କୋକସରା,୧୧/୦୨ : କୋକସରା ବ୍ଲକରେ ଚାଷୀଙ୍କ ଖରିଫ ମଣ୍ଡିରେ ଧାନ ବିକ୍ରି ପରେ ମଧ୍ୟ ଚାଷୀଙ୍କ ସମସ୍ୟାରେ ଲାଘବ ହେଉନାହିଁ। ପ୍ରଥମେ ମଣ୍ଡିରେ ଧାନ ବିକ୍ରି କରିବାକୁ ଦିନରାତି ଟୋକନ,ଟାର୍ଗେଟ ସହ ବିଭିନ୍ନ ସମସ୍ୟା । ଧାନ ବିକ୍ରି ପରେ ମଧ୍ୟ ଧାନ ବିକ୍ରିର ପ୍ରାପ୍ୟ ପାଇବାକୁ ବ୍ୟାଙ୍କ ଆଗରେ ଦିନ ଦିନ ଧରି ଲମ୍ବା ଲାଇନରେ ରହିଥିବା ଦେଖିବାକୁ ମିଳୁଛି। କୋକସରା,ଲଡୁଗାଁ ଓ ଆମପାଣି ଶାଖାରେ ଚାଷୀମାନେ ନିଜର ଧାନ ବିକ୍ରି ପ୍ରାପ୍ୟ ଉଠାଣ ପାଇଁ କୋକସରା ବ୍ଲକରେ ଥିବା ଷ୍ଟେଟ ବ୍ୟାଙ୍କ ସାମ୍ନାରେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଛନ୍ତି।

ଚଳିତ ବର୍ଷ ଠାରୁ ଚାଷୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ଡିବିଟି ସିଷ୍ଟମ ଲାଗୁ ହୋଇଛି। ଅନେକ ଚାଷୀ ଜମାଖାତା ସହ ଡିବିଟିର ସଂଯୋଗୀକରଣ ବାବଦରେ ଅଜ୍ଞ ରହିଥିଲେ। ତେବେ ଅର୍ଦ୍ଧାଧିକ ଚାଷୀଙ୍କ ଡିବିଟିର ସଂଯୋଗୀକରଣ ଷ୍ଟେଟ ବ୍ୟାଙ୍କ ସହ ରହିଥିବା ବେଳେ ଧାନ ବିକ୍ରି ପରେ ଚାଷୀଙ୍କ ବ୍ୟାଙ୍କରେ ଥିବା ଜମାଖାତା ରେ ଧାନ ବିକ୍ରି ଟଙ୍କା ଜମା ହୋଇଛି। ତେବେ ଚାଷୀଙ୍କ ଟଙ୍କା ଉଠାଣ ଅନୁଯାୟୀ ବ୍ୟାଙ୍କରେ ଟଙ୍କାର ଅଭାବ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ। କୋକସରା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ପ୍ରତିଦିନ ସକାଳୁ ଚାଷୀଙ୍କ ପ୍ରବଳ ଭିଡ ପରିଲକ୍ଷିତ ହେଉଛି। ଚାଷୀମାନେ ଧାନ ବିକ୍ରି କରିଥିବାରୁ ଚାଷୀଙ୍କ ଜମାଖାତା କୁ ଟଙ୍କା ଆସୁଛି |କିନ୍ତୁ ସେହି ପରିମାଣରେ ବ୍ୟାଙ୍କକୁ ଟଙ୍କା ଆସି ପାରୁନାହିଁ । ସେଥି ପାଇଁ ଲୋକେ ଟଙ୍କା ଉଠାଇ ପାରୁ ନାହାନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି |

ଏନେଇ ବୁଧବାର ବିଜେଡି ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର ନାଏକ ସମେତ କିଛି ଚାଷୀମାନେ ଅଭିଯୋଗ କରିବା ପରେ ଗଣମାଧ୍ୟମ ପ୍ରତିନିଧି ବ୍ୟାଙ୍କ କୁ ଯାଇ ଶାଖା ପରିଚାଳକଙ୍କୁ ଭେଟି ଚାଷୀଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ। ଅନ୍ୟପଟେ ଷ୍ଟେଟ ବ୍ୟାଙ୍କର ଏଟିଏମରେ ମଧ୍ୟ ଟଙ୍କା ରହୁନାହିଁ,କେତେବେଳେ କିଛି ସମୟ ପାଇଁ ଟଙ୍କା ରହୁଛି ତ ଅନ୍ୟ ସମୟରେ ଏଟିଏମରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି । ତେବେ କୋକସରା ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ପ୍ରଦୀପ କୁମାର କହର ଅଭିଯୋଗକୁ ସ୍ୱୀକାର କରିଛନ୍ତି। ବ୍ୟାଙ୍କକୁ ଆବଶ୍ୟକ ମୁତାବକ ଟଙ୍କା ଆସୁନଥିବାରୁ ଚାଷୀମାନେ ଟଙ୍କା ପାଇ ପାରୁନାହାନ୍ତି | ବ୍ୟାଙ୍କ ପକ୍ଷରୁ ଆମେ ଅଧିକ ଟଙ୍କା ଯୋଗାଇ ଦେବାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଉଛୁ, ହେଲେ ଆବଶ୍ୟକ ଅନୁସାରେ ଟଙ୍କା ଆସୁନାହିଁ। ଏଣୁ ଚାଷୀଙ୍କୁ ଟଙ୍କା ଦେବାରେ କିଛି ଅସୁବିଧା ହେଉଥିବା କହିଛନ୍ତି।