ଭର୍ମିକମ୍ପୋଷ୍ଟ ମାଟିର ପି.ଏଚ.କୁ ବଫର୍ କରିବାରେ ସାହାଯ୍ୟ କରେ, ଉଦ୍ଭିଦ ବୃଦ୍ଧି ପାଇଁ ଅଧିକ ସନ୍ତୁଳିତ ଏବଂ ସ୍ଥିର ପରିବେଶ ସୁନିଶ୍ଚିତ କରେ । ଏହା ବିଶେଷତଃ ସେହି ଅଞ୍ଚଳରେ ଉପକାରୀ ଅଟେ, ଯେଉଁଠାରେ ମୃତ୍ତିକାର ଅମ୍ଳତା କିମ୍ବା କ୍ଷାର କ୍ଷମତା କୃଷି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ । ମଣିଷ ତା’ର ମୂର୍ଖତା ପାଇଁ ନିଜ ମାଟିରୁ ଜିଆ ସମେତ ଅନେକ ଉପକାରୀ କୀଟାଣୁଙ୍କ ବଂଶ ନିପାତ କରିସାରିବା ପରେ ପୁଣି ବଜାରରୁ ଜିଆ ଦ୍ୱାରା ପ୍ରସ୍ତୁତ ଖତ କିଣିବାକୁ ବାଧ୍ୟ ହେଲା ।

ଚାଷୀ ଘରର ପିଲା ହୋଇଥିବାରୁ ମୁଁ ଛୋଟଟି ବେଳୁ ଆମ ମାଟିର କୀଟ "ଜିଆ' ବିଷୟରେ କିଛିଟା ଜ୍ଞାନ ଆହରଣ କରିବାର ସୁଯୋଗ ପାଇଛି । ଏବେ ଗାଆଁକୁ ଯାଇ କିଛି ଗଛ ଲଗେଇବା ସମୟରେ ଫୁଟରେ ଫୁଟେ କିଛି ଗାତ ଖୋଳିଲି, କିନ୍ତୁ ସେଥିରେ ଗୋଟିଏ ବି ଜିଆ ଦିଶିଲା ନାହିଁ! ଆଶ୍ଚର୍ଯ୍ୟ ଲାଗିଲା! ଗାଁରେ ମଧ୍ୟ ପରିବେଶୀୟ ବିପଦ ଦ୍ୱାର ଦେଶରେ ଆସନ୍ନ । ପରେ ସହରରୁ ଜିଆ ଖତ ଟିକେ ମଗାଇ ଗଛମୂଳରେ ଦେବାର ବ୍ୟବସ୍ଥା କରି ଫେରି ଆସିଲି ପୁଣି ସେହି ସହରକୁ । ବାଟସାରା ଭାବି ଭାବି ଆସିଲି, ଛୋଟବେଳୁ ଦେଖିଆସିଥିବା ଗୋଟିଏ ସାମାନ୍ୟ କୀଟ ଜିଆର ଏତେ ଉପକାରିତା ଏବଂ ଆଜିର ଏ ଅବସ୍ଥା କଥା । ସେମାନେ ମୁଖ୍ୟତଃ ମାଟିକୁ ହାଲୁକା କରିବା ଦ୍ୱାରା ସେଥିରେ ବାୟୁପ୍ରବାହ କରାନ୍ତି, ମୃତ୍ତିକା ସ୍ତରଗୁଡ଼ିକୁ ମିଶାନ୍ତି ଏବଂ ବିଭିନ୍ନ ପଦାର୍ଥକୁ ପୋଷକତତ୍ତ୍ୱଯୁକ୍ତ ବର୍ଜ୍ୟକୁ ପରିଣତ କରି ପରିବେଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାନ୍ତି, ଯାହା ଉଦ୍ଭିଦ ବୃଦ୍ଧିକୁ ପ୍ରାକୃତିକ ପ୍ରଣାଣୀରେ ସହାୟକ ହୋଇଥାଏ ।
ସତୁରି ଦଶକ ବେଳକୁ ଉପକୂଳ ଜିଲ୍ଲା ଗ୍ରାମୀଣ ଇଲାକାରେ ଚାଷବାସରେ କେବେ ରାସାୟନିକ ସାର କିମ୍ବା ବିଷାକ୍ତ ଔଷଧ ବ୍ୟବହାର କରିବାର ମୁଁ ଦେଖିନଥିଲି । ପ୍ରାକୃତିକ ଭାବରେ ମୃତ୍ତିକାରେ ଥିବା ଜିଆ ଓ ଅନ୍ୟାନ୍ୟ କୀଟ ସହାୟତାରେ ବହୁତ ଫସଲ ଅମଳ ହେଉଥିଲା । ଚାଷୀ ଜଣେ ଏତେ ଖର୍ଚ୍ଚାନ୍ତ ହେଉନଥିଲା । ସକାଳୁ ଉଠିଲେ ଦାଣ୍ଡ ବାଡ଼ି ଚାରିଆଡ଼େ ମାଟି ସବୁ ଭୁରୁ ଭୁରୁ ହୋଇଥିବାର ଦେଖାଯାଏ ଏବଂ ଗୋବର ଦ୍ୱାରା ଲିପାହୁଏ, କାମ କରୁଥିବା ଲୋକଟି ବିରକ୍ତ ପ୍ରକାଶ କରି କହୁଥିବାର ଶୁଣାଯାଏ ଯେ, ଜିଆଗୁଡ଼ା ବହୁତ ମାତ୍ରାରେ ବଢ଼ିଗଲେଣି, ସବୁଦିନେ କିଏ ଲିପିବ? ସମସ୍ତଙ୍କ ବାଡ଼ିରେ କିଛି ନା କିଛି ପନିପରିବା ସବୁଦିନେ ଲଗାଯାଏ, ଯଥା- ଚାଳ ଓ ପିଢ଼ାରେ କଖାରୁ, ଲାଉ, ଜହ୍ନି, କାକୁଡ଼ି ତ ନିଶ୍ଚୟ ଥାଏ । ଗୋଟିଏ ପ୍ରକାର ବାରମାସୀ ବାଇଗଣ, ଢିଅ ବାଇଗଣ ବୋଲି କୁହାଯାଏ ଓ ବାରମାସୀ କଞ୍ଚାଲଙ୍କା ଗଛ ତ ନିଶ୍ଚୟ ଥାଏ, ସେଥିରେ କେବେ ରାସାୟନିକ ସାର ବା ବିଷ ଦିଆ ହୁଏନି, କିନ୍ତୁ ଗୋବର ଖତ ହିଁ ବ୍ୟବହାର ହୁଏ । ସବୁବେଳେ ସେସବୁ ବଗିଚାରେ ପ୍ରଚୁର ପରିମାଣରେ ଜିଆ ଭର୍ତ୍ତି ହୋଇଥାନ୍ତି, ଯେଉଁଥିପାଇଁ ବିନା ସାରରେ ବର୍ଷ ତମାମ ଫଳ ହୁଏ । ସେତେବେଳେ ଆମେମାନେ ବନିଶୀ କଣ୍ଟାରେ ଜିଆ ଗୁନ୍ଥି ନଦୀରୁ ମାଛ ଧରିବା ପାଇଁ ଗଲେ ସାଙ୍ଗରେ ଜିଆ କିଛି ନେଇଥାଉ, ଯେଉଁଠି ଖୋଳିଲେ ସେହି ଜିଆ ଦେଖାଯାଏ । ଶୁଖିଲା ପତ୍ର ଓ ପଚାସଢ଼ା ପନିପରିବା ଆଦି ଜୈବିକ ପଦାର୍ଥରୁ ନିଉଟ୍ରିଏଣ୍ଟ ବା ପୋଷକତତ୍ତ୍ୱ ପୁନଃ ଫେରାଇ ଆଣିବାରେ ସାହାଯ୍ୟ କରି ସେମାନେ ମୃତ୍ତିକାର ସ୍ୱାସ୍ଥ୍ୟକୁ ସୁଧାରିବାରେ ସକ୍ଷମ ହୋଇଥାନ୍ତି । ଆଜି କିନ୍ତୁ ମୃତ୍ତିକାର ଉର୍ବରତାରେ ଅବନତି ପାଇଁ ଜିଆର ଅଭାବ ହିଁ ମୁଖ୍ୟତଃ ଦାୟୀ ।
ଜିଆମାନେ ମାଟିର ସ୍ୱାସ୍ଥ୍ୟର ପରିବେଶୀୟ ସୂଚକ ଅଟନ୍ତି । ସେମାନେ ମାଟିରେ ପଡ଼ୁଥିବା ପଚାସଢ଼ା ପଦାର୍ଥଗୁଡ଼ିକ ଖାଆନ୍ତି ଏବଂ ତାଙ୍କର ପାଚନାତ୍ମକ ନଳୀ ସବୁ ବିଷୟବସ୍ତୁର ବିଶ୍ଳେଷଣ କରିବା ଦ୍ୱାରା ମାଟିର ସାଧାରଣ ଅବସ୍ଥା ଜାଣିବାକୁ ସମ୍ଭବ ହୁଏ । ଜିଆମାନଙ୍କର ଆନ୍ତ୍ର ନାଡ଼ି ମାଟିରେ ରହିଥିବା ରସାୟନ ପଦାର୍ଥ ଯଥାକ୍ୟାଡମିୟମ୍, ପାରା, ଜିଙ୍କ୍ ଏବଂ ତମ୍ବା ଭଳି ଭାରୀ ଧାତୁଗୁଡ଼ିକ ମଧ୍ୟ ଜମା କରିଥାଏ । ସେଥିପାଇଁ ଏମାନଙ୍କ ସଂଖ୍ୟା ମାଟିର ଗୁଣାତ୍ମକତାକୁ ସୂଚିତ କରିଥାଏ, କାରଣ ସୁସ୍ଥ ମାଟିରେ ବେଶି ଜିଆ ରହିଥାନ୍ତି । ସେମାନେ ମାଟିର ଜୈବିକ ପଦାର୍ଥଗୁଡ଼ିକୁ ସମୃଦ୍ଧ ହ୍ୟୁମସ୍ରେ ପରିଣତ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାନ୍ତି, ଯାହାଦ୍ୱାରା ମାଟିର ଉର୍ବରତାକୁ ସୁଧାରିଥାଏ। ସେମାନେ ମାଟିରୁ ମିଶ୍ରଣ ଓ ରସାୟନ ହଜମ କରି ପୋଷକତତ୍ତ୍ୱ ରିସାଇକ୍ଲିଂକୁ ତ୍ୱରାନ୍ୱିତ କରନ୍ତି ଓ ମାଟି-ଗଛ ପ୍ରଣାଳୀରେ ପୋଷକ ଦ୍ରବ୍ୟ ପ୍ରବାହକୁ ବୃଦ୍ଧି କରାନ୍ତି ।
ସଂଯୁକ୍ତ ରାଷ୍ଟ୍ରରେ ହୋଇଥିବା ଅନୁସନ୍ଧାନରୁ ଜଣାଯାଏ ଯେ, ଜିଆମାନଙ୍କର ତାଜା ମଳରେ ପ୍ରାୟ ପାଞ୍ଚ ଗୁଣ ଅଧିକ ନାଇଟ୍ରୋଜେନ, ସାତ ଗୁଣ ଅଧିକ ଫସ୍ଫେଟ୍ ଏବଂ ଏଗାର ଗୁଣ ଅଧିକ ପଟାସିୟମ ଥାଏ । କିନ୍ତୁ ଦୁଃଖର ବିଷୟ ଯେ, ପୃଥିବୀ ପୃଷ୍ଠରେ ବାସ କରୁଥିବା ପ୍ରତ୍ୟେକ ପ୍ରାଣୀ ଓ କୀଟାଣୁମାନଙ୍କର ନିର୍ଦ୍ଦିଷ୍ଟ ଭୂମିକା ବିଷୟରେ ଆମର ଅଜ୍ଞତା ହେଉ କିମ୍ବା ଅଧିକ ଫସଲ ଉତ୍ପାଦନର ଲାଭରେ ବଶୀଭୂତ ହୋଇ ଆମେ ବିଭିନ୍ନ ରାସାୟନିକ ସାର ଓ ବିଷାକ୍ତ ଔଷଧ ବ୍ୟବହାର କରି ଅନେକ କୀଟାଣୁଙ୍କର ବଂଶ ନିପାତ କରିଦେଲୁ । ଜମିବାଡ଼ି ଓ ଜଳାଶୟରେ କେବଳ ଜିଆ ନୁହେଁ କଙ୍କଡ଼ା, ଗେଣ୍ଡା, ଶାମୁକା, ଜୋକ ଓ ଅନ୍ୟାନ୍ୟ କୀଟାଣୁ ମଧ୍ୟ ଦେଖାଯାଉନାହାନ୍ତି । ଆମେ ହାତୀ, ହରିଣ ଓ ବାଘ ସଂରକ୍ଷଣ ପଛରେ ଧାଉଁ ଧାଉଁ କେତେବେଳେ ଆମ ବଞ୍ଚିରହିବା ପାଇଁ ଶସ୍ୟ ଉପାଦାନରେ ବହୁ ଉପକାରୀ କୀଟ ଜିଆ ବଂଶ ଧ୍ୱଂସ କରିଦେଲୁ ଜଣାପଡ଼ିଲା ନାହିଁ! ଆଜି ଆମେ ଆମ ମୃତ୍ତିକାର ଗୁଣବତ୍ତା ହରାଇ ବସିଲୁ । ପାରମ୍ପରିକ ଚାଷ ପ୍ରଣାଳୀରେ ପ୍ରାୟତଃ ସିନ୍ଥେଟିକ୍ ସାରର ବ୍ୟବହାର ଅନ୍ତର୍ଭୁକ୍ତ କରି ଆମେ ନିଜେ ମୃତ୍ତିକାର ଅବକ୍ଷୟ ଏବଂ ପରିବେଶ ପ୍ରଦୂଷଣର କାରଣ ହୋଇଗଲୁ । ଅତ୍ୟଧିକ ନାଇଟ୍ରୋଜେନ ସାର ଏସିଡିକ ପରିସ୍ଥିତି ସୃଷ୍ଟି କରିଥାଏ, ଯାହା ଜିଆ ଓ ଅନ୍ୟାନ୍ୟ ଉପକାରୀ କୀଟାଣୁ ପାଇଁ ମରଣାନ୍ତକ । ଡିଡିଟି, ଚୁନା ସଲ୍ଫର ଏବଂ ଲିଡ୍ ଆରସେନେଟ ଭଳି ପଦାର୍ଥର ବ୍ୟବହାର ପରେ ସାଧାରଣତଃ ମାଟିର ଉପରିଭାଗରେ ମୃତ କୀଟାଣୁମାନେ ଦେଖାଯିବାକୁ ଲାଗିଲେ ।
ପରିଶେଷରେ ମଣିଷ ବାଧ୍ୟହୋଇ ଭର୍ମିକମ୍ପୋଷ୍ଟିଂ ପ୍ରକ୍ରିୟା ପାଇଁ ପୁଣି ସେହି ଜିଆର ଆବଶ୍ୟକତା ଉପଲବ୍ଧ କଲା । ସ୍ଥାୟୀ ଏବଂ ଜୈବିକ କୃଷି ପ୍ରଣାଳୀର ସମ୍ଭାବ୍ୟତା ପାଇଁ ଭର୍ମିକମ୍ପୋଷ୍ଟିଂ ଏକ ଉତ୍ତମ ପ୍ରକ୍ରିୟା ଅଟେ । ଏହାର ବହୁ ଉପକାର, ବର୍ଦ୍ଧିତ ମୃତ୍ତିକାର ଉର୍ବରତା ଠାରୁ ଆରମ୍ଭ କରି ବର୍ଜ୍ୟବସ୍ତୁ ହ୍ରାସ ପର୍ଯ୍ୟନ୍ତ ଏହା ସ୍ୱାସ୍ଥ୍ୟକର ଫସଲ ଚାଷ କରିବାକୁ ତଥା ପରିବେଶ ସଂରକ୍ଷଣରେ ସହଯୋଗ କରିବାକୁ ଚାହୁଁଥିବା କୃଷକମାନଙ୍କ ପାଇଁ ଏକ ମୂଲ୍ୟବାନ ସମ୍ପତ୍ତି ଅଟେ । ଯେହେତୁ ଆମେ ଆଧୁନିକ କୃଷିରେ ଚ୍ୟାଲେଞ୍ଜ ଅଧିକ ଦେଖୁଛେ, ଭର୍ମିକମ୍ପୋଷ୍ଟିଂର ସରଳତା ଏବଂ କାର୍ଯ୍ୟକାରିତା କୃଷି ଏବଂ ପରିବେଶ ମଧ୍ୟରେ ଅଧିକ ସ୍ଥାୟୀ ଏବଂ ସୁସଂଗତ ସମ୍ପର୍କ ପାଇଁ ଆଶାର ଏକ ଆଲୋକ ପ୍ରଦାନ କରେ । ଏହାକୁ ଜୈବିକ କୃଷି ଜଗତରେ ଏକ "ସବୁଜ ସୁନା' ବୋଲି ବିଚାର କରାଯାଏ । ଏହା ଭର୍ମିକମ୍ପୋଷ୍ଟିଂର ପ୍ରାକୃତିକ ପ୍ରକ୍ରିୟା ମାଧ୍ୟମରେ ଉତ୍ପାଦିତ ଏକ ପୁଷ୍ଟିକର ସମୃଦ୍ଧ, ଜୈବିକ ସାର । ଜିଆମାନଙ୍କର ହଜମ ପ୍ରକ୍ରିୟା ଜୈବିକ ପଦାର୍ଥକୁ ଏକ ରୂପରେ ବିଭକ୍ତ କରେ, ଯାହା ଉଦ୍ଭିଦମାନଙ୍କ ପାଇଁ ସହଜରେ ଉପଲବ୍ଧ । ଫଳସ୍ୱରୂପ ଭର୍ମିକମ୍ପୋଷ୍ଟ ନାଇଟ୍ରୋଜେନ, ଫସଫରସ୍, ପୋଟାସିୟମ୍, ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ଏବଂ ଉପକାରୀ ମାଇହେକ୍ରାଅର୍ଗାନ୍ସ ସହିତ ଭରପୂର ଅଟେ, ଫସଲ ପାଇଁ ଏକ ସନ୍ତୁଳିତ ଏବଂ ସହଜରେ ଗ୍ରହଣଯୋଗ୍ୟ ପୁଷ୍ଟିକର ଉତ୍ସ ଯୋଗାଇଥାଏ । ଏହାର ଜଳଧାରଣ କ୍ଷମତା, ଜଳବାୟୁ ଏବଂ ଜଳ ନିଷ୍କାସନରେ ଉନ୍ନତି କରି ମୃତ୍ତିକାର ଗଠନକୁ ବଢ଼ାଇଥାଏ ।
ଭର୍ମିକମ୍ପୋଷ୍ଟର ହ୍ୟୁମସ୍-ସମୃଦ୍ଧ ରଚନା ଏକ ପ୍ରାକୃତିକ ମୃତ୍ତିକା କଣ୍ଡିସନର ଭାବରେ କାର୍ଯ୍ୟ କରେ, ମୂଳ ବିକାଶ ଏବଂ ପୁଷ୍ଟିକର ଅବଶୋଷଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରେ । ଉଦ୍ଭିଦମାନଙ୍କ ଦ୍ୱାରା ଉପଯୁକ୍ତ ପୋଷକ ତତ୍ତ୍ୱ ପାଇବା ପାଇଁ ମାଟିରେ ସଠିକ୍ ପି.ଏଚ. ସ୍ତର ବଜାୟ ରଖିବା ଜରୁରି ଅଟେ । ଭର୍ମିକମ୍ପୋଷ୍ଟ ମାଟିର ପି.ଏଚ. କୁ ବଫର୍ କରିବାରେ ସାହାଯ୍ୟ କରେ, ଉଦ୍ଭିଦ ବୃଦ୍ଧି ପାଇଁ ଅଧିକ ସନ୍ତୁଳିତ ଏବଂ ସ୍ଥିର ପରିବେଶ ସୁନିଶ୍ଚିତ କରେ । ଏହା ବିଶେଷତଃ ସେହି ଅଞ୍ଚଳରେ ଉପକାରୀ ଅଟେ, ଯେଉଁଠାରେ ମୃତ୍ତିକାର ଅମ୍ଳତା କିମ୍ବା କ୍ଷାର କ୍ଷମତା କୃଷି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ । ମଣିଷ ତା’ର ମୂର୍ଖତା ପାଇଁ ନିଜ ମାଟିରୁ ଜିଆ ସମେତ ଅନେକ ଉପକାରୀ କୀଟାଣୁଙ୍କ ବଂଶ ନିପାତ କରିସାରିବା ପରେ ପୁଣି ବଜାରରୁ ଜିଆ ଦ୍ୱାରା ପ୍ରସ୍ତୁତ ଖତ କିଣିବାକୁ ବାଧ୍ୟ ହେଲା । ଆମେ ଗାଆଁ ମାଟିରୁ ଜିଆ ନିପାତ କରି ପୁଣି ମୋ ପରି ଗଛ ଲଗେଇବା ପାଇଁ ସହରରୁ ଜିଆ ଖତ କିଣିବାକୁ ବାଧ୍ୟ । ହାତୀ, ବାଘ, ହରିଣ ଓ ଅନ୍ୟ ବଣ୍ୟଜନ୍ତୁଙ୍କ ସଂରକ୍ଷଣ ସହିତ ପ୍ରତ୍ୟେକ କୀଟ ପତଙ୍ଗର ସଂରକ୍ଷଣ ଆମର ଦାୟିତ୍ୱ । ତେଣୁ ସ୍କୁଲସ୍ତରରେ ଆମ ପରବର୍ତ୍ତୀ ପିଢ଼ି ପାଇଁ ଏସବୁ ଶିକ୍ଷା ବ୍ୟବସ୍ଥାରେ ସ୍ଥାନ ପାଇବା ଅତ୍ୟନ୍ତ ଜରୁରି ।