ଭୁବନେଶ୍ୱର,୨୧/୦୧: ଯଜ୍ଞ ପାଇଁ ଚାଲିଛି କୁଣ୍ଡ ନିର୍ମାଣ । ମାଟି ଚକଡ଼ା ଯାଉଛି । କୋଦାଳରେ ଯଜ୍ଞସ୍ଥଳ ସଫା ହୋଇ ଖୋଳା ହେଉଛି । ସାଧୁ ବି ଜଗିଛନ୍ତି । ମା ବାରଭୁଜା ମନ୍ଦିର ରାସ୍ତାଠୁ ନେଇ ଦେବସଭା ଓ ପାହାଡ଼ ପାଦ ଦେଶରେ ଯଜ୍ଞ କୁଣ୍ଡ ତିଆରି କରାଯାଉଛି । ପାଣି ପକାଇ ପୂଜାସ୍ଥଳ ସଫା ହେଉଛି । ଶ୍ରଦ୍ଧାଳୁମାନେ କିଭଳି ବ୍ୟବସ୍ଥିତ ଭାବରେ ଦର୍ଶନ କରିବେ ସେଥିପାଇଁ ବ୍ୟାରିକେଡ୍ ବାନ୍ଧିବା ପାଇଁ ଯୋଜନା ହୋଇଛି । ଦେବସଭାକୁ ଆଲୋକ ବ୍ୟବସ୍ଥା ପାଇଁ କାମ ଚାଲିଛି । ଆଉ ୩ ଦିନ ପରେ ପ୍ରସିଦ୍ଧ ଖଣ୍ଡଗିରି ମେଳା । ଏହାପୂର୍ବରୁ ଖଣ୍ଡଗିରି ତଳୁ ନେଇ ମୁଣ୍ଡିଆ ଉପର ପର୍ଯ୍ୟନ୍ତ, ସବୁଠି ଜୋରସୋରରେ ପ୍ରସ୍ତୁତି ଚାଲିଛି ।

ଖୁସିର କଥା, ବହୁ ଦାବି ପରେ ଦେବସ୍ଥଳକୁ ପାଣି ଯୋଗାଇଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) । ବର୍ଷେ ହେବ ଦେବସଭାରେ ପାନୀୟ ଜଳ ପାଇଁ ପାଣି ଟାଙ୍କି ଓ ପାଇପ୍ ସଂଯୋଗ କରାଯାଇଥିଲେ ସୁଦ୍ଧା ପାଣି ଆସୁନଥିଲା । ନିକଟରେ ସାଧୁସନ୍ଥମାନେ ଦେବସଭାରେ ଆସ୍ଥାନ ଜମାଇଥିବା ବେଳେ ମେଳା ପୂର୍ବରୁ ପାଣି ଦିଆଯିବ ବୋଲି ଏଏସ୍ଆଇ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ । ଯାହା ପୂରଣ କରିଛନ୍ତି । ପାଣି ପାଇ ସାଧୁସନ୍ଥମାନେ ବି ଖୁସି ଅଛନ୍ତି । କେବଳ ସେତିକିନୁହେଁ, ଖଣ୍ଡଗିରି ପାଦଦେଶରେ ଥିବା ଓଟିଡିସି ପାନ୍ଥିକାକୁ ଆଜି ବିଏମ୍ସି ପକ୍ଷରୁ ସଫା କରାଯାଇଛି । ମେଳା ବେଳେ ଏଠାରେ ଖାରବେଳ ମହୋତ୍ସବ ଆରମ୍ଭ ହେବ । ସେଥିପାଇଁ ଆଜି ପାନ୍ଥିକା ପରିସରରେ ଏକ ଡୋଜର ବୁଲିବୁଲି ଅନାବନା ଗଛଲତାକୁ ସଫା କରିଥିଲା ।

ତେବେ ୨୩ ତାରିଖ ଭିତରେ ସବୁ କାମ ସରିବ ବୋଲି ବିଏମ୍ସିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ମଙ୍ଗଳବାର ଖଣ୍ଡଗିରିକୁ ଆଉ ୧୦ଜଣ ସାଧୁ ଆସିଛନ୍ତି । ସମସ୍ତେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡର ବୋଲି ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ ପକ୍ଷରୁ ସୂଚନା ମିଳିଛି । ତେବେ ଏପର୍ଯ୍ୟନ୍ତ ସାଧୁଙ୍କ ରହଣୀ ପାଇଁ ଅସ୍ଥାୟୀ ରହିବା ସ୍ଥଳ କିମ୍ବା ଟେଣ୍ଟ୍ ବନ୍ଧା ଯାଇନି । ଏସଂକ୍ରାନ୍ତରେ ସାଧୁମାନେ ଯାଇ ପରିଷଦ ପାଖରେ ଫେରାଦ ବି ହୋଇଥିଲେ । ବୁଝାସୁଝା ପରେ ସେମାନେ ଉଦୟଗିରି ପାଦଦେଶରେ ଥିବା ପାଦୁକା ଆଶ୍ରମ, ଖଣ୍ଡଗିରିରେ ଥିବା ଅନନ୍ତଗୁମ୍ଫା, ଦେବ ସଭା ଓ ରାଧାକୁଣ୍ଡ ସହ ବାହାରେ ଥିବା କିଛି ଆଶ୍ରମକୁ ଯାଇଥିଲେ । ଅପରାହ୍ଣରେ ପରିଷଦ ପକ୍ଷରୁ ଏକ ଦାବିପତ୍ର ବିଏମ୍ସି ଅଫିସରେ ଦିଆଯାଇଛି । ଯଥାଶୀଘ୍ର ଖଣ୍ଡଗିରିରେ ଅସ୍ଥାୟୀ ରହଣୀ ସ୍ଥଳ ଆଲୋକବ୍ୟବସ୍ଥା କରିବାକୁ ବିଏମ୍ସିକୁ ପରିଷଦର କର୍ମକର୍ତ୍ତମାନେ ନିବେଦନ କରିଛନ୍ତି ।