ନୂଆଦିଲ୍ଲୀ,୧୧/୧୨: ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନ ଜାରି ରଖିଥିବା ଚ଼ାଷୀମାନେ ଆଜି ଶମ୍ଭୁ ବର୍ଡରରେ ପାଳନ କରିବେ  ପ୍ରାର୍ଥନା ଦିବସ । ଯାହାକୁ ନେଇ ସୂଚନା ଦେଇଛନ୍ତି କୃଷକ ନେତା ଶରୱନ ସିଂହ ପନ୍ଧେର । ସେ କହିଛନ୍ତି ଯେ,  ଆଜି ଆମେ ପ୍ରାର୍ଥନା ଦିବସ ପାଳନ କରିବୁ। ଚାଷୀ ଆନ୍ଦୋଳନର ସଫଳତା ପାଇଁ ସାରା ଦେଶବାସୀ ପ୍ରାର୍ଥନା କରନ୍ତୁ ।  ଆସନ୍ତା ୧୪ ତାରିଖରେ ପୁଣି ୧୦୧ ଚାଷୀ ଦିଲ୍ଲୀ ଅଭିମୁଖେ ଦିଲ୍ଲୀ ଚଲୋ ଅଭିଯାନରେ ବାହାରିବେ। ଶମ୍ଭୁ ବର୍ଡରରୁ ଏହି ଯାତ୍ରା ଆରମ୍ଭ ହେବ। ବହୁ ଦିନ ହେଲା ହରିୟାଣା ଓ ପଂଜାବର ଚାଷୀମାନେ ଶମ୍ଭୁ ବର୍ଡରରେ ଧାରଣା ଦେଇଛନ୍ତି। ଏମଏସପି ପାଇଁ ଆଇନଗତ ଗ୍ଯାରେଣ୍ଟି ସହିତ ୧୦ ଦଫା ଦାବିରେ ସେମାନେ ଚଳାଇଛନ୍ତି ଆନ୍ଦୋଳନ। କିଛି ଦିନ ତଳେ ଦିଲ୍ଲୀ ଚଲୋ ଯାତ୍ରା ହେବାର ଥିଲା। କିନ୍ତୁ ତାକୁ ୧୪ ତାରିଖ ଯାଏ ସ୍ଥଗିତ ରଖାଯାଇଛି। 

ହରିୟାଣା ପୋଲିସ ସେମାନଙ୍କ ଉପରେ ଲୁହ ବୁହା ଗ୍ୟାସ୍ ଓ ରବର୍ ବୁଲେଟ ପ୍ରୟୋଗ କରିବାକୁ ଅନେକ ଆନ୍ଦୋଳନକାରୀ ଆହତ ହୋଇଥିଲେ। ଏହାକୁ ନେଇ ଦେଖା ଦେଇଥିଲା ଉତ୍ତେଜନା। ତେଣୁ ଦିଲ୍ଲୀ ଚଲୋ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା। ଗତ ସୋମବାର ପ୍ରଧାନମନ୍ତ୍ରୀ ମୋଦି ହରିୟାଣା ଗସ୍ତରେ ଯାଇଥିଲେ। କିନ୍ତୁ ଚାଷୀ ଆନ୍ଦୋଳନ ସଂପର୍କରେ କିଛି କହିନଥିଲେ। ତେଣୁ କେନ୍ଦ୍ର ସରକାକୁ କଡ଼ା ସମାଲୋଚନା କରିଛନ୍ତି ପାନ୍ଧେର। ଚାଷୀଙ୍କ ପାଇଁ କେହି କିଛି କରୁନଥିବାର ସେ କହିଛନ୍ତି । ସେପଟେ  ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନି ଏମଏସପି ପ୍ରସଙ୍ଗରେ କଂଗ୍ରେସ ଏବଂ ବିରୋଧୀ ଦଳକୁ ନିନ୍ଦା କରିଛନ୍ତି। କଂଗ୍ରେସର କୃଷକମାନଙ୍କୁ ସମର୍ଥନ ଦାବି ଏବଂ କୃଷକମାନଙ୍କୁ ଏମଏସପି ଦେବାର ପ୍ରତିଶ୍ରୁତି ଦେଇ ସିଏମ ସାଇନି କହିଛନ୍ତି ଯେ ହିମାଚଳ ଓ ତେଲେଙ୍ଗାନାର କଂଗ୍ରେସ ସରକାର ଏମଏସପିରେ ଫସଲ କିଣିବାରେ ବିଫଳ ହୋଇଛନ୍ତି ବୋଲି କହିଛନ୍ତି ।