ଆସିକା, ୨/୯:  ୟୁରିଆ ଚିନ୍ତା ବଢ଼ିବାରେ ଲାଗିଛି । ଜିଲ୍ଲାରେ କେତେବେଳେ ନିଅଣ୍ଟିଆ ଓ ଅଦିନିଆ ବର୍ଷା ଚାଷୀଙ୍କ ପାଇଁ କାଳ ସାଜୁଥିବା ବେଳେ ଏବେ ୟୁରିଆ ପାଇବାକୁ ଚାଷୀ ହଟହଟା ହେଉଛନ୍ତି । ମଙ୍ଗଳବାର ଲଗାତର ଦ୍ବିତୀୟ ଦିନ ପାଇଁ ବି ଆସିକା ବହୁମୁଖୀ କେନ୍ଦ୍ର ସମବାୟ ସମିତି ସମ୍ମୁଖରେ ଚାଷୀଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ତେବେ ସାର ମିଳିବାରେ ବିଳମ୍ବ ହେବାରୁ ଉତ୍ତ୍ୟକ୍ତ ଚାଷୀ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ। 

ବହୁ ଚାଷୀ ଦୂରଦୁରାନ୍ତ ଗ୍ରାମରୁ ଭୋରରୁ ଆସି ଲମ୍ବା ଧାଡ଼ି ଲଗାଇଥିଲେ। ସୋମବାର ଘଣ୍ଟା ଘଣ୍ଟା ଧାଡିରେ ରହିବା ପରେ ଦିନ ୩ଟାରେ ନିରାଶ ହୋଇ ଘରକୁ ଫେରିଥିଲେ। ପିଡିଆ ନ ମିଳିବାରୁ ଅସନ୍ତୁଷ୍ଟ ଥିଲେ। ମଙ୍ଗଳବାର ପୁଣି ସାର ବସ୍ତାଏ ପାଇଁ ଆସି ଛିଡ଼ା ହୋଇଥିଲେ। 

ଗୁଣ୍ଠପଡ଼ା, ଗହଙ୍ଗୁ, ମଙ୍ଗଳପୁର, ଜଗଦଳପୁର, ନିମିନା, ନୂଆଗାଁ, ପାଣ୍ଡିଆପଥର ଓ ବଡ଼ଖୋଲି ଆଦି ସୋସାଇଟିକୁ ୧୦ ମେଟ୍ରିକ ଟନ୍ ସାର ରବିବାରରୁ ଯାଇଛି। କିନ୍ତୁ ବଣ୍ଟା ଯାଉନି ବୋଲି ଅଭିଯୋଗ କରିଛନ୍ତି ଚାଷୀ। ତେଣୁ ଆଜି ପୂର୍ବାହ୍ନରେ ଚାଷୀମାନେ ତୁରନ୍ତ ସାର ଯୋଗାଇ ଦେବା ଦାବି କରି ରାସ୍ତାରୋକ କରିଥିଲେ। ତେବେ ୟୁରିଆ ବିକ୍ରି ଆରମ୍ଭ ପରେ ସ୍ଥିତି ସାମାନ୍ୟ ହୋଇଥିଲା।