କେନ୍ଦୁଝର ସଦର,୦୫/୦୮: ସାପ କାମୁଡାରେ  ମୃତ୍ୟୁବରଣ କଲା ପରେ ଶବ ବ୍ୟବଚ୍ଛେଦ ହେଲା ବୋଲି ପରିବାର, ସାହି ଭାଇ ମୃତ ଦେହ ଘରକୁ  ନେବାକୁ ବାରଣ କଲେ । ଗାଁରେ ଶେଷକୃତ୍ୟ  ସମ୍ପନ୍ନ କରାଇବାକୁ ମନା କଲେ । ଏଭଳି ସ୍ଥିତିରେ  ସ୍ୱେଚ୍ଛାସେବୀ ସଂଗଠନ ଭରସା ପରିବାରର ସଦସ୍ୟ  ମୃତଦେହ ସତ୍କାର କରି ମାନବିକତା ଦେଖାଇଛନ୍ତି ।  

ସୂଚନା ଅନୁଯାୟୀ, ସଦର ଥାନା ଅର୍ନ୍ତଗତ  ପର୍ଜନପୁର ଗ୍ରାମର ବିଦେଶୀ ପାତ୍ର(୫୫)ଙ୍କୁ ଗତ  ଶନିବାର ଏକ ଚିତିସାପ କାମୁଡି ଦେଇଥିଲା । ପରିବାର ଲୋକେ ଗୁରୁତର ଅବସ୍ଥାରେ କେନ୍ଦୁଝର  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।  ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳେ ବିଦେଶୀଙ୍କ  ମୃତ୍ୟୁ ଘଟିଲା । ପଳାସପଙ୍ଗା ଫାଣ୍ଡି ଏସ୍‌ଆଇ ମାନସ  ରଞ୍ଜନ ପଣ୍ଡା ମେଡିକାଲରେ ପହଞ୍ଚି ୬୩/୨୫ରେ  ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ  କରିବା ସହିତ ଶବ ବ୍ୟବଚ୍ଛେଦ କରାଇଛନ୍ତି । ହେଲେ ଶବ ବ୍ୟବଚ୍ଛେଦ ହେବା ଯୋଗୁଁ ପରିବାର  ସାହି ଭାଇ ମୃତଦେହ ନେବାକୁ ବାରଣ କରିଥିଲେ । ଏପରିସ୍ଥଳେ ବିଦେଶୀଙ୍କ ଝିଅ ନିରୋଦ ପାତ୍ର ଚିନ୍ତାରେ ପଡି ଯାଇଥିଲେ । ମେଡିକାଲ ଫାଣ୍ଡି ପୁଲିସ ରାଜେନ୍ଦ୍ର  ନାରାୟଣ ସାହୁ, ଦୁର୍ଯ୍ୟୋଧନ ସାହୁ, ଦିନବନ୍ଧୁ ପାତ୍ର ଭରସା  ପରିବାର ସଂଗଠନ ଟ୍ରଷ୍ଟକୁ ଜଣାଇଥିଲେ । ସଭାପତି ଲମ୍ବୋଧର ମହାନ୍ତଙ୍କ ନେତୃତ୍ୱରେ ରକ୍ତଦାତା ଏସ କେ  ତାହିଦ, ଏମଡି ୱାସିମ୍‌, ଟୁଣି ମହାନ୍ତ, ଅଭିଳାଷ କୁମାର  ଗିରି, ଶ୍ମଶାନ ରକ୍ଷକ ସିଦେ୍ଧଶ୍ୱର ନାୟକ ଧାଙ୍ଗରପଡା ସ୍ଥିତ  ଆଦର୍ଶ ଶ୍ମଶାନରେ ବିଦେଶୀଙ୍କ ଶବ ସତ୍କାର କରାଇଛନ୍ତି ।