ବାଉଁଶୁଣି,୭/: ବୌଦ୍ଧ ଜିଲ୍ଲା ବାଉଁଶୁଣି ଅଞ୍ଚଳରେ ୟୁରିଆ ସାରର ଉତ୍କଟ ଅଭାବ ଦେଖାଯାଇଛି l ସାର ପାଇଁ ଚାଷୀ ସମବାୟ ସମିତିକୁ ଧାଇଁ ଧାଇଁ ନୟାନ୍ତ ହୋଇ ଗଲେଣି l ସାର ଗୋଟିଏ ବସ୍ତା ପାଇଁ ଲମ୍ବା ଲାଇନରେ ରାତି ୪ ଟାରୁ ଘଣ୍ଟା ଘଣ୍ଟା ଠିଆ ହେଲେ କେବଳ ବସ୍ତାଏ ସାର ପାଉଛନ୍ତି l ଏହା ସମୁଦ୍ରକୁ ଶଙ୍ଖେ ମାତ୍ର l ଚାଷୀର ଆବଶ୍ୟକତାକୁ ଏହା ପୂରଣ କରି ପାରୁ ନାହିଁ ତୁରନ୍ତ ସାର ନ ଦେଲେ ଚାଷରୁ ଆମଦାନୀ କମିଯିବ l ଏଣୁ ଚାଷୀ କଳାବଜାରରୁ ଅତ୍ୟଧିକ ଚଢା ଦରରେ କିଣିବାକୁ ବାଧ୍ୟ ହେଉଛି l ୟୁରିଆ ସାରର ଦର ୨୬୬ ଟଙ୍କା ଥିବା ବେଳେ ବେପାରୀମାନେ ଚାଷୀଙ୍କୁ ୭୦୦ ତ ଆଉ କେଉଁଠି ୮୦୦ ରୁ ୯୦୦ ଟଙ୍କାରେ ବିକ୍ରି କରୁଛନ୍ତି ଦନ୍ତାପାଲି ଗ୍ରାମର ଜଣେ ବ୍ୟବସାୟୀ ରବିବାର ଦିନ ୨୬୬ ଟଙ୍କା ବସ୍ତା ପ୍ରତି ଦର ଥିବା ବେଳେ ୟୁରିଆ ୬୦୦ ଟଙ୍କାରେ ବିକ୍ରି କରୁଥିବା ବେଳେ ଚାଷୀ କିଣିବାକୁ ବାଧ୍ୟ ହେଉଥିବା ଅଭିଯୋଗ କରିଛନ୍ତି। ସାର ଏତେ ସଙ୍କଟ ହେବା ମୁଖ୍ୟ କାରଣ ଗଞ୍ଜେଇ ଚାଷ, ସରକାରୀ ଜମିରେ କପା ଚାଷ, ଗୋଚର ଜମିରେ ଧାନ ଚାଷ ହେତୁ ଏହିପରି ଭାବରେ ସାର ଦର ବଢ଼ି ଚାଲିଥିବା ପ୍ରକୃତ ଚାଷୀ କହିଛନ୍ତି ।

ଏହା ବିରୁଦ୍ଧରେ ପ୍ରତିବାଦ କଲେ କେହି ଶୁଣୁ ନାହାନ୍ତି l ଚାଷୀମାନେ ଏ ଅଫିସରୁ ସେ ଅଫିସକୁ ଦୌଡି ଦୌଡି ନୟାନ୍ତ ହୋଇ ଗଲେଣି l କୃଷି ବିଭାଗର ଅଧିକାରୀ ମାନେ ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି । ସରକାରୀ ବେସରକାରୀ ସାର ବିକ୍ରେତା ଓ ଚଢାଉ କରୁଥିବା କୃଷି ବିଭାଗର ବିଭିନ୍ନ ଅଧିକାରୀମାନଙ୍କ ମଧ୍ୟରେ ବଡ଼ ଧରଣର ଡିଲ ହେଉଥିବା ମଧ୍ୟ ଚାଷୀ କୂଳରେ ଚର୍ଚ୍ଚା ହେଉଛି । ତୁରନ୍ତ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇ ଦେବାକୁ ଚାଷୀ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି। ଯଦି ଯୋଗାଇ ନ ଦିଅନ୍ତି, ରାଜରାସ୍ତା ଅବରୋଧ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ କହିଛନ୍ତି ଚାଷୀ । ବାଉଁଶୁଣୀ, ଦନ୍ତାପାଲି , ଛେଳିବାହାଲ, ସାହାଜପାଲ ଅଞ୍ଚଳରେ କିଛି ବେପାରୀଙ୍କୁ ସାର ଯୋଗାଇ ଦିଆଯାଇଛି । ହେଲେ ସେହି ବେପାରୀମାନେ ସାରର ଅଭାବ ଦେଖି ଚାଷୀମାନଙ୍କୁ ଚଢା ଦରରେ ସାର ବିକ୍ରି କରୁଥିବା ଦେଖିବାକୁ ମିଳିଛି । ତେଣୁ ତୁରନ୍ତ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇ ଦେବାକୁ ଚାଷୀ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି। ​​​​​​​