ନୂଆଦିଲ୍ଲୀ,୦୮/୧୨: ପୋଲିସ ସହ ପୁଣି ଧସ୍ତାଧସ୍ତି ପରେ କୃଷକମାନେ ରବିବାର ସେମାନଙ୍କ ବିରୋଧ ସ୍ଥଗିତ ରଖିଛନ୍ତି। ଚାଷୀ ନେତା ପାଢ଼େର୍ କହିଛନ୍ତି ଯେ, ଆହତ ଚାଷୀଙ୍କ ଅବସ୍ଥା ଦେଖିବା ପରେ ସେ ଆସନ୍ତାକାଲି ବିରୋଧ ଜାରି ରଖିବେ କି ନାହିଁ ତାହା ସ୍ଥିର କରିବେ। ଆଜିର ପରିସ୍ଥିତିର ସମୀକ୍ଷା କରିବେ ବୋଲି ସେ କହିଛନ୍ତି। ଏହାପୂର୍ବରୁ ଦିଲ୍ଲୀ ଯାଉଥିବା ୧୦୧ କୃଷକଙ୍କୁ ପୁଲିସମାନେ ଶମ୍ଭୁ ସୀମାରେ ଅଟକାଇଥିଲେ। ଏହି କୃଷକମାନଙ୍କୁ ଦିଲ୍ଲୀ ଅଭିମୁଖେ ଯିବାକୁ ଦିଆଯାଇନଥିଲା। ତେବେ କୃଷକମାନେ ଦିଲ୍ଲୀ ଯିବାକୁ ଜିଦ୍ ଧରିଥିଲେ ଏବଂ ଏହା ପରେ ସେମାନଙ୍କର ପୋଲିସ ସହ ସଂଘର୍ଷ ହୋଇଥିଲା।

ଏହାରି ଭିତରେ ପୋଲିସ ଚାଷୀଙ୍କୁ ମୁକାବିଲା କରିବା ପାଇଁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଏଥିରେ ୪ ଜଣ କୃଷକ ଆହତ ହୋଇଛନ୍ତି। କୃଷକ ସଂଗଠନ ଦ୍ୱାରା ଦିଆଯାଇଥିବା ୧୦୧ କୃଷକଙ୍କ ନାଁ ପାଖରେ ଉପଲବ୍ଧ ଅଛି ବୋଲି କହିଛି ପୋଲିସ। ଅବଶ୍ୟ ଯେଉଁ ଚାଷୀମାନଙ୍କ ତାଲିକା ପୁଲିସ ପାଇଛି, ସେ‌ଥିରେ ବିକ୍ଷୋଭକାରୀଚାଷୀଙ୍କ ନାଁ ନାହିଁ। 

ଏହା ପରେ, ଶମ୍ଭୁ ସୀମାରେ ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହୋଇପଡିଛି। ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ପାଇଁ ଆଇନଗତ ଗ୍ୟାରେଣ୍ଟି ସମେତ ବିଭିନ୍ନ ଦାବି ଉପରେ କେନ୍ଦ୍ର ଉପରେ ଚାପ ପକାଇବା ପାଇଁ ପଞ୍ଜାବ-ହରିୟାଣା ସୀମାରେ ୧୦୧ କୃଷକଙ୍କ ଏକ ଗୋଷ୍ଠୀ ବିରୋଧ କରିଥିଲେ। ରବିବାର ମଧ୍ୟାହ୍ନ ପରେ କୃଷକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ପୁଲିସ କିନ୍ତୁ ସେଠାରେ ଚାଷୀମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ପରିସ୍ଥିତିକୁ ନଜରରେ ରଖି ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। 

ସୂଚନାଥାଉକି, ସେପ୍ଟେମ୍ବର ୨ ରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଏକ ଆବେଦନର ଶୁଣାଣି ବେଳେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ନବାବ ସିଂଙ୍କ ନେତୃତ୍ୱରେ ଏକ ୫ ଜଣିଆ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରିଥିଲେ। କମିଟିକୁ କୃଷକମାନଙ୍କ ସହିତ ଏମଏସପି ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିବାକୁ କୁହାଯାଇଥିଲା। ବ୍ୟାରିକେଡ୍ ହଟାଇବାକୁ ନେଇ ଚାଷୀ ସଗଠନର ଆବେଦନକୁ ନେଇ ଚାଷୀଙ୍କ ସହ କଥାବାର୍ତ୍ତା କରିବାକୁ କୋର୍ଟ ମଧ୍ୟ ଏହି କମିଟିକୁ କହିଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ଚାଷୀଙ୍କୁ ସେମାନଙ୍କ ଆନ୍ଦୋଳନକୁ ରାଜନୀତିକରଣ ନକରିବାକୁ କହିଥିଲେ।