ମାଲକାନଗିରି, ୨୫/୮ (ଆପ୍ର ). ଜିଲ୍ଲାରେ ୟୁରିଆ ସାରର ଅଭାବ ଓ କଳାବଜାରକୁ ନେଇ ତାତିଲେ ଚାଷୀ। ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସୋମବାର ମାଲକାନଗିରି ବ୍ଲକସ୍ଥ ଶିଖପାଲି ଛକ ରେ ଚାଷୀ ରାସ୍ତାରୋକ କରିଛନ୍ତି। ମାଲକାନଗିରି ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥରେ ଦୀର୍ଘ ୫ଘଣ୍ଟା ରୁ ଉର୍ଦ୍ଧ ଯାନବାହାନ ଚଳାଚଳ ବନ୍ଦ ହୋଇଥିଲା। ବୁଝାସୁଝା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ନବ ନିର୍ମାଣ କୃଷକ ସଂଗଠନର ସଭାପତି ଏରା ମାଡକାମୀଙ୍କ ନେତୃତ୍ୱରେ ଶିଖପାଲି ଲ୍ୟାମ୍ପସର ସଭାପତି ଅରକ୍ଷିତ ନାୟକ, ଡ଼ାଇରେକ୍ଟର ନୃସିଂହ ଚରଣ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ମୁକା ମାଡକାମୀ, ସୋମା ମାଡକାମୀ, ମଟାପେକା ସରପଞ୍ଚ ବିନାୟକ ମାଡକାମୀ, ଦେଵା ମୁଚାକି, ସମ୍ବରୁ ମାଡକାମୀ ପ୍ରମୁଖଙ୍କ ସହିତ ଶିଖପାଲୀ, ଗୋରାଖୁଣ୍ଟା, ତଣ୍ଡାପାଲି, ମାଟାପେକା, ବଦଲି, ମାନ୍ଦା ପାଲୀ, ଚାଲାଣଗୁଡା,ତଣ୍ଡିକି ୮ ଟି ପଞ୍ଚାୟତର ମହିଳା ଓ ପୁରୁଷ ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ।
ୟୁରିଆ ସାରର ଅଭାବ ଓ କଳାବଜାର ପ୍ରତିବାଦରେ ମାଲକାନଗିରି ମୋଟୁ ୩୨୬ନମ୍ବର ଜାତୀୟ ରାଜପଥ ଶିଖପାଲି ଛକ ଠାରେ ରାସ୍ତା ରୋକ କରିଥିଲେ। ଯାହା ଫଳରେ ମାଲକାନଗିରି କାଲିମେଳା, ମୋଟୁକୁ ଯାନବାହାନ ଚଲାଚଳ ବନ୍ଦ ହୋଇ ରାସ୍ତାର ଉଭୟ ପାର୍ଶ୍ଵ ରେ ଶତାଧିକ ଗାଡି ଅଟକି ରହିଥିଲା । ଘଟଣା ସ୍ଥଳରେ ମାଲକାନଗିରି ତହସିଲଦାର ବିଶ୍ୱ ରଞ୍ଜନ ବିଶ୍ୱାସ, ଥାନା ଅଧିକାରୀ ରିଗାନ କିଣ୍ଡୋ ଓ ଅନ୍ୟାନ ଅଧିକାରୀ ପହଁଚି ଚାଷୀ ମାନଙ୍କୁ ବୁଝାସୁଝା କରିଥିଲେ। ଆସନ୍ତା ୧୦ ଦିନ ମଧ୍ୟରେ ସାର ସମସ୍ୟାକୁ ଦୂର କରାଯିବ ସମସ୍ତ ଚାଷୀଙ୍କୁ ସାର ମିଳିବ ବୋଲି ପ୍ରତିଶ୍ରୁତି ଦେଵା ପରେ ରାସ୍ତା ରୋକ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ରାସ୍ତା ର ଦୁଇ ପାର୍ଶ୍ଵ ରେ ଅଟକି ରହିଥିବା ଯାନ ବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା।
ଚଳିତ ବର୍ଷ ଖରିଫ ଚାଷ ପାଇଁ ସାରର ଅଭାବ ସହ କଳା ବଜାର ହେଉଥିବାର ଅଭିଯୋଗ ହେଉଛି। ମାଲକାନଗିରି ଜିଲ୍ଲାର ମାଲକାନଗିରି, କାଲିମେଳା, ପଡିଆ, ମାଥିଲି, କୋରକୁଣ୍ଡା, ଚିତ୍ରକୋଣ୍ଡା, ଖଇରପୁଟ ସାତଟି ବ୍ଲକ ଅଞ୍ଚଳରେ ୟୁରିଆ ସାରର ଘୋର ଅଭାବ ଦେଖା ଦେଇଥିବାରୁ ଚାଷୀ ମାନେ ହତାଶ ହୋଇ ପଡିଛନ୍ତି। ପ୍ରତିଦିନ ବିଭିନ୍ନ ଲ୍ୟାମ୍ପସ ଓ ସାର ଦୋକାନ ସମ୍ମୁଖରେ ସହ ସହ ଚାଷୀ ସାର ପାଇଁ ଖରା ବର୍ଷା ରେ ଲମ୍ବା ଲାଇନ ରେ ଛିଡା ହୋଇ ଥିବାର ଦେଖିବାକୁ ମିଳୁଛି।