ପୁରୀ,୧୦/୦୬: ପ୍ରଥମ ଭୂଇଁ ଭଳି ମଙ୍ଗଳବାର ରଥଖଳାରେ ଦ୍ୱିତୀୟ ଭୂଇଁ ପ୍ରସ୍ତୁତ ହୋଇଛି । ପ୍ରଥମେ ଚଉତା କାଠ ପଡ଼ିଥିଲା । ଖାପ ହୋଇ ୨ଟି କାଠ ଉପରେ ଆଉ ୨ଟି କାଠ ରହିଥିଲା । ତା’ପରେ ୨ଟି ଓରାକାଠ ପଡ଼ିଲା । ଓରା କାଠ ଉପରେ ଖଞ୍ଜାହେଲା ୪ଖମ୍ୱୀ । ଖମ୍ୱୀରେ ଥିବା ସାଲକୁ ଓରାର ବିନ୍ଧରେ ଭୁଞ୍ଜାଯିବ । ମଙ୍ଗଳବାର ଭୋଇ ସେବକମାନେ ନଡ଼ିଆ ଗଡ଼ ଯୋଗାଇବାରେ ବିଶ୍ୱକର୍ମାମାନେ ଖଦିଓରାରେ ବିନ୍ଧ ଆରମ୍ଭ କରିଛନ୍ତି । ଏଥିସହ ବଡ଼ବାଡ଼ର ବିଶ୍ୱକର୍ମା ମହାପ୍ରଭୁଙ୍କ ଅନବସର ସେବା ପାଇଁ ଅଣସର ଗୟଳ ତିଆରି ଶେଷ କରିଛନ୍ତି ।
ରଥରେ ଖଦିଓରା (ନଡ଼ିଆ କାଠର ଗଡ଼) ପଡ଼ିଲେ ଚଉଦନାହାକା ବୁଲିବ । ଚାରିନାହାକାର ଚତୁଃପାଶ୍ୱର୍ରେ ବୁଲିବ ଚଉଦନାହାକା । ତିନି ରଥର ଦଣ୍ଡା ଉପରେ ଖଦିଓରା କାଠ ଖଞ୍ଜାହେବ । ଖଦିଓରାରେ ହୋଇଥିବା ବିନ୍ଧରେ ଚଉଦନାହାକା ରଖାଯିବ । ରଥ ଖଳାରେ ଦ୍ୱିତୀୟ ଭୂଇଁର ଫ୍ରେମ୍ ପଡି଼ ଖୋଲାଯିବା ପରେ ରଥକୁ ଉଠିବ । ଛଅ କାଠ ଉଠିବା ପରେ ଏଣିକି ଗୋଟିକ ପରେ ଗୋଟିଏ ତିନୋଟି ଭୂଇଁ ଉଠିବ ।
ଅଧିକ ପଢ଼ନ୍ତୁ :- ରଥଖଳାରୁ ଆସିଲା ଦୁଃଖଦ ଖବର, ବଡ଼ଠାକୁରଙ୍କ ରଥ ନିର୍ମାଣରେ ନିୟୋଜିତ ଭୋଇ ସେବକଙ୍କ ହୃତଘାତରେ ମୃତ୍ୟୁ
ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର, ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର ଓ ଦେବୀ ରଥର ମୁଖ୍ୟ ବିଶ୍ୱକର୍ମା ନାରାୟଣ ମହାରଣାଙ୍କ ନିର୍ଦ୍ଦେଶ ଅନୁଯାଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ରୂପକାର ମୂର୍ତ୍ତି ଖୋଦେଇରେ ବ୍ୟସ୍ତ । ବିଶ୍ୱକର୍ମାଙ୍କ କାର୍ଯ୍ୟକୁ ତାଳ ଦେଇ ଓଝା ସେବକମାନେ ଲୁହା ସାମଗ୍ରୀ ତିଆରୁଛନ୍ତି।