ଝରିଗାଁ, ୨୨।୧୨ (ଆ.ପ୍ର) : ମକା, ଧାନ ଅଭାବି ବିକ୍ରି ତଥା ସାର ଓ ବିଜୁଳି ଦରବୃଦ୍ଧି ସାଙ୍ଗକୁ ମକା ମଣ୍ଡି ବ୍ୟବସ୍ଥା ନ କରିବା ପ୍ରତିବାଦରେ ଚାଷୀ ମହାସଂଘ ସୋମବାର ରାଜରାସ୍ତାକୁ ଓହ୍ଲାଇଛି । ଝରିଗାଁ ବ୍ଲକ ଚାଷୀ ସଂଘର ବରିଷ୍ଠ ଚାଷୀ ନେତୃବର୍ଗ ଏବଂ ସର୍ବଦଳୀୟ ନେତୃବୃନ୍ଦଙ୍କ ଆହ୍ଵାନ କ୍ରମେ ବ୍ଲକର ଶତାଧିକ ଚାଷୀ ଝରିଗାଁ ତ୍ରିକୋଣ ଛକ ନିକଟରେ ଆନ୍ଦୋଳନ ଜାରି ରହିଛି। ମକା, ଧାନ ରାସ୍ତାରେ ଢ଼ାଳି ପ୍ରତିବାଦ  କରିଛନ୍ତି। ଶତାଧିକ ଚାଷୀ ଟ୍ରାକ୍ଟର ରାସ୍ତାରେ ଆଣି ଛିଡା କରିଛନ୍ତି। ଯାହା ଫଳରେ ଯାତାୟତରେ ଅସୁବିଧା ହେଉଛି। ଅତି ଶୀଘ୍ର ସରକାର ଓ ପ୍ରଶାସନ ଚାଷୀର ନ୍ୟାର୍ଯ୍ୟ ଦାବି ପୂରଣ ନ କଲେ ଆନ୍ଦୋଳନ ବ୍ୟାପକ ହେବା ସହ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରି ରହିବ ବୋଲି ଚାଷୀ ସଂଘ ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନରେ ରାଜ୍ୟ,ଜିଲ୍ଲା ଓ ବ୍ଲକ ସ୍ତରୀୟ ରାଜନେତା ଆନ୍ଦୋଳନକୁ ସମର୍ଥନ କରିବା ସହ ଏହି ଚାଷୀର ହକ ପାଇଁ ଲଢେଇ ଜୋରଦାର ହେବ ବୋଲି ଚାଷୀକୁଳଙ୍କୁ ଆହ୍ଵାନ ଦେଇଛନ୍ତି।

​​​​​​​

 ପୂର୍ବତନ ଲୋକସଭା ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରି, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଜିଲ୍ଲା ପରିଷଦ ସଭ୍ୟା ତଥା ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷା ଡ଼ ଲିପିକା ମାଝୀ, କଂଗ୍ରେସ ନେତ୍ରୀ ହାରାବତୀ ଗଣ୍ଡ , ଡ଼ାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ବରିଷ୍ଠ କୃଷକ ନେତା ଯୋଗେଶ୍ୱର ପୂଜାରୀ,ତମ୍ବୁଡ଼ାସ ପନକା,ଉଦୟ ନାୟକ, ଅଶୋକ କୁମାର ମୂର୍ତ୍ତି, ପ୍ରେମା ପାଣ୍ଡେ,ପ୍ରଫୁଲ୍ଲ ପାଣ୍ଡେ, ହଳଧର ବଞ୍ଜାରା ପ୍ରମୁଖ ବହୁ ନେତୃବୃନ୍ଦ ଏହି ଆନ୍ଦୋଳନ କୁ ସମର୍ଥନ କରି ସାମିଲ ହୋଇଛନ୍ତି। ଆନ୍ଦୋଳନ ପ୍ରତ୍ୟାହୃତ କରିବାକୁ ସ୍ଥାନୀୟ ତହସିଲଦାର ସୁମନ୍ତ କୁମାର ପାତ୍ର ଓ ଅତିରିକ୍ତ ତହସିଲଦାର ଅହଲ୍ୟା ମୁଦୁଲି ପ୍ରଶାସନ ପକ୍ଷରୁ ଚାଷୀ ସଂଘ କୁ ବୁଝାଇବାକୁ ଆସିଥିଲେ। ଚାଷୀ ସଂଘ ଏହାକୁ ପ୍ରତ୍ୟାଖାନ କରି ଜିଲ୍ଲାପାଳ ଏବଂ ବିଭାଗୀୟ ମନ୍ତ୍ରୀ ଆଲୋଚନା ପାଇଁ ଆସିବା ଦରକାର ବୋଲି ଚାଷୀ ସଂଘ ଚେତାବନୀ ଦେଇଛନ୍ତି । ଫଳରେ କୌଣସି ନିଷ୍କର୍ଷ ବାହାରି ପାରି ନାହିଁ।