ନୂଆଦିଲ୍ଲୀ: ବଲିଉଡ୍ର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ଶ୍ୟାମ ବେନେଗାଲଙ୍କ ପରଲୋକ ଘଟିଛି । ବଲିଉଡ୍କୁ ମନ୍ଥନ, ଅଙ୍କୁର ଭଳି ବହୁ ଚର୍ଚ୍ଚିତ ସିନେମା ଦେଇଛନ୍ତି ନିର୍ଦ୍ଦେଶକ ଶ୍ୟାମ ବେନେଗାଲ। ଦୀର୍ଘ ଦିନ ଧରି ସେ ରୋଗାକ୍ରାନ୍ତ ରହିଥିଲେ ମଧ୍ୟ ବିଭିନ୍ନ ପ୍ରୋଜେକ୍ଟରେ ନିଜକୁ ସାମିଲ ରଖିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ଶ୍ୟାମ ବେନେଗାଲଙ୍କ ମୃତ୍ୟୁ ଆଜି (ସୋମବାର) ସନ୍ଧ୍ୟା ୬.୩୯ ସମୟରେ ହୋଇଛି ।
ଶ୍ୟାମ ବେନେଗାଲଙ୍କ ଝିଅ ପିଆ ବେନେଗାଲ ଶ୍ୟାମ ବାବୁଙ୍କ ମୃତ୍ୟୁକୁ ନେଇ ଗଣମାଧ୍ୟମରେ ବିବୃତ୍ତି ରଖିଛନ୍ତି। ମୁମ୍ବାଇ ସେଣ୍ଟ୍ରାଲର ୱୋକାର୍ଟ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି।
ପିୟା ବେନେଗାଲ କହିଛନ୍ତି ଯେ, ତାଙ୍କ ପିତା କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ ଏବଂ ସେ ଏହି ରୋଗର ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ । ଶ୍ୟାମ ବେନେଗାଲଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ଶେଷ ରୀତିନୀତି ବିଷୟରେ ନିଷ୍ପତ୍ତି ନିଆଯିବ । ତେବେ ପୂର୍ବରୁ ଶ୍ୟାମ ବେନେଗାଲ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କର ଉଭୟ କିଡନୀ ବିଫଳ ହୋଇଛି ଏବଂ ସେ ଘରେ ଡାଏଲିସିସ୍ କରୁଛନ୍ତି।
ଶ୍ୟାମ ବେନେଗାଲଙ୍କ ଚଳଚ୍ଚିତ୍ର ୮ ଟି ଜାତୀୟ ପୁରସ୍କାର ଜିତିଥିଲା । ସେ ଜୁବୈଦା, ଦ ମେକିଂ ଅଫ୍ ମହାତ୍ମା, ନେତାଜୀ ସୁଭାଷ ଚନ୍ଦ୍ର ବୋଷ: ଦ ଫରଗଟନ ହିରୋ, ମଣ୍ଡି, ଆରୋହଣ, ଓ୍ବେଲକମ୍ ଟୁ ସଜନପୁର ଭଳି ଅନେକ ଗୁଡ଼ିଏ ଉତ୍କୃଷ୍ଟ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ଶ୍ୟାମ ବେନେଗାଲ ମଧ୍ୟ ଦାଦା ସାହେବ ଫାଲକେ ପୁରସ୍କାର ପାଇଛନ୍ତି।
ଶ୍ୟାମ ବେନେଗାଲ ତାଙ୍କ କ୍ୟାରିୟରରେ ୨୪ ଟି ଚଳଚ୍ଚିତ୍ର, ୪୫ ଟି ଡକ୍ୟୁମେଣ୍ଟାରୀ ଏବଂ ୧୫୦୦ ବିଜ୍ଞାପନ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ତାଙ୍କୁ ୧୯୭୬ ରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା । ୧୯୯୧ ରେ ତାଙ୍କୁ ପଦ୍ମ ଭୂଷଣ ମଧ୍ୟ ପ୍ରଦାନ କରାଯାଇଥିଲା।