ନୂଆଦିଲ୍ଲୀ, ୨୫।୮: ଦିଲ୍ଲୀ ଜନ୍ତର ମନ୍ତରରେ ଏକାଠି ହେଲେଣି ଚାଷୀ । ସାରା ଦେଶରୁ ଚାଷୀମାନେ ପୁଣି ଥରେ ରାଜଧାନୀରେ ମେଳି ବାନ୍ଧିଲେଣି । ‘ସଂଯୁକ୍ତ କିଷାନ ମୋର୍ଚ୍ଚା’ ଦ୍ୱାରା ଆୟୋଜିତ ହୋଇଥିବା କିଷାନ ମହାପଞ୍ଚାୟତରେ ସାମିଲ ହେବା ଲାଗି ସୋମବାର ସକାଳେ ଚାଷୀମାନେ ଏକାଠି ହୋଇଛନ୍ତି । ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଅର୍ଥାତ୍ ଏମ୍ଏସ୍ପିରେ ଆଇନଗତ ଗ୍ୟାରେଣ୍ଟି, କୃଷି, ଡାଏରୀ, କୁକୁଡ଼ା ଏବଂ ମତ୍ସ୍ୟପାଳନ କ୍ଷେତ୍ରକୁ ଆମେରିକା ସହିତ ପ୍ରସ୍ତାବିତ ଚୁକ୍ତିନାମାରୁ ଦୂରରେ ରଖିବା ଏବଂ କୃଷି ଆଇନ ବିରୋଧରେ ଆନ୍ଦୋଳନ ସମୟରେ ଚାଷୀଙ୍କ ବିରୁଦ୍ଧରେ ପଞ୍ଜୀକୃତ ପୁଲିସ ମାମଲା ପ୍ରତ୍ୟାହାର କରିବା ପାଇଁ ଦୀର୍ଘ ଦିନର ଦାବି ଉପରେ ମହାପଞ୍ଚାୟତରେ ବିଚାର କରାଯିବ ।
ଏହି ବୈଠକ ଶାନ୍ତିପୂର୍ଣ୍ଣ ହେବା ସହ ଚାଷୀ, ସମର୍ଥନମାନଙ୍କୁ ବହୁସଂଖ୍ୟାରେ ଯୋଗଦେବାକୁ ଅନୁରୋଧ କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ୨୦୨୦ ଏବଂ ୨୦୨୧ ମସିହାରେ ହୋଇଥିବା ଚାଷୀ ଆନ୍ଦୋଳନର ପ୍ରାୟ ୪ ବର୍ଷ ପରେ ଏହି ମହାପଞ୍ଚାୟତ ଆୟୋଜନ ହେଉଛି । କହିରଖୁ କି, ହଜାର ହଜାର ଲୋକ ୩ଟି କୃଷି ଆଇନ ପ୍ରତ୍ୟାହାର ଦାବି କରି ଦିଲ୍ଲୀ ସୀମାରେ ଡେରା ପକାଇଥିଲେ । କେନ୍ଦ୍ର ସରକାର ଆଇନ ପ୍ରତ୍ୟାହାର ଘୋଷଣା କରିବା ପରେ ଆନ୍ଦୋଳନ ଶେଷ ହୋଇଥିଲା । ସେବେଠାରୁ ଅନେକ ଚାଷୀ ସଙ୍ଗଠନ ଏମ୍ଏସ୍ପି ଉପରେ ଆଇନ ପ୍ରଣୟନ ସମେତ ସରକାର ଅନ୍ୟାନ୍ୟ ପ୍ରତିଶ୍ରୁତି ପୂରଣ ନ କରିବା ନେଇ ଅଭିଯୋଗ କରିଛନ୍ତି । ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଆମେ ଘଟଣାସ୍ଥଳରେ ପ୍ରାୟ ୧୨୦୦ ପୁଲିସ ନିୟୋଜିତ କରିଛୁ । ଯେପରି କୌଣସି ଅପ୍ରୀତିକର ଘଟଣା ନ ଘଟୁ ସେନେଇ ଲାଗି ଆମେ ନିଶ୍ଚିତ କରିବୁ ।
କହିରଖୁ କି, ପଞ୍ଜାବ ଏବଂ ହରିୟାଣା ଚାଷୀମାନେ କିଛି ମାସ ଧରି ଶମ୍ଭୁ ସୀମାରେ ଡେରା ପକାଇଥିଲେ । ସେମାନଙ୍କୁ ଦିଲ୍ଲୀ ଆସିବାକୁ ଅନୁମତି ଦିଆଯାଇନଥିଲା । ସେଠାରେ କୃଷକ ନେତା ଜଗଜିତ୍ ସିଂ ଦଲେୱାଲ ୪ ମାସରୁ ଅଧିକ ସମୟ ଧରି ଅନଶନ କରିଥିଲେ । କେନ୍ଦ୍ର ସରକାରଙ୍କ ଆଲୋଚନା ହୋଇଥିଲେ ସୁଦ୍ଧା ସର୍ବନିମ୍ନ ସହାୟକର ଗ୍ୟାରେଷ୍ଟି ନେଇ କିଛି ସ୍ପଷ୍ଟ ହୋଇପାରିନଥିଲା । ଖନୌରୀ ସୀମାରେ ମଧ୍ୟ ବହୁ ସଂଖ୍ୟକ ଚାଷୀ ଡେରା ପକାଇଥିଲେ । ମାମଲାରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଜଗଜିତ୍ ସିଂ ଦଲେୱାଲଙ୍କୁ ପ୍ରଶଂସା କରିଥିଲେ ଏବଂ ତାଙ୍କୁ ଜଣେ ପ୍ରକୃତ ଚାଷୀ ବୋଲି କହିଥିଲେ ।