ନ୍ୟୁୟର୍କ,୧୧/୦୬: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହେବାକୁ ଯାଉଛି ଫିଫା ବିଶ୍ୱକପ । ଫୁଟବଲ୍ର ଏହି ୨୩ତମ ସଂସ୍କରଣ ଅନେକ ବାଦ ବିବାଦର ପ୍ରତିବନ୍ଧକକୁ ଭଙ୍ଗ କରି ଖୁସି, ଉତ୍ସାହ ଓ ଭାତୃଭାବର କାହାଣୀ ଲେଖିବ । ଆକାଶଛୁଆଁ ଟିକେଟ୍ ମୂଲ୍ୟକୁ ନେଇ ଲାଗି ରହିଥିବା ଅସନ୍ତୋଷ, ଡୋନାଲ୍ଡ ଟ୍ରମ୍ପଙ୍କ ଆମେରିକାରେ ଅସ୍ଥିର ରାଜନୈତିକ ପରିବେଶ ଓ ମଧ୍ୟ ପ୍ରାଚ୍ୟରେ ସଂଘର୍ଷର କଳା ବାଦଲ ଭିତରେ ଏଥର ବିଶ୍ୱକପ୍ ସମଗ୍ର ବିଶ୍ୱକୁ ରୋମାଞ୍ଚର ଶିଖରରେ ପହଞ୍ଚାଇ ଦେବ । ରେକର୍ଡ ୪୮ ଦଳ ଓ ଲକ୍ଷ ଲକ୍ଷ ଫୁଟବଲ ପ୍ରେମୀ ଆଗାମୀ ୬ସପ୍ତାହ ଧରି ଆମେରିକା (ୟୁଏସଏ), ମେକ୍ସିକୋ ଓ କାନାଡ଼ାରେ ଆୟୋଜିତ ହେବାକୁ ଯାଉଥିବା ବିଶ୍ୱକପ ପର୍ବରେ ମସଗୁଲ ହେବେ ।
ମେକ୍ସିକୋର ଐତିହାସିକ ଆଜଟେକା ଷ୍ଟାଡ଼ିୟମ୍ରେ ରଙ୍ଗା ରଙ୍ଗ ଉଦଘାଟନୀ ଉତ୍ସବ ସହ ବିଶ୍ୱକପ୍ର ପ୍ରଥମ ମୁକାବିଲା ଆରମ୍ଭ ହେବ । ଘରୋଇ ମେକ୍ସିକୋ ଓ ୨୦୧୦ ସଂସ୍କରଣର ଆୟୋଜକ ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚରେ ହେବେ ସାମ୍ନା ସାମ୍ନି । ଆଜଟେକା ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଯିବ । ଆଜଟେକା ହେଉଛି ସେହି ଷ୍ଟାଡ଼ିୟମ୍, ଯେଉଁଠି ପେଲେ ଓ ମାରାଡୋନାଙ୍କ ଭଳି ମହାନ ଖେଳାଳି ଫୁଟବଲ୍ ବିଶ୍ୱକପକୁ ଅମର ବନେଇ ଦେଇଥିଲେ । ବିଶ୍ୱର ପ୍ରଥମ ଦେଶ ଭାବେ ମେକ୍ସିକୋ ତୃତୀୟ ଥର ପାଇଁ ବିଶ୍ୱକପ୍ ଆୟୋଜନ କରିବାକୁ ଯାଉଛି ।
ଆଜି ରେଫରୀଙ୍କ ହ୍ୱିସିଲ ବାଜିବା ମାତ୍ରେ ସମଗ୍ର ଆଜଟେକା ଷ୍ଟାଡ଼ିୟମ୍ ‘ମେକ୍ସିକୋ’ ‘ମେକ୍ସିକୋ’ ସ୍ୱରରେ ପ୍ରକମ୍ପିତ ହେବ । ଗ୍ରାଉଣ୍ଡ ଭିତରେ କେବଳ ଖେଳାଳି ଗୋଲ୍ ପାଇଁ ଦୌଡ଼ୁ ନଥିବେ, ସେମାନଙ୍କ ସହ କିଛି ନବାଗତ ଓ କିଛି ଦୁର୍ବଳ ମାନ୍ୟତା ପ୍ରାପ୍ତ ଦଳର ସ୍ୱପ୍ନ ମଧ୍ୟ ବାସ୍ତବ ଦିଗରେ ଦୌଡ଼ୁଥିବ । କାନାଡ଼ାର ଶୀତଳ ପବନଠୁ ଆରମ୍ଭ କରି ଲସ ଏଞ୍ଜଲ୍ସର ରୌଦ୍ର ତାପ ମଧ୍ୟରେ ସବୁ ଷ୍ଟାଡ଼ିୟମ ବିଶ୍ୱକପ୍ର ଗୋଟିଏ ଗୋଟିଏ ମଞ୍ଚ ସଦୃଶ ମନେ ହେଉଥିବ । ଏଠାରେ ପ୍ରତ୍ୟେକ ଦିନ ଜଣେ ଜଣେ ନୂଆ ନାୟକଙ୍କ ଆବିର୍ଭାବ ଘଟୁଥିବ ।
ଟୁର୍ଣ୍ଣାମେଣ୍ଟ ଆଗେଇବା ସହ ୪୮ଟି ଦଳର ସଂଘର୍ଷର କାହାଣୀ ସେତେ ରୋମାଞ୍ଚ ଭରୁଥିବ । କେତେବେଳେ ଏକ ଦୁର୍ବଳ ଦଳ ଏକ ଟାଇଟଲ ଦାବିଦାରକୁ ହରାଇ ଫୁଟବଲ୍ ପ୍ରେମୀଙ୍କୁ ସ୍ତବ୍ଧ କରୁଥିବ ତ ପୁଣି କେତେବେଳେ କୌଣସି ପ୍ରସିଦ୍ଧ ଖେଳାଳି କ୍ୟାରିୟର୍ର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଭାବୁକ ହୋଇ ଉଠୁଥିବ । ୧୬ଟି ଆୟୋଜକ ସହରର ସବୁ ଗଳି କନ୍ଦି ଓ ରାଜ ରାସ୍ତା ରଙ୍ଗ ବେରଙ୍ଗ ଜର୍ସି ଓ ଭିନ୍ନ ଚେେ ହରାରେ ପୁରି ଉଠିବ । ମାତ୍ର ସମସ୍ତଙ୍କ ସ୍ୱପ୍ନ ଥିବ ଏକ ‘ବିଶ୍ୱକପ୍ ବିଜୟ ।’ ୩୯ଦିନର ଲଢ଼େଇ ମଧ୍ୟରେ ଅନେକ କାହାଣୀ ଲେଖା ହେବ । ଅନେକ ତାରକାଙ୍କ ଆବିର୍ଭାବ ଘଟିବ । ଅନେକ କିମ୍ବଦନ୍ତୀ ବିଦାୟ ନେବେ । ପୂର୍ବ ୨୨ଟି ସଂସ୍କରଣ ଭଳି ପୁଣି ଥରେ ବିଶ୍ୱକପ୍ ଅପାସୋରା ହୋଇଯିବ।
୪୮ ଦଳ, ୧୦୪ ମ୍ୟାଚ, ୬.୫ ମିଲିୟନ ଦର୍ଶକ ଏତେ ସବୁ ବିବାଦ ଓ ଅସନ୍ତୋଷ ସତ୍ତେ୍ୱ ୨୩ତମ ବିଶ୍ୱକପ୍ ସବୁ ରେକର୍ଡ ଭାଙ୍ଗିବା ନିଶ୍ଚିତ । ଏଥର ରେକର୍ଡ ୪୮ଟି ଦଳ ଭାଗ ନେଉଥିବାରୁ ମ୍ୟାଚ ସଂଖ୍ୟା ୬୪ରୁ ବୃଦ୍ଧି ପାଇ ୧୦୪ରେ ପହଞ୍ଚିଛି । ଆକାଶ ଛୁଆଁ ଟିକେଟ୍ ମୂଲ୍ୟ ଓ ୟୁ ଏସଏର କଠୋର ସୁରକ୍ଷା କଟକଣାକୁ ଖାତିର ନ କରି ପାଖା ପାଖି ୬୫ଲକ୍ଷ ଦର୍ଶକ ଉତ୍ତର ଆମେରିକାର ୩ଟି ଆୟୋଜକ ଦେଶରେ ରୁଣ୍ଡ ହେବାକୁ ଯାଉଥିବା ଆକଳନରୁ ସ୍ପଷ୍ଟ ହୋଇଛି ।
ଅଧିକ ପଢ଼ନ୍ତୁ :- ଅଷ୍ଟ୍ରେଲିଆରେ କ୍ରିକେଟକୁ ନେଇ ଐତିହାସିକ ଘୋଷଣା କରିବେ ପ୍ରଧାନମନ୍ତ୍ରୀ ମୋଦୀ; ପ୍ରଶଂସକଙ୍କୁ ମିଳିବ ବଡ଼ ଉପହାର
ଏଥର ବିଶ୍ୱକପ୍ ୪୦୯୦ କୋଟି ଡଲାର ଆୟ କରିବାକୁ ଯାଉଥିବା ଏକ ଆକଳନରୁ ଜଣା ପଡ଼ିଛି । ଅର୍ଥାତ ବିଶ୍ୱ ଜିଡ଼ିପିରେ ୪୦.୯ ବିଲିୟନ ଡଲାର (୩.୯ ଲକ୍ଷ କୋଟି ଟଙ୍କା) ଯୋଡ଼ି ହେବ । କେବଳ ଆମେରିକା ଜିଡିପିରେ ୧୭.୨ ବିଲିୟନ ଡଲାର ଯୋଗଦାନ ଦେବ ଓ ୧,୮୫,୦୦୦ ନିଯୁକ୍ତି ସୃଷ୍ଟି କରିବ । ବିଶ୍ୱକପ ସମୟରେ ୩ଟି ଆୟୋଜକ ଦେଶକୁ ପାଖା ପାଖି ୬୫ଲକ୍ଷ ଲୋକ ଯାତ୍ରା କରିବେ ଓ ରହଣି କାଳ ମଧ୍ୟରେ ସେମାନେ ପାଖା ପାଖି ୧୩.୯ ବିଲିୟନ ଡଲାର ଖର୍ଚ୍ଚ କରିବେ । ବିଶ୍ୱକପ୍ ଆୟୋଜନ ଯୋଗୁଁ ରେକର୍ଡ ୮,୨୪,୦୦୦ ଲୋକ ସ୍ଥାୟୀ ଚାକିରି ପାଇବେ ।
ଫର୍ମାଟ୍: ୪୮ ଦଳ, ୧୨ ଗ୍ରୁପ୍ ୪୮ଟି ଦଳକୁ ୧୨ଟି ଗ୍ରୁପ୍ରେ ଭାଗ କରାଯାଇଛି । ପ୍ରତି ଗ୍ରୁପରେ ସ୍ଥାନ ପାଇଛନ୍ତି ୪ଟି ଲେଖାଏଁ ଦଳ । ପ୍ରତି ଗ୍ରୁପ୍ର ଶ୍ରେଷ୍ଠ ୨ଟି ଲେଖାଏଁ ଦଳ ସମେତ ଶ୍ରେଷ୍ଠ ୮ଟି ତୃତୀୟ ସ୍ଥାନ ଦଖଲ କରିଥିବା ଦଳ ନକ୍ ଆଉଟ୍ ରାଉଣ୍ଡକୁ ଉନ୍ନୀତ ହେବେ । ରାଉଣ୍ଡ-୩୨ରୁ ବିଜୟୀ ୧୬ଟି ଦଳ ପ୍ରି-କ୍ୱାର୍ଟରକୁ ଉନ୍ନୀତ ହେବେ ଓ ପରାଜିତ ଦଳ ବିଦାୟ ନେବେ । ସେହିପରି ପ୍ରି-କ୍ୱାର୍ଟରରୁ ବିଜୟୀ ୮ ଦଳ କ୍ୱାର୍ଟର ଫାଇନାଲ୍ ଓ କ୍ୱାର୍ଟରରୁ ୪ ବିଜୟୀ ଦଳ ସେମି ଫାଇନାଲ୍ରେ ପ୍ରବେଶ କରିବେ । ଜୁଲାଇ ୧୯ ତାରିଖରେ ନ୍ୟୁ ଜର୍ସିର ମେଟ ଲାଇଫ ଷ୍ଟାଡ଼ିୟମ୍ରେ ନୂଆ ଚାମ୍ପିଅନ୍ଙ୍କ ଆବିର୍ଭାବ ଘଟିବ । ମୋଟ୍ ଉପରେ କହିବାକୁ ଗଲେ ଚାମ୍ପିଅନ ଓ ରନର୍ସ ଅପ୍ ଦଳ ଏଥର ରେକର୍ଡ ୮ଟି ଲେଖାଏଁ ମ୍ୟାଚ ଖେଳିବେ ।
ପଦାର୍ପଣ କରିବେ ୪ ନୂଆ ଦଳ
ଏଥର ବିଶ୍ୱକପ୍ରେ ୪ଟି ଦେଶ କୁରାକାଓ, କେପ ଭଡି ର୍, ଉଜବେକିସ୍ତାନ ଓ ଜୋର୍ଡାନ ପଦାର୍ପଣ କରିବାକୁ ଯାଉଛନ୍ତି । ଏମାନଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକା ଓ କତାର ପ୍ରଥମ କରି ଯୋଗ୍ୟତା ଅର୍ଜନ କରିଛନ୍ତି । ପୂର୍ବରୁ ଉଭୟ ଦେଶ ଆୟୋଜକ ଭାବେ ବିଶ୍ୱକପ୍ ଖେଳିଥିଲେ।