କୋଲାବିରା, ୧୯।୨: ସମ୍ପୂର୍ଣ୍ଣ ଟାର୍ଗେଟ୍ ଦାବିରେ ସମାସିଂହାରେ ରାସ୍ତା ଅବରୋଧ କଲେ ଚାଷୀ । ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ସମାସିଂହା ଓ ସୋଡ଼ାମାଳ ସମବାୟ ସମିତି ଅଧିନସ୍ଥ ଚାଷୀଙ୍କ ପକ୍ଷରୁ ଧାନ ବିକ୍ରୟ ପାଇଁ ସଂପୂର୍ଣ୍ଣ ଟାର୍ଗେଟ୍ ଦାବିରେ ଗୁରୁବାର ସକାଳ ୯ଟାରୁ ସମାସିଂହାରେ ରାସ୍ତା ଅବରୋଧ କରି ଆନ୍ଦୋଳନ ଚାଲିଛି l ଧାନ ଗାଡ଼ି ରାସ୍ତା ଉପରେ ରଖି ଆନ୍ଦୋଳନ ଚାଲିଥିବାରୁ ସମାସିଂହାରୁ ସମ୍ବଲପୁର ରାସ୍ତାରେ ଭାରିଯାନ ଚଳାଚଳ ବାଧାପ୍ରାପ୍ତ ହୋଇଛି l ସୂଚନାନୁଯାୟୀ, ଟାର୍ଗେଟ୍ ଅଭାବରୁ ଚଳିତ ମାସ ୧୩ ତାରିଖରୁ ଧାନ କ୍ରୟ ବନ୍ଦ ରହିଛି l ଏନେଇ ସମାସିଂହା ଓ ସୋଡାମାଳ ସମବାୟ ସମିତିର ଚାଷୀମାନେ ନୂତନ ଓ ସମ୍ପୂର୍ଣ୍ଣ ଟାର୍ଗେଟ୍ ପ୍ରଦାନ ପାଇଁ ବୁଧବାର ପୂର୍ବାହ୍ନରେ ଏକ ଦାବିପତ୍ର କୋଲାବିରା ତହସିଲଦାରଙ୍କୁ ପ୍ରଦାନ କରିଥିଲେ l ଏଥିରେ ସମାସିଂହା ସମିତି ପାଇଁ ୨୨୧୪ କ୍ଵିଣ୍ଟାଲ ଓ ସୋଡ଼ାମାଳ ସମିତି ପାଇଁ ୩୫୦୦ କ୍ଵିଣ୍ଟାଲର ଟାର୍ଗେଟ୍ ଦରକାର ବୋଲି ଉଲ୍ଲେଖ କରାଯାଇଥିଲା l

ଏହା ବି ପଢ଼ନ୍ତୁ... ଅର୍ଥନୈତିକ ସର୍ଭେ ରିପୋର୍ଟରେ ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ, ୨୦୨୫ ସୁଦ୍ଧା ୧୬.୪୨ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି

ଏଥିସହ ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ନୂତନ ଓ ସମ୍ପୂର୍ଣ୍ଣ ଟାର୍ଗେଟ୍ ପ୍ରଦାନ କରା ନ ଗଲେ ୧୯ ତାରିଖ ସକାଳୁ ଚାଷୀମାନେ ସମାସିଂହାରେ ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦିଆଯାଇଥିଲା l ତେବେ ମିଳିଥିବା ସୂଚନା ଅନୁଯାୟୀ, ବୁଧୁବାର ସନ୍ଧ୍ୟାରେ ଉଭୟ ସମିତିକୁ ୮୦୦ କ୍ଵିଣ୍ଟାଲ ଲେଖାଏଁ ଟାର୍ଗେଟ୍ ଦିଆଯାଇଥିଲା l ତେବେ ଚାଷୀଙ୍କ ଦାବି ଅନୁଯାୟୀ ସମ୍ପୂର୍ଣ୍ଣ ଟାର୍ଗେଟ୍ ଦିଆଯାଇନଥିବାରୁ ଚାଷୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଥିଲା l ଫଳରେ ସମ୍ପୂର୍ଣ୍ଣ ଟାର୍ଗେଟ୍ ଦାବିରେ ସମାସିଂହା ପଞ୍ଚାୟତ ଶିବଶକ୍ତି କୃଷକ ସଂଘ ଓ ଚାଷୀଙ୍କ ପକ୍ଷରୁ ସମାସିଂହା ଟ୍ରାନ୍ସଫର୍ମା ଛକରେ ରାସ୍ତା ଉପରେ ଧାନ ବସ୍ତା ରଖି ଆନ୍ଦୋଳନ ଆରମ୍ଭ ହୋଇଥିଲା l ଫଳରେ ସମାସିଂହା-ସମ୍ବଲପୁର ରାସ୍ତାରେ ଭାରିଯାନ ଚଳାଚଳ ବନ୍ଦ ରହିଥିଲା l କୃଷକ ସଂଘର ସଭାପତି ଚେତାନନ୍ଦ ପଟେଲ, ପୂର୍ବତନ ସରପଞ୍ଚ ତୁଲାରାମ ସେନାପତି, ପୂର୍ବତନ ସରପଞ୍ଚ ହେମନ୍ତ ସାହୁ, ଗୌତମ ନାଏକ, ତୁଲେଶ୍ୱର୍ ପଟେଲ, କେଦାର ଚଦ୍ର ପଟେଲ,ପ୍ରମୁଖ ଙ୍କ ସହ ଶତାଧିକ ଚାଷୀ ଆନ୍ଦୋଳନ ରେ ସାମିଲ ହୋଇଥିଲେ l ତହସିଲଦାର ମନୋଜ କୁଜୁର ଆନ୍ଦୋଳନସ୍ଥଳରେ ପହଁଞ୍ଚି ଚାଷୀମାନଙ୍କ ସହ ଆନ୍ଦୋଳନ ଜାରି ରଖିଛନ୍ତି l ତେବେ ସମ୍ପୂର୍ଣ୍ଣ ଟାର୍ଗେଟ୍ ନ ଆସିବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ଚାଷୀମାନେ ରୋକଠୋକ୍ ଶୁଣାଇଥିବା ସୂଚନା ମିଳିଛି l