କୋକସରା- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଚଳିତ ବର୍ଷ ନୂଆଁଖାଇ ପରେ ବର୍ଷାର ଉଭାନ। ଏହା ଫଳରେ ଖରିଫ ଧାନ ଚାଷ ଅନାବୃଷ୍ଟି କାରଣରୁ ବ୍ଲକର ୨୨ଟି ପଞ୍ଚାୟତରେ , ମରୁଡି ସହ ଧାନ ଫସଲ ଅମଳ ସମୟରେ ଚକଡ଼ା ରୋଗପୋକ ବ୍ୟାପକ ପ୍ରାଦୁର୍ଭାବ ଯୋଗୁଁ ବ୍ୟାପକ ଭାବେ ଚାଷ କ୍ଷୟକ୍ଷତି ହୋଇଛି। ଜଳସେଚିତ ଅଞ୍ଚଳରେ ବ୍ୟାପକ ଭାବେ ଚକଡ଼ା ରୋଗପୋକ ପ୍ରାଦୁର୍ଭାବରେ ଚାଷୀଙ୍କ ବହୁତ କ୍ଷତି ଘଟିଛି।
ଏହାକୁ ନେଇ କୋକସରା ବ୍ଲକ ସଚେତନ କୃଷକ ମଞ୍ଚର ଆବାହକ ଚାଷୀନେତା ଶିବ ପ୍ରସାଦ ପ୍ରଧାନୀଙ୍କ ନେତୃତ୍ୱରେ , ୨୨ଟି ବ୍ଲକର ଶତାଧିକ ଚାଷୀ ଶୁକ୍ରବାର ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ମରୁଡି ଘୋଷଣା ଆମର ଦାବି, କୃଷି ଋଣ ଛାଡ଼ ଆମର ଦାବି,ଶସ୍ୟ ବୀମା ପ୍ରଦାନ ଆମର ଦାବି ସହ ଅନ୍ୟାନ୍ୟ ଦାବିରେ ନାରାବାଜି କରି କୋକସରା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ ସହ ପ୍ରତିବାଦ କରିଥିଲେ।
ଦାବିପତ୍ର ପ୍ରଦାନ କରିବା ପୂର୍ବରୁ ଚାଷୀନେତା ଶିବ ପ୍ରସାଦ ପ୍ରଧାନୀ,ଲଡୁଗାଁ ଜୟ ଜଗନ୍ନାଥ କୃଷକ ମଞ୍ଚ ସମ୍ପାଦକ ପଙ୍କଜ ମୁଖ ଚୌଧୁରୀ, ଉପ ସଭାପତି କୃଷକ ମଞ୍ଚ ନୀଳକଣ୍ଠ ମାଝୀ, ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ,ମହିଳା ନେତ୍ରୀ ତିଲୋତ୍ତମା ନାଏକ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ, କୃଷକ ମଞ୍ଚ ସମ୍ପାଦକ ପଞ୍ଚକ ପୋଢ଼, ଉପ ସଭାପତି କୃଷକ ମଞ୍ଚ ଜୟଲାଲ ନାଏକ, ମହିମା ସମିତି ସଭ୍ୟତା ଘନଶ୍ୟାମ ନାଏକ ପ୍ରମୁଖ ଚାଷୀଙ୍କ ପ୍ରମୁଖ ସମସ୍ୟା ଓ ୨୨ ପଞ୍ଚାୟତକୁ ମରୁଡି ଘୋଷଣା ସହ ଚାଷୀଙ୍କୁ ଯୁଦ୍ଧ କାଳୀନ ଭିତ୍ତିରେ କ୍ଷତିପୂରଣ ଦେବାପାଇଁ ନିଜ ପ୍ରତିବାଦ ଭାଷଣରେ ପ୍ରକାଶ କରିଥିଲେ।
ପରେ ସମବେତ ଚାଷୀ ସମୂହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ତହସିଲଦାର ନବୀନ କିଶୋର ପାଢ଼ୀଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ଏହି କୃଷକ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଚିନ୍ତାମଣି ପଟେଲ, ନିମାଇଁ ଧଙ୍ଗଡା ମାଝୀ,କେଶବ ଚନ୍ଦ୍ର ନାଏକ, ହରେକୃଷ୍ଣ ନାଏକ,କମଳାକାନ୍ତ ପଣ୍ଡା,ମାର୍କଣ୍ଡ ବେମାଲ,ମନୋଜ ନାଏକ ଓ ଧୋବଳେ ଗହୀର ପ୍ରମୁଖଙ୍କ ସମେତ ୨୨ଟି ପଞ୍ଚାୟତରୁ ଶତାଧିକ ଚାଷୀ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରି ଥିଲେ।