ନୂଆଦିଲ୍ଲୀ,୩୧।୧୨: ଫରିଦାବାଦରେ ନିର୍ଭୟା କାଣ୍ଡର ପୁନଃରାବୃତ୍ତି। ଚଳନ୍ତା କାରରେ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ରାସ୍ତା କଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୀଡିତାଙ୍କୁ ଫୋପାଡି ଦେଇଥିଲେ ଅଭିଯୁକ୍ତ। ଏବେ ଏହି ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ମଥୁରାର ଏବଂ ଅନ୍ୟ ଜଣେ ଝାନ୍ସୀର। ଉଭୟ ବର୍ତ୍ତମାନ ଫରିଦାବାଦରେ ରହୁଥିଲେ। ପୁଲିସର କହିବା ଅନୁସାରେ, ମହିଳା ତିନୋଟି ସନ୍ତାନର ମା’। ତାଙ୍କର ନିଜ ସ୍ବାମୀଙ୍କ ସହ ଝଗଡା ଚାଲିଥିଲା। ଏହି କାରଣରୁ ସେ ତାଙ୍କ ମା’ଙ୍କ ଘରକୁ ଯାଉଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଘରୁ ବାହାରିବା ବେଳେ ସେ ବାଟରେ ଏହି ନର ପିଚାଶଙ୍କ ହାତରେ ଲାଗିଥିଲେ। ଦୁଇ ଯୁବକ ତାଙ୍କୁ କାରରେ ଲିଫ୍ଟ ଦେବା ବାହାନାରେ ବସାଇଥିଲେ। ଏହାପରେ ଅଢେଇରୁ ତିନି ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ଭ୍ୟାନ୍ରେ ବନ୍ଧକ ରଖି ଦୁଷ୍କର୍ମ କରିଥିଲେ।
ପ୍ରାୟ ଭୋର ୩ ଟା ବେଳେ ଅଭିଯୁକ୍ତମାନେ ଏସଜିଏମ୍ ନଗରର ରାଜା ଚୌକ ସ୍ଥିତ ମୁଲ୍ଲା ହୋଟେଲ ନିକଟରେ ପୀଡିତାଙ୍କୁ ଚଳନ୍ତା ଭ୍ୟାନ୍ରୁ ତଳକୁ ଫୋପାଡି ଦେଇଥିଲେ। ସଡକରୁ ଖସିବା ପରେ ମହିଳାଙ୍କ ମୁହଁରେ ଗଭୀର ଆଘାତ ଲାଗିବା ସହ ରକ୍ତ ବୋହିବାରେ ଲାଗିଥିଲା। ପ୍ରାୟ ଭୋର ୩ଟା ୩୦ ମିନିଟ୍ରେ ପୀଡିତା ତାଙ୍କ ଭଉଣୀଙ୍କୁ ଫୋନ୍ କରିଥିଲେ। ତାଙ୍କ ଭଉଣୀ ଘଟଣାସ୍ଥଳରେ ପହଁଞ୍ଚିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ସିଭିଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ସ୍ଥିତି ଗମ୍ଭୀର ଥିବା ଜଣାପଡିଥିଲା। ଏହାପରେ ତାଙ୍କୁ ଦିଲ୍ଲୀ ରେଫର କରାଯାଇଥିଲା। ତେବେ ପରିବାର ଲୋକ ଫରିଦାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରି ଚିକିତ୍ସା କରିଥିଲେ।
ପୁଲିସ ମୁଖପାତ୍ର ୟଶପାଲ ସିଂହ କହିଛନ୍ତି, ୩୦ ଡିସେମ୍ବରରେ କୋତଓ୍ବାଲି ପୋଲିସ ଷ୍ଟେସନ୍ ଏକ ଦୁଷ୍କର୍ମ ମାମଳା ରୁଜୁ ହୋଇଥିଲା। ପୁଲିସ ତୁରନ୍ତ ଆକ୍ସନ ନେଇଥିଲା। କ୍ରାଇମବ୍ରାଞ୍ଚ ଟିମ୍ ମଧ୍ୟ ଦ୍ରୁତ ଗତିରେ ଯାଞ୍ଚ ଆରମ୍ଭ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହ ଘଟଣାରେ ବ୍ୟବହୃତ ବାହନକୁ ମଧ୍ୟ ଜବତ କରାଯାଇ ସାରିଛି। ପୁଲିସ ଦୁଇ ଅଭିଯୁକ୍ତଙ୍କୁ ପଚରା ଉଚରା କରୁଛି। ପୁଲିସ ମୁଖପାତ୍ର ୟଶପାଲ ସିଂହ କହିଛନ୍ତି, ମହିଳାଙ୍କୁ ରାତିରେ ଯଦି କୌଣସି ଗାଡି ନମିଳେ ତେବେ ୧୧୨ ଡାଏଲ କରନ୍ତୁ। ପୁଲିସର ଦୁର୍ଗାଶକ୍ତି ଟିମ୍ ରାତିରେ ମହିଳାଙ୍କୁ ସୁରକ୍ଷିତ ଭାବରେ ଘରେ ପହଁଞ୍ଚାଇବାର କାମ କରୁଛନ୍ତି। ପୁଲିସ ପିସିଆର ଟିମ୍ ମଧ୍ୟ ଲଗାତାର ସକ୍ରିୟ ଅଛନ୍ତି।