ଆସ୍କା, ୦୧/୦୯ : ରାଜ୍ୟରେ ସାର ଅଭାବ ଏବେ କୃଷକଙ୍କ ପାଇଁ ପାଲଟିଛି ମୁଣ୍ଡବିନ୍ଧାର କାରଣ। ୟୁରିଆ ପିଡିଆ ବସ୍ତାଏ ପାଇଁ ଘଣ୍ଟା ଘଣ୍ଟା ଧରି ଲମ୍ଵା ଲାଇନ୍‌ରେ ଠିଆ ହେବାକୁ ପଡ଼ୁଛି । ଗଞ୍ଜାମ ଜିଲ୍ଲା ଆସିକା ବସଷ୍ଟାଣ୍ଡ୍ ସ୍ଥିତ ବହୁମୁଖୀ ସମବାୟ ସମିତି ଲିଃ କାର୍ଯ୍ୟାଳୟ ଆଗରେ ଲାଗିଛି ଶତାଧିକ ଚାଷୀଙ୍କ ଲମ୍ବା ଲାଇନ୍।  

ଗଞ୍ଜାମ ଜିଲ୍ଲା ଆସିକା ଆଞ୍ଚଳରେ ୟୁରିଆ ସାରର ଘୋର୍ ଅଭାବ ରହିଛି। କୃଷକମାନେ ୟୁରିଆ ବସ୍ତାଏ ପାଇଁ ଚାଷ କାମ ଛାଡ଼ି ଲାଇନ୍‌ରେ ଠିଆ ହେଉଛନ୍ତି । ହେଲେ ଦିନ ୧୨ଟା ପରେ ପିଡିଆ ବସ୍ତାଏ ମିଳୁଛି। ଏବେ ପର୍ଯ୍ୟନ୍ତ ଆସିକା ଅଞ୍ଚଳର କୌଣସି ସୋସାଇଟିକୁ ୟୁରିଆ ଆସିନଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି।

ସରକାରୀ ତଥ୍ୟ କହୁଛି, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ରହିଛି । କୃତ୍ରିମ ଅଭାବ ଦର୍ଶାଇ ଚାଷୀଙ୍କୁ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରି ଭୟଭୀତ କରାଯାଉଛି। ସାର କଳାବଜାର କରୁଥିବା ବ୍ୟବସାୟୀ କିମ୍ବା ଡିଲର୍‌ଙ୍କୁ କ୍ଷମା ନାହିଁ। କଳାବଜାରୀ ଦୋକାନୀ ଧରା ପଡ଼ିଲେ, ଆଉ ସାର ବିକ୍ରି କରିପାରିବେ ନାହିଁ । ସେହି ଦୋକାନକୁ ବନ୍ଦ କରି ଦିଆଯିବ । ସେହିପରି ସାରର କଳାବଜାର କିମ୍ବା ନକଲି ଓ ଅପମିଶ୍ରିତ ସାର ବିକ୍ରି କରୁଥିବା ଡିଲର୍‌ ଧରା ପଡ଼ିଲେ ତାଙ୍କର ଲାଇସେନ୍ସ ବାତିଲ କରାଯିବ । ରାଜ୍ୟ ସରକାର ଏଭଳି ବାର୍ତ୍ତା ଦେଇଛନ୍ତି। ସାର ଖୁଚୁରା ଓ ପାଇକାରୀ ପଏଣ୍ଟଗୁଡ଼ିକରେ ଅଚାନକ ଯାଞ୍ଚ କରାଯାଉଛି । ଏ ପର୍ଯ୍ୟନ୍ତ ୪୫୪୬ଟି ଖୁଚୁରା ଦୋକାନ ଯାଞ୍ଚ କରାଗଲାଣି । ୧୨୦୨ଟି ଖୁଚୁରା ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସେହିଭଳି ୩୦ ବ୍ୟବସାୟୀଙ୍କୁ ବିକ୍ରୟ ବନ୍ଦ ନୋଟିସ ଜାରି କରାଯାଇଛି । ସାର ନିୟନ୍ତ୍ରଣ ଆଦେଶ, ୧୯୮୫ ଉଲ୍ଲଂଘନ ଅଭିଯୋଗରେ ୬୨ଟି ଡିଲର ଲାଇସେନ୍ସକୁ ବାତିଲ କରାଯାଇଛି । ଏହା ବ୍ୟତୀତ, ୬ ଡିଲରଙ୍କ ଷ୍ଟକ୍‌ ମଧ୍ୟ ଜବତ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ପରେ ସାରା ରାଜ୍ୟକୁ ସାର ଯୋଗାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ସତେ ସବୁ ପଦକ୍ଷେପ ସତ୍ତ୍ଵେ ରାଜ୍ୟର ବିବିନ୍ନ ସ୍ଥାନରୁ ସାର ଅଭାବର ଚିତ୍ର ସାମ୍ନାକୁ ଆସୁଛି।