ନ୍ୟୁୟର୍କ,୧୧/୦୬ : ଆଜିଠୁ ଆରମ୍ଭ ହେବାକୁ ଯାଉଛି ଫିଫା  ବିଶ୍ୱକପ୍‌ର ୨୩ତମ ସଂସ୍କରଣ ।  ଐତିହାସିକ ଆଜଟେକା ଷ୍ଟାଡ଼ିୟମ୍‌ରେ ଆୟୋଜକ ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଉଦଘାଟନୀ  ମୁକାବିଲା ଖେଳାଯିବ ।  ଏହା ପୂର୍ବରୁ ଏକ ରଙ୍ଗା ରଙ୍ଗ  ଉଦଯାପନୀ ଉତ୍ସବର  ଆୟୋଜନ କରାଯିବ । ମ୍ୟାଚ ସମୟର ୯୦  ମିନିଟ୍‌(ଦେଢ ଘଣ୍ଟା) ପୂର୍ବରୁ ଉଦଘାଟନୀ  ଉତ୍ସବ ଆରମ୍ଭ ହେବ ।

ଉଦଘାଟନୀ ଉତ୍ସବରେ ମୁଖ୍ୟ ଆକର୍ଷଣ ସାଜିବେ ସାକିରା ଓ ବୁର୍ନା  ବୟ । ଉଭୟ ବିଶ୍ୱକପ୍‌ ସଙ୍ଗୀତ ‘ଦାଇ ଦାଇ’ରେ କଣ୍ଠଦାନ  କରିଛନ୍ତି । ଏମାନଙ୍କୁ ଏକାଧିକ ଥର ଗ୍ରାମୀ ଆୱାର୍ଡ ଜିତିଥିବା  ମେକ୍ସିକୋର ରକ୍‌ ବ୍ୟାଣ୍ଡ  ଗ୍ରୁପ୍‌ ‘ବ୍ୟାଣ୍ଡ ମାନା’  ଉଦଘାଟନୀ ଉତ୍ସବରେ ଅନ୍ୟତମ  ଆକର୍ଷଣ ସାଜିବେ । ଏହା ବ୍ୟତୀତ ପପ  ଷ୍ଟାର ଆଲିଜାନ୍ଦ୍ରୋ ଫର୍ଣ୍ଣାଣ୍ଡେଜ, ଗାୟିକା  ବେଲିଣ୍ଡା, ମେକ୍ସିକୋର ପାରମ୍ପରିକ ମ୍ୟୁଜିକ୍‌   ପରିବେଷଣ କରୁଥିବା ଲସ୍‌ ଏଞ୍ଜଲ୍ସ ଜ୍ୟୁଲ୍ସ,  ଦକ୍ଷିଣ ଆଫ୍ରିକାର କଣ୍ଠ ଶିଳ୍ପୀ ଟାୟଲା ପ୍ରମୁଖ  ଉଦଘାଟନୀ ଉତ୍ସବରେ ଯୋଗ ଦେବେ ।  ମାତ୍ର ୧୬ ମିନିଟ୍‌ ୩୦ ସେକେଣ୍ଡ ମଧ୍ୟରେ  ଉଦଘାଟନୀ ଉତ୍ସବ ଶେଷ କରାଯିବ ।  ଆସନ୍ତାକାଲି ବିଶ୍ୱକପ ପାଇଁ ମେକ୍ସିକୋ  ସରକାର ଛୁଟି ଘୋଷଣା କରିଛନ୍ତି ।