ଭୁବନେଶ୍ବର,୧୫/୧୧ : ମୋବାଇଲ୍ ପାଇଁ ଗଲା ଜୀବନ। ପୁଅ ମୋବାଇଲ୍ ହଜାଇବାରୁ ବାପା କଲେ ଆତ୍ମହତ୍ୟା। ମୋବାଇଲ୍ ପାଇଁ  ଝଗଡ଼ା କରି ଘରୁ ପଳାଇଥିଲେ ବାପା। ଦୁଇଦିନ ପରେ ପାତ୍ରପଡ଼ା ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତ ଦେହ। ପାତ୍ରପଡ଼ାସ୍ଥିତ ଜଙ୍ଗଲ ଭିତରୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ଖଣ୍ଡଗିରି ଥାନା ପୁଲିସ। ମୃତକ ହେଉଛନ୍ତି ରାମଚନ୍ଦ୍ର ବେହେରା (୭୫)। 

ମିଳିଥିବା ସୂଚନା ଅନୁସାରେ, ରାମଚନ୍ଦ୍ରଙ୍କ ଘର ଦଶପଲ୍ଲା ଅଞ୍ଚଳରେ ହୋଇଥିବାବେଳେ ସେ ପତ୍ନୀ ଓ ପୁଅଙ୍କୁ ନେଇ ପାତ୍ରପଡ଼ା ଅଞ୍ଚଳରେ ରହୁଥିଲେ । ପୁଅ ଏକ ମୋବାଇଲ ହଜାଇ ଦେବାରୁ ଏହାକୁ ନେଇ ବାପ ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ରାମଚନ୍ଦ୍ର ରାଗିଯାଇ ଦୁଇ ଦିନ ହେବ ଘରୁ ପଳାଇ ଆସିଥିଲେ। ଶୁକ୍ରବାର ଅପରାହ୍ନ ସମୟରେ ପାତ୍ରପଡ଼ା ମହାରାଜା ପଡ଼ିଆ ନିକଟସ୍ଥ ଜଙ୍ଗଲରେ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ରାମଚନ୍ଦ୍ର ବେକରେ ଗାମୁଛା ଲଗାଇ ଗଛରେ ଝୁଲି ପଡ଼ିଥିଲେ। ମୃତଦେହକୁ ଉଦ୍ଧାର କରି ଏମ୍‌ସର ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ଆସନ୍ତାକାଲି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି।