ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରୁ ଏବେ ଏକ ଦୁଃଖଦ ଖବର ସାମ୍ନାକୁ ଆସୁଛି। ରାଜ୍ୟର ବରେଲି ଜିଲ୍ଲାର ଫରିଦପୁରର ବିଜେପି ବିଧାୟକ ଡାକ୍ତର ଶ୍ୟାମ ବିହାରୀ ଲାଲଙ୍କ ଦେହାନ୍ତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ବିଧାୟକ ଶ୍ୟାମ ବିହାରୀ ଲାଲଙ୍କର ହୃଦଘାତରେ ପରଲୋକ ଘଟିଛି । ଗୁରୁବାର ବିଧାୟକ ଶ୍ୟାମ ବିହାରୀ ଲାଲଙ୍କ ଜନ୍ମଦିନ ପାଳନ କରାଯାଇଥିବା ବେଳେ ଆଜି (ଶୁକ୍ରବାର)ତାଙ୍କର ମୃତ୍ୟୁ ଦଳୀୟ ମହଲରେ ଶୋକର ଛାୟା ଖେଳାଇ ଦେଇଛି।
କେମିତି ହେଲା ବିଧାୟକଙ୍କ ମୃତ୍ୟୁ ?
ବରେଲିରେ ଆଜି ବିଧାୟକ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ବିଜେପି ବିଧାୟକ ଶ୍ୟାମ ବିହାରୀ ଲାଲ ହଠାତ୍ ବରେଲିର ସର୍କିଟ ହାଉସରେ ଏକ ବୈଠକ ସମୟରେ ଆଜି ଅସୁସ୍ଥ ହୋଇପଡ଼ିଥିଲେ। ସେ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ, ଏବଂ ତାଙ୍କୁ ତୁରନ୍ତ ବରେଲିର ମେଡିସିଟି ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି।
ଖବର ଅନୁଯାୟୀ, ପଶୁସମ୍ପଦ ମନ୍ତ୍ରୀ ଧରମପାଲ ସିଂହ ଆଜି ଅପରାହ୍ନରେ ସର୍କିଟ ହାଉସରେ ପହଞ୍ଚିଥିଲେ ଏବଂ ଏକ ବୈଠକ ଚାଲିଥିଲା। ଏହି ସମୟରେ ବିଧାୟକ ଶ୍ୟାମ ବିହାରୀ ଲାଲ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କ ଗୁରୁତର ଅବସ୍ଥା ତାଙ୍କ ସହକର୍ମୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ତାଙ୍କୁ ବିଳମ୍ବ ନକରି ମେଡିସିଟି ହସ୍ପିଟାଲକୁ ପଠାଯାଇଥିଲା। ହସ୍ପିଟାଲର ଡାକ୍ତର ମାନେ ସମସ୍ତ ପ୍ରକାରର ଚିକିତ୍ସା ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ଅବସ୍ଥା ଆହୁରି ଖରାପ ହେବାକୁ ଲାଗିଲା ଆଉ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଗଲା।
ଗୋଟିଏ ଦିନ ପୂର୍ବରୁ ପାଳିଥିଲେ ଜନ୍ମଦିନ…
ବିଧାୟକ ଶ୍ୟାମ ବିହାରୀ ଲାଲ ମାତ୍ର ଗୋଟିଏ ଦିନ ପୂର୍ବରୁ ତାଙ୍କର ଜନ୍ମଦିନ ପାଳନ କରିଥିଲେ। ସେ ବିଜେପି ଟିକେଟରେ ଲଗାତାର ଦ୍ୱିତୀୟ ଥର ପାଇଁ ଫରିଦପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ନିର୍ବାଚିତ ହୋଇଥିଲେ। ସେ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ତାଙ୍କ ପରିବାରରେ ଦୁଇ ଝିଅ, ଗୋଟିଏ ପୁଅ ଏବଂ ତାଙ୍କ ପତ୍ନୀ ମଞ୍ଜୁଲତା ଅଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଧାୟକ ଶ୍ୟାମ ବିହାରୀ ଲାଲଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।