ନୂଆଦିଲ୍ଲୀ ୧୮/୧୧: ‘ଗ୍ରୋ’ର ସହ-ପ୍ରତିଷ୍ଠାତା ଓ ସିଇଓ ଲଲିତ କେଶରେ କମ୍ପାନିର ଆଇପିଓ ପରେ ଭାରତର ଅରବପତି ତାଲିକାରେ ସ୍ଥାନ ପାଇଛନ୍ତି । ଗତ ୧୨ ତାରିଖରେ ତାଲିକାଭୁକ୍ତ ଗ୍ରୋର ଶେୟାର ୪ ଦିନରେ ଇସ୍ୟୁ ପ୍ରାଇସ୍ରୁ ୭୦ ପ୍ରତିଶତରୁ ଅଧିକ ବଢ଼ିଲା ଏବଂ ସୋମବାର ୧୭୪ ଟଙ୍କାରେ ବନ୍ଦ ହେଲା । ଏହି ବୃଦ୍ଧି ସହିତ ଲଲିତଙ୍କ ୯.୦୬ ପ୍ରତିଶତ ଷ୍ଟକ୍ ଏବେ ୯,୪୪୮ କୋଟିର ହୋଇଛି, ଯାହା ପ୍ରାୟ ୧.୧୩ ବିଲିଅନ ଡଲାର ପାଖାପାଖି । ମଧ୍ୟପ୍ରଦେଶର ଏକ ଛୋଟ ଗାଁରୁ ଲଲିତଙ୍କର ଏହି ଯାତ୍ରା ଷ୍ଟାର୍ଟଅପ୍ ଜଗତରେ ଏକ ନୂଆ ପ୍ରେରଣା ହୋଇଛି ।

ଖରଗୋନ ଜିଲ୍ଲାର ଲେପା ଗାଁରେ ଏକ ଚାଷୀ ପରିବାରରେ ଲଲିତ ଜନ୍ମଗ୍ରହଣ କରିଥିଲେ । ବାପା ଚାଷ ଜରିଆରେ ପରିବାର ପ୍ରତିପାଳନ କରୁଥିଲେ । ଲଲିତଙ୍କୁ ଜେଜେଜେଜେମା’ ପାଳିଥିଲେ । ଖରଗୋନର ଏକମାତ୍ର ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ସେ ଅଧ୍ୟୟନ କରିଥିଲେ । ଏହା ପରେ ଜେଇଇରେ ଉତ୍ତୀର୍ଣ୍ଣ ହୋଇ ଆଇଆଇଟି ବମ୍ବେ ପହଞ୍ଚିଲେ । ସେଠାରେ ଟେକ୍ନୋଲୋଜିରେ ବ୍ୟାଚଲର ଓ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲେ ।

ଫ୍ଲିପକାର୍ଟରୁ ତାଙ୍କ କ୍ୟାରିଅର ଆରମ୍ଭ ହେଲା । ସେଠାରେ ସେ ପ୍ରଡକ୍ଟ ମ୍ୟାନେଜର ଥିଲେ । ୨୦୧୬ରେ ଫ୍ଲିପକାର୍ଟ ଛାଡ଼ି ଗ୍ରୋ ଆରମ୍ଭ କଲେ । ହର୍ଷ ଜୈନ, ଇଶାନ ବଂସଲ ଓ ନୀରଜ ତାଙ୍କ ସହ ଯୋଗଦେଲେ । ଏହି ଆପ୍ ଲକ୍ଷାଧିକ ଲୋକଙ୍କୁ ଷ୍ଟକ୍ ମାର୍କେଟ୍ ସହିତ ଯୋଡ଼ିଛି । ଗ୍ରୋର ଆଇପିଓ ଗତ ୧୨ ତାରିଖରେ ବିଏସ୍ଇ ଓ ଏନ୍ଏସ୍ଇରେ ତାଲିକାଭୁକ୍ତ ହୋଇଥିଲା । ଏହାର ଇସ୍ୟୁ ପ୍ରାଇସ୍ ୧୦୦ ଟଙ୍କା ରଖଯାଇଥିଲା । ଲିଷ୍ଟିଂ ପରେ କମ୍ପାନିର ଶେୟାର ୭୦ ପ୍ରତିଶତ ବଢ଼ିଗଲା । ଏବେ ଶେୟାର ପିଛା ୧୭୪ ଟଙ୍କାରେ ଟ୍ରେଡ୍ ହେଉଛି, ଯାହା ସଦ୍ୟ ଆଇପିଓରେ ସର୍ବୋତ୍କୃଷ୍ଟ ଡେବ୍ୟୁ । ଏଥିସହିତ କମ୍ପାନିର ମୋଟାମୋଟି ବଜାର ମୂଲ୍ୟ ପ୍ରତିଷ୍ଠାତାଙ୍କ ହୋଲ୍ଡିଂସଠୁ ୨୬,୦୦୦ କୋଟିରୁ ଅଧିକ ହୋଇଛି ।