କ’ଣ ଆପଣଙ୍କୁ ଶୀତଦିନେ ସାରାଦିନ ଅଳସୁଆ ଅନୁଭବ ହେଉଛି କି? ଅବଶ୍ୟ ପ୍ରାୟ ଲୋକ ଏହି ଋତୁରେ ଅଳସୁଆ ଅନୁଭବ କରିଥାନ୍ତି । କିଛି ଲୋକ ରେଜେଇ ବା କମ୍ବଳ ଭିତରୁ ବାହାରିବାକୁ ଇଚ୍ଛା କରି ନଥାନ୍ତି । ଯଦିଓ ବାହାରକୁ ଯିବାକୁ ବାଧ୍ୟ ହୋଇଥାନ୍ତି, ତେବେ ଗରମ ଚା’ କିମ୍ବା ସୁପ୍‌ ପିଇବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । କିନ୍ତୁ କେବେ ଭାବିଛନ୍ତି କି କେବଳ ଶୀତ ଋତୁରେ ଏପରି କାହିଁକି ହୁଏ? ଚାଲନ୍ତୁ ଜାଣିବା ଏହାର କାରଣ ଓ ଦୂର କରିବାର ଉପାୟ । ଶୀତଦିନେ ଅଳସ ଅନୁଭବ ହେବାର ଅନେକ କାରଣ ରହିଛି । ପ୍ରାୟତଃ ଶୀତ ଋତୁରେ ଦିନ ଛୋଟ ଓ ରାତି ବଡ଼ ହୋଇଥାଏ । ଫଳରେ ସୂର୍ଯ୍ୟକିରଣ କମ୍‌ ମିଳିଥାଏ । ଯେପରିକି-
ଭିଟାମିନ୍‌- ଡି’ର ଅଭାବ 
ସୂର୍ଯ୍ୟକିରଣ ଅଭାବରୁ ଶରୀରରକୁ କମ୍‌ ଭିଟାମିନ୍‌-ଡି' ମିଳିଥାଏ । ଭିଟାମିନ୍‌-ଡି’ର ଅଭାବ ଶରୀରକୁ ପ୍ରଭାବିତ କରିଥାଏ । ଏହାଦ୍ୱାରା ହର୍‌ମୋନଜନିତ ଅସନ୍ତୁଳନ ଦେଖିବାକୁ ମିଳିଥାଏ । ଶରୀରରେ ମେଲାଟୋନିନ୍‌ ହର୍‌ମୋନ୍‌ ବଢିଚାଲେ । ଫଳରେ ଶରୀରରେ ଅସ୍ୱସ୍ଥି ଅନୁଭବ ହୋଇଥାଏ । ମେଲାଟୋନିନ୍‌ ନିଦ ପାଇଁ ଏକ ଜରୁରି ହର୍‌ମୋନ୍‌ । ଶରୀରରେ ଏହାର ମାତ୍ରା ବଢିବା ଦ୍ୱାରା ନିଦ, ଥକ୍କାପଣ ଓ ଅଳସ ଆଦି ବଢିଥାଏ । ଏହା କେବଳ ମାଂସ ହାଡ଼କୁ ମଜବୁତ୍‌ କରିନଥାଏ ବରଂ ଶରୀରକୁ ଭରପୂର ଶକ୍ତି ମଧ୍ୟ ଦେଇଥାଏ । ତେଣୁ ଭିଟାମିନ୍‌-ଡି’ର ଅଭାବ ଯୋଗୁ ମଧ୍ୟ ଅସ୍ୱସ୍ଥି ଅନୁଭବ ହୋଇଥାଇପାରେ ।
 
କଫ ବଢିଲେ 
ଆୟୁର୍ବେଦ ଅନୁସାରେ ଶୀତଦିନେ ଶରୀରରେ କଫର ମାତ୍ରା ବଢିଯାଇଥାଏ । କଫ ବଢିବା ଦ୍ୱାରା ଶରୀର ଓଜନିଆ ଓ ଅଳସୁଆ ଲାଗିଥାଏ । ଅଳସପଣ କ୍ରମଶଃ ମାନ୍ଦାରେ ପରିଣତ ହୋଇଥାଏ । ତେଣୁ କୌଣସି କାମ କରିବାକୁ ଇଚ୍ଛା ହୋଇନଥାଏ ।

 ଦୂର କରିପାରିବେ ଅଳସପଣ
 ଶୀତଦିନେ ହାଲ୍‌କା ଉଷୁମ ପାଣି ପିଇବାକୁ ଚେଷ୍ଟାକରନ୍ତୁ । ଏହା ଶରୀରକୁ ଜଳାଭାବରୁ ଦୂରେଇ ରଖିବ । ଏହା ସହିତ ନଡ଼ିଆ ପାଣି, ସୁପ୍‌ ଓ ଜୁସ୍‌ ଆଦ ପିଇବାକୁ ଭୁଲନ୍ତୁ ନାହିଁ । କମ୍‌ ସମୟ ପାଇଁ ହେଲେ ମଧ୍ୟ ସୂର୍ଯ୍ୟକିରଣରେ ନିଶ୍ଚୟ ବସନ୍ତୁ । ସତେଜ ଅନୁଭବ କରିବେ । ଡାଏଟ୍‌ରେ ଅଧିକରୁ ଅଧିକ ଶାଗ, ସବୁଜ ପନିପରିବା ଓ ଫଳମୂଳକୁ ସାମିଲ୍‌ କରନ୍ତୁ । ମଇଦା ଓ ବେସନ୍‌ଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ । ତ୍ୱଚାକୁ ମଧ୍ୟ ପ୍ରାକୃତିକ ଉପାୟରେ ସ୍କ୍ରବ୍‌ କରନ୍ତୁ । ଏହାଦ୍ୱାରା ତ୍ୱଚାରେ ରକ୍ତ ସଞ୍ଚାଳନ ବଢିବା ସହ ସତେଜ ଅନୁଭବ ହୋଇଥାଏ । ଏହି ଋତୁରେ ଅଧିକ ଖାଇବାଠାରୁ ଦୂରେଇ ରୁହନ୍ତୁ । ନଚେତ୍‌ ଅଳସୁଆ ଲାଗିବା ସ୍ୱାଭାବିକ୍‌ । ଅଟା,ଚାଉଳ ଓ ବାଜରା କମ୍‌ ଖାଇବା ସହ ପନିପରିବାର ମାତ୍ରା ବଢାନ୍ତୁ ।  ଶୀତରେ ମିଠା କମ୍‌ ଖାଇବା ଓ କଫି କମ୍‌ ପିଇବାକୁ ଚେଷ୍ଟା କରନ୍ତୁ । ଏହା ପରିବର୍ତ୍ତେ ହର୍ବାଲ ଟି’ଓ ସୁପ୍‌ ଆଦି ପିଇବା ଉଚିତ୍‌ ।