ବାତୁମି, ୨୭/୦୭: ଚଳିତ ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ରେ ଶନିବାର ଦୁଇ ଭାରତୀୟ ଖେଳାଳି ଡବ୍ଲ୍ୟୁଜିଏମ୍‌ କୋନେରୁ ହମ୍ପି ଓ ଆଇଏମ୍‌ ଦିବ୍ୟା ଦେଶମୁଖଙ୍କ ମଧ୍ୟରେ ଫାଇନାଲ ମୁକାବିଲା ଆରମ୍ଭ ହୋଇଛି । ଟ୍ରଫି ଲଢ଼େଇର ପ୍ରଥମ ଗେମ୍‌ (କ୍ଲାସିକାଲ) ଡ୍ର’ ହୋଇଛି । ଫଳରେ ଉଭୟ  ଖେଳାଳି ପଏଣ୍ଟ ଭାଗ କରିଛନ୍ତି । ରବିବାର ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଖେଳାଯିବ । ଯିଏ ଜିତିବ ସିଏ ଚାମ୍ପିଅନ୍‌ ହେବ ।  ଡ୍ର’ ହେଲେ ସୋମବାର ଦିନ ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ ହେବ । 

ପ୍ରଥମ କ୍ଲାସିକାଲ୍‌ ଗେମ୍‌ରେ ଦିବ୍ୟା ଧଳା ଏବଂ ହମ୍ପି କଳା ଗୋଟିରେ ଖେଳିଥିଲେ । ଧଳା ଗୋଟିରେ ଖେଳୁଥିବାରୁ ଦିବ୍ୟାଙ୍କ ପଲା ଭାରି ରହିଥିଲା ।୧୧ତମ ଗୋଟି ଚାଳନା ବେଳକୁ ସେ ଦୃଢ଼ ସ୍ଥିତିରେ ରହିଥିଲେ । ମାତ୍ର ହମ୍ପି ଚତୁରତାର ସହ ଖେଳି ପ୍ରତ୍ୟାବର୍ତ୍ତନ କରିଥିଲେ । ୨୯ତମ ଗୋଟି ଚାଳନା ସୁଦ୍ଧା ମ୍ୟାଚ୍‌  ଡ୍ର’ ହେବା ନିଶ୍ଚିତ ଜଣାପଡ଼ୁଥିଲା । ମାତ୍ର ଦିବ୍ୟା ଖେଳ ଜାରି  ରଖିବାକୁ ନିଷ୍ପତ୍ତି ନେଇଥିଲେ । ୩୪ତମ ଗୋଟି ଚାଳନାରେ  ହମ୍ପି ଏକ ତ୍ରୁଟି କରିଥିଲେ ଏବଂ ଦିବ୍ୟାଙ୍କ ବିଜୟ ଆଶା ଉଜ୍ଜ୍ୱଳ  ରହିଥିଲା । ଶେଷରେ ୪୨ଟି ଗୋଟି ଚାଳନ ପରେ ଉଭୟ ପଏଣ୍ଟ  ଭାଗ କରିଥିଲେ । ଅନ୍ୟ ପଟରେ ଚୀନ ଡବ୍ଲ୍ୟୁଜିଏମ୍‌ ଲି’ ଟିଙ୍ଗ୍‌ଜି  ଓ ଟାନ୍‌ ଝୋନଗୀଙ୍କ ମଧ୍ୟରେ ତୃତୀୟ ସ୍ଥାନ ପାଇଁ ଲଢ଼େଇର  ପ୍ରଥମ ଗେମ୍‌ ମଧ୍ୟ ଡ୍ର’ ହୋଇଛି । ଉଭୟ ପଏଣ୍ଟ ଭାଗ କରିଛନ୍ତି ।