ଫରିଦାବାଦ,୭।୨: ହରିୟାଣାର ଫରିଦାବାଦରେ ବଡ଼ ଦୁର୍ଘଟଣା। ଏଠାରେ ସୁରଜକୁଣ୍ଡ ମେଳାରେ ଦୁଇଟି ଦୁର୍ଘଟଣା ଘଟିଛି। ମେଳା ଚାଲିଥିବା ବେଳେ ଏକ ଝୁଲା ହଠାତ୍ ଭାଙ୍ଗି ପଡ଼ିଥିଲା। ଏଥିରେ୧୩ ଜଣ ଆହତ ହୋଇଥିବା କୁହାଯାଉଛି। ଝୁଲା ଭାଙ୍ଗିବା ଫଳରେ ମେଳାରେ ଆତଙ୍କ ସୃଷ୍ଟି ହୋଇଥିଲା। ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ସମୟରେ ଜଣେ ଇନ୍ସପେକ୍ଟର ରାଙ୍କ ଅଧିକାରୀ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି। ସେଭଳି ମେଳାରେ ଘଟିଥିବା ଅନ୍ୟ ଏକ ଘଟଣାରେ, ଓ୍ବେଲକମ୍ ଗେଟ୍ ବା ସ୍ବାଗତ ଫାଟକ ଖସି ପଡ଼ିବା ଯୋଗୁଁ ଦୁଇଜଣ ଆହତ ହୋଇଛନ୍ତି। ବର୍ତ୍ତମାନ ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୁରଜକୁଣ୍ଡ ମେଳାରେ ଘଟିଥିବା ପ୍ରଥମ ଦୁର୍ଘଟଣାରେ ଏକ ଝୁଲା ଭାଙ୍ଗି ପଡ଼ିଲା। କୁହାଯାଉଛି ଯେ ସୁନାମି ନାମକ ଝୁଲା ଖସି ପଡିବା କାରଣରୁ ୧୩ ଜଣ ଆହତ ହୋଇଛନ୍ତି। ଏହି ସମୟରେ ଲୋକଙ୍କୁ ଉଦ୍ଧାର କରିବା ସମୟରେ ଜଣେ ଇନ୍ସପେକ୍ଟର ରାଙ୍କ ଅଧିକାରୀ ମଧ୍ୟ ଗୁରୁତର ଆହତ ହୋଇଥିଲେ, ଯାହାଙ୍କର ପରେ ମୃତ୍ୟୁ ହୋଇଥିଲା। ମେଳାରେ ଆହତ ହୋଇଥିବା ସମସ୍ତ ଲୋକଙ୍କୁ ନିକଟସ୍ଥ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣା ସ୍ଥଳରେ ବାରିକେଡ୍ ଲଗାଇଛି। ଘଟଣା ପରେ ଜିଲ୍ଲା ଡେପୁଟି କମିଶନର ଏବଂ ପୋଲିସ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ଏହା ବ୍ୟତୀତ, ଅନ୍ୟ ଏକ ଦୁର୍ଘଟଣାରେ, ଗେଟ୍ ନମ୍ବର ୨ପାଖରେ ସ୍ୱାଗତ ଫାଟକ ଭୁଶୁଡ଼ି ପଡ଼ିବା ଯୋଗୁଁ ୨ ଜଣ ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଝୁଲା ଭାଙ୍ଗିବା ମାତ୍ରେ ଲୋକମାନେ ଭୟଭୀତ ହୋଇ ଦୌଡ଼ିବାକୁ ଲାଗିଲେ। ଘଟଣା ବିଷୟରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଡିସିପି ମକସୁଦ ଅହମ୍ମଦ କହିଛନ୍ତି, ସ୍ଥିତି ଅନୁଧ୍ୟାନ କରିଛୁ। କିଛି ଲୋକ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଡାକ୍ତରଖାନା ନିଆଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା କରାଯାଉଛି। ଦୁଇ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ଏବଂ ସେମାନଙ୍କର ଚିକିତ୍ସା କରାଯାଉଛି। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ଏବଂ ଝୁଲା ଅପରେଟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆହତଙ୍କ ସଠିକ୍ ସଂଖ୍ୟା କେତେ ତାହା ମଧ୍ୟ ନଜର ରଖାଯାଇଛି।