍ଶନ ନେଇ ଫେକ୍ ତଥ୍ୟ ମଧ୍ୟ ଦିଆଯାଇଛି । ଦର୍ଶନ ସମୟ ଅନୁସାରେ ଟଙ୍କା ନିର୍ଦ୍ଧାରିତ ନେଇ ୱେବସାଇଟ୍‌ରେ ତଥ୍ୟ ରହିଛି । ଶ୍ରୀମନ୍ଦିରରେ ଦର୍ଶନ ନିଃଶୁଳ୍କ ରହିଥିବା ବେଳେ ୱେବସାଇଟ୍‌ରେ ରହିଛି ବିଭିନ୍ନ ବର୍ଗର ଦେୟ ଯୁକ୍ତ ଦର୍ଶନ ନେଇ ତଥ୍ୟ । ଲୋକଙ୍କ ପାଇଁ ଗଳାବାଟ ଦର୍ଶନକୁ ଇଣ୍ଡିଆ ତଥ୍ୟ ଆହୁରି ପ୍ରୋତ୍ସାହିତ କରିବା ଭଳି ଲାଗୁଛି । ଜଗନ୍ନାଥ ଦର୍ଶନ ପାଇଁ ୫୦ଟଙ୍କା, ୧୦୦ ଟଙ୍କା, ୫୦୦ ଟଙ୍କାର ରେଟ୍ ଚାର୍ଟ ଦେଇଛି ଉକ୍ତ ୱେବସାଇଟ୍ । ଏହି ୱେବସାଇଟ୍‌ରେ ଜଗନ୍ନାଥ ମନ୍ଦିର, ଏହାର ଇତିହାସ ଓ ଦର୍ଶନକୁ ନେଇ ତଥ୍ୟ ରହିଛି ।