ଆଠମଲ୍ଲିକ,୪/୯ : ଆଠମଲ୍ଲିକ କଇଁତ୍ରାଗଡ ସେବା ସମବାୟ ସମିତିରେ ଚଳିତ ବର୍ଷ ସାର ଯୋଗାଣକୁ ନେଇ ଚାଷୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ପାଖ ସମିତି ଗୁଡ଼ିକରେ ଚାଷୀମାନଙ୍କୁ ସାର ଯୋଗାଣ କେବେଠାରୁ ହୋଇ ଚାଲିଥିବାବେଳେ କଇଁତ୍ରାଗଡ ସମିତିରୁ ଏହି ସୁବିଧା ଚାଷୀମାନଙ୍କୁ ମିଳି ପାରି ନାହିଁ । ଗୁରୁବାର ଶତାଧିକ ଚାଷୀ ୟୁରିଆ ସାର ନେବା ପାଇଁ ସମିତିରେ ପହଞ୍ଚି ନିରାଶ ହେବାରୁ ସମସ୍ତ ଚାଷୀ ଉପ ଜିଲ୍ଲାପାଳ ଉପେନ୍ଦ୍ର ଲୁହାଙ୍କ ପାଖରେ ପହଞ୍ଚିଥିଲେ ।

ସୂଚନାଯୋଗ୍ୟ ଯେ, କଇଁତ୍ରାଗଡ ସମିତିରୁ ଚାଷୀଙ୍କୁ ସାର ମିଳୁ ନ ଥିବାରୁ ଗତ ସୋମବାର ଆଠମଲ୍ଲିକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଚାଷୀମାନେ ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ । ଯଥାଶୀଘ୍ର କଇଁତ୍ରାଗଡ ଚାଷୀମାନଙ୍କୁ ସାର ଯୋଗାଣର ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଜିଲ୍ଲା ନିବନ୍ଧକ ସମବାୟ ସମିତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଗତକାଲି କଇଁତ୍ରାଗଡ ସମିତିକୁ ୨୨୧ବସ୍ତା ୟୁରିଆ ସାର ଯୋଗାଣ ହୋଇଥିଲା । ଉକ୍ତ ସାରକୁ ନେବା ପାଇଁ ଆଜି ପ୍ରାୟ ୩୦୦ଶହରୁ ଊର୍ଦ୍ଧ୍ବ ଲୋକ ସମିତିରେ ପହଞ୍ଚିଥିଲେ। ଲୋକ ତୁଳନାରେ ସାର ବସ୍ତା କମ୍ ଥିବାରୁ ସାର ଆଜି ବଣ୍ଟନ କରି ହେବ ନାହିଁ ବୋଲି ସମିତିର ସଂପାଦକ କହିବାରୁ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଯାଇଥିଲା । ଉତ୍ତେଜିତ ଚାଷୀମାନେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରୁଣ୍ଡ ହୋଇ ଧାରଣାରେ ବସିଥିଲେ। ତେବେ କଇଁତ୍ରାଗଡ ସମବାୟ ସମିତିରେ ସାର ଯୋଗାଣକୁ ନେଇ ଆଠମଲ୍ଲିକରେ କାର୍ଯ୍ୟରତ ସହକାରୀ ନିବନ୍ଧକ ସେବା ସମବାୟ ସମିତି ସାରଦା ପ୍ରସାଦ ମିଶ୍ରଙ୍କ ଭୂମିକାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।

ପାଖ ସମିତି ଯଥା ଅଏଡା, ପୁରୁଣା ମାଣତ୍ରୀ, ଲିପିଲୋଇ ପ୍ରଭୃତି ସମବାୟ ସମିତିରେ କେବେଠାରୁ ସାର ଯୋଗାଣ ହୋଇ ସାରିଲାଣି। ତେବେ କେଉଁ କାରଣରୁ କଇଁତ୍ରାଗଡ ସେବା ସମବାୟ ସମିତିକୁ ସାର ଯୋଗାଣ ହେଲା ନାହିଁ । ଏ କ୍ଷେତ୍ରରେ ସହକାରୀ ନିବନ୍ଧକ କ’ଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ ଉଠୁଛି । ସୂଚନାଯୋଗ୍ୟ ଯେ, ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ସବୁଦିନେ ତାଲା ଝୁଲୁଥିବାର ଦେଖାଯାଏ। ସହକାରୀ ନିବନ୍ଧକଙ୍କୁ ଦେଖିବାକୁ ଚାଷୀ ପାଆନ୍ତି ନାହିଁ । ଫୋନ୍ କଲେ ସାରଦା ମିଶ୍ର ଫୋନ ଉଠାନ୍ତି ନାହିଁ । ପ୍ରତ୍ୟେକ ମାସରେ ସରକାରଙ୍କଠାରୁ ଦରମା ନିଅନ୍ତି । ଏଣୁ ଏହିପରି ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଇଁତ୍ରାଗଡ ଚାଷୀମାନେ ଦାବି କରିଛନ୍ତି।