ନୂଆଦିଲ୍ଲୀ,୨୫/୦୭: ଜର୍ଜିଆର ବାତୁମି ଠାରେ ଚାଲିଥିବା ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ରେ ଫାଇନାଲ୍‌ ଲାଇନ୍‌ ଅପ୍‌ ଚୂଡ଼ାନ୍ତ ହୋଇଛି । ଫାଇନାଲ୍‌ରେ ଦିବ୍ୟା ଦେଶମୁଖଙ୍କ ପରେ କୋନେରୁ ହମ୍ପି ଏଣ୍ଟ୍ରୀ କରିଛନ୍ତି । ଏହା ସହିତ ଆଗମୀ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି । ଫିଡ଼େ ମହିଳା ଚେସ୍ ବିଶ୍ୱକପରେ ହମ୍ପି ବନାମ ଦିବ୍ୟାଙ୍କ ମଧ୍ୟରେ ଏକ କଡ଼ା ମୁକାବିଲା ଦେଖିବାକୁ ମିଳିବ । ଭାରତ ସହ ଭାରତର ହେବ ଟକ୍କର । ପ୍ରଥମ ଥର ପାଇଁ ୨ ଜଣ ଭାରତୀୟଙ୍କ ମଧ୍ୟରେ ଟ୍ରଫି ଲଢେଇ ହେବ ।

ଡବ୍ଲ୍ୟୁଜିଏମ୍‌ କୋନେରୁ ହମ୍ପି ଓ ଆଇଏମ୍‌ ଦିବ୍ୟା ଦେଶମୁଖ ଟାଇଟଲ ଲଢ଼େଇରେ ମୁହାଁମୁହିଁ ହେବେ । ଏଥିସହ ନୂଆ ବିଶ୍ୱ ଚାମ୍ପିଅନ୍‌ଙ୍କ ଆବିର୍ଭାବ ଘଟିବ । ଦ୍ୱିତୀୟ ସେମି ଫାଇନାଲ୍‌ରେ ହମ୍ପି ଟାଇବ୍ରେକ୍‌ରେ ଚୀନ ତାରକା ଲି ଟିଙ୍ଗ୍‌ଜିଙ୍କୁ ୫-୩ରେ ହରାଇ ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲେ । ବିଜୟ ସହ ସେ ଆଗାମୀ ୨୦୨୬ କ୍ୟାଣ୍ଡିଡେଟ୍ସକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ହମ୍ପି-ଟିଙ୍ଗ୍‌ଜିଙ୍କ ମଧ୍ୟରେ ସେମି ମୁକାବିଲା କଡ଼ା ସଂଘର୍ଷପୂର୍ଣ୍ଣ ହୋଇଥିଲା । ପ୍ରଥମେ ଉଭୟଙ୍କ ମଧ୍ୟରେ କ୍ଲାସିକାଲର ୨ଟି ଯାକ ଡ୍ର’ ରହିଥିଲା । 

ଏହାପରେ ଟାଇବ୍ରେକରେ ମଧ୍ୟ ଉଭୟ ୨ଟି ଯାକ ବାଜିରେ ପଏଣ୍ଟ ଭାଗ କରିଥିଲେ । ସ୍ଥିତି ୨-୨ରେ ବରାବର ରହିଥିଲା । ଆଜି ର‌୍ୟାପିଡ୍‌ ଓ ବ୍ଲିଜ୍‌ରେ ପ୍ରତିଯୋଗିତା ହୋଇଥିଲା । ଟିଙ୍ଗ୍‌ଜି ର‌୍ୟାପିଡ୍‌ର ପ୍ରଥମ ଗେମ୍‌ ଜିତି ଆଗେଇଥିଲେ । ମାତ୍ର ହମ୍ପି ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ ପରବର୍ତ୍ତୀ ଗେମ୍‌ ଜିତିବା ସହ ସ୍ଥିତି ୩-୩ରେ ବରାବର କରିଥିଲେ । ଏହାପରେ ବ୍ଲିଜ୍‌ରେ ହମ୍ପି ଅବିଶ୍ୱସନୀୟ ଖେଳ ପ୍ରଦର୍ଶନ କରିବା ସହ ଉଭୟ ଗେମ୍‌ ଜିତି ଫାଇନାଲ୍‌ରେ ପ୍ରବେଶ କରିଥିଲେ ।

ଦିବ୍ୟା-ହମ୍ପି ଫାଇନାଲ୍‌- ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପିଙ୍କର ଫାଇନାଲ ମ୍ୟାଚ ଭାରତୀୟ ଖେଳାଳି ଦିବ୍ୟା ଦେଶମୁଖଙ୍କ ସହ ହେବ । ଦିବ୍ୟା FIDE ମହିଳା ଚେସ୍ ବିଶ୍ୱକପରେ ପହଞ୍ଚିଥିବା ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି  । ଏବେ କୋନେରୁ ହମ୍ପି ମଧ୍ୟ ଇତିହାସ ରଚି ଫିଡ଼େ ପାଇନାଲରେ ଏଣ୍ଟ୍ରୀ ମାରିଛନ୍ତି । ଏପର୍ଯ୍ୟନ୍ତ କୌଣସି ଭାରତୀୟ ମହିଳା ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚି ନଥିଲେ, ଏଥର FIDE ଚେସ୍ ବିଶ୍ୱକପର ଉଭୟ ଫାଇନାଲିଷ୍ଟ ଭାରତର ଖେଳାଳି ।