ଭୁବନେଶ୍ୱର,୨୦/୧୨: ଅଫିସ୍‌ରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀଙ୍କୁ କକ୍ଷକୁ ଡାକି ଯୌନ ନିର୍ଯାତନା ଦେବା ମହଙ୍ଗା  ପଡ଼ିଛି ଏକ ଫାଇନାନ୍ସ କମ୍ପାନୀ ପରିଚାଳକଙ୍କୁ । ଏନେଇ ମୈତ୍ରୀବିହାର ଥାନାରେ ଅଭିଯୋଗ ହେଲା ପରେ ପୁଲିସ୍‌ ମାମଲା ରୁଜୁ  କରି ଉକ୍ତ ସଂସ୍ଥାର ମ୍ୟାନେଜର୍‌ ରବି ନାରାୟଣ ସାହୁଙ୍କ ଅଟକ ରଖିଛି । ଶୁକ୍ରବାର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ  ବୋଲି ପୁଲିସ୍‌ ସୂଚନା ଦେଇଛି। 

ମୈତ୍ରୀବିହାର ଥାନା ଅଞ୍ଚଳରେ ରହିଛି ଜି.ଆର୍‌ ଫିନ୍‌ସର୍ଭର ନାମକ ଏକ ଫାଇନାନ୍ସ ସଂସ୍ଥା । କିଛି ମାସ ହେବ ସଂସ୍ଥାର ପରିଚାଳକ ରବି ବିଭିନ୍ନ ସମୟରେ ମହିଳା କର୍ମଚାରୀଙ୍କୁ ନିଜ କକ୍ଷକୁ ଡାକି ଦ୍ୱିଅର୍ଥବୋଧକ ଶବ୍ଦରେ କଥା ହେବା ସହ ଶାରୀରିକ ଗଠନକୁ ନେଇ ବିଭିନ୍ନ ସମୟରେ ଅଶ୍ଳୀଳ ଇଙ୍ଗିତ କରନ୍ତି । ଯଦି କୌଣସ ଯୁବତୀ କିମ୍ବା ମହିଳା ଏହାକୁ  ନେଇ ପ୍ରତିବାଦ କରନ୍ତି ତା’ହେଲେ ତାଙ୍କୁ ଚାକିରିରୁ ବାହାର କରିଦିଅନ୍ତି । ତା’ଛଡ଼ା ମହିଳା-ଯୁବତୀମାନଙ୍କୁ ଅଣ୍ଡା-କଦଳୀ  ଖାଇବାକୁ ପରାମର୍ଶ ଦିଅନ୍ତି । ଏଭଳି ନିର୍ଯାତନା ସହି ନପାରି କିଛି ଚାକିରି ଛାଡ଼ପଳାଇଲେ । ଗୁରୁବାର କିଛି ଯୁବତୀ ସାହସ କରି ମ୍ୟାନେଜର ରବିଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍‌ ତୁରନ୍ତ ମାମଲା ରୁଜୁ କରି ଘଟଣାର ତଦନ୍ତ  କରି ରବିଙ୍କୁ ତାଙ୍କ ଅଫିସ୍‌ରୁ ଉଠାଇ ନେଇଛି । ଶୁକ୍ରବାର ଯୁବତୀମାନଙ୍କର ବୟାନ ରେକର୍ଡ କରାଯିବ ବୋଲି ପୁଲିସ୍‌ କହିଛି ।