ଓଡ଼ିଶା ଭାରତର କିଛି ରାଜ୍ୟ ମଧ୍ୟରୁ  ଗୋଟିଏ, ଯିଏ ୨୦୦୫ ମସିହାରୁ  ବିତ୍ତୀୟ ଦାୟିତ୍ୱ ଏବଂ ବଜେଟ  ପରିଚାଳନା ଆଇନ (ଏଫଆରବିଏମ୍‌  ଆଇନ) ପାରାମିଟରଗୁଡ଼ିକୁ ପାଳନ  କରୁଛି । ୨୦୧୮-୧୯ରୁ ୨୦୨୨-୨୩  ମଧ୍ୟରେ ଓଡ଼ିଶାର ରାଜସ୍ୱ ବ୍ୟୟ ଏବଂ  ପୁଞ୍ଜି ବ୍ୟୟ ଯଥାକ୍ରମେ ୫୩.୫%  ଏବଂ ୪୨.୦% ବୃଦ୍ଧି ପାଇଛି ।

ଷୋଡ଼ଶ ଅର୍ଥ କମିଶନର ଅଧ୍ୟକ୍ଷ ଡକ୍ଟର  ଅରବିନ୍ଦ ପାନଗାରିଆ ୨୦୨୫ ମସିହା  ଜାନୁଆରୀ ୨୪ ତାରିଖରେ ନୂଆଦିଲ୍ଲୀରେ ନୀତି  ଆୟୋଗର ପ୍ରଥମ "ବିତ୍ତୀୟ ସ୍ୱାସ୍ଥ୍ୟ ସୂଚକାଙ୍କ ୨୦୨୫’  ରିପୋର୍ଟ ଉନ୍ମୋଚନ କରିଛନ୍ତି । ଭାରତର ନିୟନ୍ତ୍ରକ ଏବଂ  ଅଡିଟର ଜେନେରାଲ (ସିଏଜି)ର ତଥ୍ୟ ବ୍ୟବହାର  କରି ୧୮ଟି ପ୍ରମୁଖ ରାଜ୍ୟ ପାଇଁ ସମ୍ମିଳିତ ଆର୍ଥିକ ସ୍ୱାସ୍ଥ୍ୟ  ସୂଚକାଙ୍କ ପ୍ରସ୍ତୁତ କରାଯାଇଛି । ଏହା ସାମଗ୍ରିକ ବିତ୍ତୀୟ  ପରିଚାଳନା, ପ୍ରଶାସନ, ଆର୍ଥିକ ନମନୀୟତା ଏବଂ  ଦେଶର ସ୍ଥିରତାକୁ ପ୍ରାଧାନ୍ୟ ଦେବା ସହିତ ରାଜ୍ୟଭିତ୍ତିକ  ନିର୍ଦ୍ଦିଷ୍ଟ ଚ୍ୟାଲେଞ୍ଜ ଏବଂ ଉନ୍ନତି ପାଇଁ ଅନ୍ତର୍ଦୃଷ୍ଟି ପ୍ରଦାନ  କରିବ ବୋଲି କୁହାଯାଇଛି । ଏହି ରିପୋର୍ଟ ପାଞ୍ଚଟି ପ୍ରମୁଖ  ଉପ-ସୂଚକାଙ୍କ ଯଥା ବ୍ୟୟର ଗୁଣବତ୍ତା, ରାଜସ୍ୱ ସଂଗ୍ରହ,  ବିତ୍ତୀୟ ଶୃଙ୍ଖଳା/ ସତର୍କତା, ଋଣ ସୂଚକାଙ୍କ ଏବଂ ଋଣ  କରିବା କ୍ଷମତାର ସ୍ଥାୟିତ୍ୱ ଉପରେ ପର୍ଯ୍ୟବସିତ । 

ବ୍ୟୟର ଗୁଣବତ୍ତା କହିଲେ, ମୋଟ୍‌ ଖର୍ଚ୍ଚ ବା ବ୍ୟୟ  ତୁଳନାରେ ମୋଟ୍‌ ବିକାଶମୂଳକ ବ୍ୟୟ ଏବଂ ମୋଟ୍‌  ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)  ଅନୁସାରେ ମୋଟ୍‌ ପୁଞ୍ଜି ବ୍ୟୟର ଅନୁପାତ  କେତେ । ବିକାଶମୂଳକ ଖର୍ଚ୍ଚ ହେଉଛି  ଦୀର୍ଘକାଳୀନ ଆର୍ଥିକ ଅଭିବୃଦ୍ଧି ଏବଂ ଭିତ୍ତିଭୂମି  କିମ୍ବା ସାମାଜିକ ସେବା ବାବଦ ଖର୍ଚ୍ଚ ।  ଯେପରିକି ସ୍କୁଲ କିମ୍ବା ହସ୍ପିଟାଲ ନିର୍ମାଣକୁ  ପ୍ରୋତ୍ସାହିତ କରିବା ପାଇଁ ସରକାରୀ  ଖର୍ଚ୍ଚ । ଅଣ-ବିକାଶମୂଳକ ଖର୍ଚ୍ଚ ହେଉଛି  ବର୍ତ୍ତମାନର ସରକାରୀ କାର୍ଯ୍ୟ ଏବଂ ସେବାଗୁଡ଼ିକୁ ବଜାୟ  ରଖିବା ପାଇଁ ଆବଶ୍ୟକ ନିୟମିତ ଖର୍ଚ୍ଚ । ଯେପରିକି  ଦରମା ପ୍ରଦାନ ଏବଂ କାର୍ଯ୍ୟକାରୀ ଖର୍ଚ୍ଚକୁ ଭରଣା  କରିବା । ମୋଟ୍‌ ପୁଞ୍ଜି ବ୍ୟୟ ଓ ଜିଏସଡିପି ଅନୁପାତ  ରାଜ୍ୟର ଆର୍ଥିକ ସମ୍ବଳର କେତେ ଅଂଶ ମୂଳ ଭିତ୍ତିଭୂମି,  ସୁବିଧା ଏବଂ ଅନ୍ୟାନ୍ୟ ଦୀର୍ଘକାଳୀନ ପୁଞ୍ଜି ପ୍ରକଳ୍ପ ପାଇଁ  ନିବେଶ ହେଉଛି ତାହା ସୂଚାଇଥାଏ । ଏଥିରୁ ଏକ  ରାଜ୍ୟ ଦୀର୍ଘକାଳୀନ ଲାଭ ପାଇଁ କେତେ ପ୍ରଭାବଶାଳୀ  ଭାବରେ ଏହାର ଆର୍ଥିକ ସମ୍ବଳକୁ ଉପଯୋଗ କରୁଛି  ତାହା ଜଣାପଡ଼ିଥାଏ । 

ରାଜସ୍ୱ ସଂଗ୍ରହ କହିଲେ ଜିଏସଡିପି ଓ ମୋଟ୍‌ ଖର୍ଚ୍ଚ  ଅନୁସାରେ ରାଜ୍ୟର ନିଜସ୍ୱ ରାଜସ୍ୱ ସଂଗ୍ରହକୁ ବୁଝାଏ ।  ରାଜ୍ୟର ନିଜସ୍ୱ ରାଜସ୍ୱ ଜିଏସଡିପି ଅନୁସାରେ ଅଧିକ  ହେବା ଅର୍ଥ କେନ୍ଦ୍ର ସରକାରଙ୍କ ହସ୍ତାନ୍ତର ପାଣ୍ଠି କିମ୍ବା  ଅନୁଦାନ ଉପରେ ଅଧିକ ନିର୍ଭର ନକରି ସ୍ୱାଧୀନ ଭାବରେ  ରାଜ୍ୟ ରାଜସ୍ୱ ସୃଷ୍ଟି କରୁଛି । ଏହା ଏକ ରାଜ୍ୟର ଆର୍ଥିକ  ସ୍ଥିରତା ଏବଂ ଏହାର ବିକାଶମୂଳକ ଏବଂ କାର୍ଯ୍ୟକ୍ଷମ  ଆବଶ୍ୟକତାକୁ ପାଣ୍ଠି ଯୋଗାଇବାର କ୍ଷମତା ବିଷୟରେ  ସୂଚନା ପ୍ରଦାନ କରେ । ରାଜ୍ୟର ନିଜସ୍ୱ ରାଜସ୍ୱ ଓ ମୋଟ୍‌  ଖର୍ଚ୍ଚ ଅନୁପାତ ସୂଚାଇଥାଏ ଯେ, ରାଜ୍ୟର କେତେ ଖର୍ଚ୍ଚ  ଏହାର ନିଜସ୍ୱ ରାଜସ୍ୱ ଦ୍ୱାରା ହେଉଛି, ଯାହା ଆର୍ଥିକ  ସ୍ୱାଧୀନତାକୁ ପ୍ରତିଫଳିତ କରେ । ଅବଶ୍ୟ ରାଜ୍ୟମାନେ  ଦେଶର ମୋଟ୍‌ ବ୍ୟୟର ୬୨% ବହନ କରୁଥିଲାବେଳେ,  ମାତ୍ର ମୋଟ୍‌ ଟିକସର ୩୭% ସଂଗ୍ରହ କରିଥାନ୍ତି ।  କେନ୍ଦ୍ର ୩୮% ବ୍ୟୟ ବହନ କରୁଥିଲାବେଳେ ୬୩%  ରାଜସ୍ୱ ସଂଗ୍ରହ କରିଥାଏ । ଏଣୁ ରାଜ୍ୟକୁ କେନ୍ଦ୍ର ଅର୍ଥ  ଦେଇଥାଏ । 

ବିତ୍ତୀୟ ସତର୍କତା ବା ଶୃଙ୍ଖଳା କହିଲେ ଜିଏସଡିପି  ଅନୁସାରେ ମୋଟ୍‌ ଆର୍ଥିକ ବା ବିତ୍ତୀୟ ନିଅଣ୍ଟ ଏବଂ  ରାଜସ୍ୱ ନିଅଣ୍ଟର ପରିମାଣକୁ ବୁଝାଏ । ଯଦି ବିତ୍ତୀୟ  ନିଅଣ୍ଟ ଓ ଜିଏସଡିପି ଅନୁପାତ ଅଧିକ ହୁଏ, ତେବେ  ଏହା ସୂଚାଇଦିଏ ଯେ ରାଜ୍ୟ ଏହାର ଆର୍ଥିକ ଆକାର  ତୁଳନାରେ ଅଧିକ ଋଣ କରୁଛି । ରାଜସ୍ୱ ନିଅଣ୍ଟ ଓ  ଜିଏସଡିପି ଅନୁପାତ ଅଧିକ ହେଲେ ତାହା ସୂଚାଇଦିଏ  ଯେ ରାଜ୍ୟ ଏହାର ପରିଚାଳନା, ନିତିଦିନିଆ ଖର୍ଚ୍ଚ ପୂରଣ  କରିବା ପାଇଁ ଯଥେଷ୍ଟ ରାଜସ୍ୱ ସୃଷ୍ଟି କରୁନାହିଁ ଏବଂ ଋଣ  ଉପରେ ନିର୍ଭର କରୁଛି । ଋଣ ସୂଚକାଙ୍କ କହିଲେ,  ରାଜସ୍ୱ ପ୍ରାପ୍ତି ତୁଳନାରେ ସୁଧ ପରିଶୋଧ ଅନୁପାତ  ଏବଂ ଜିଏସଡିପି ଅନୁସାରେ ବକେୟା ଦେୟ ଅନୁପାତକୁ  ବୁଝାଏ । ବକେୟା ଦେୟ କହିଲେ ଋଣ ତଥା ଅନ୍ୟାନ୍ୟ  ଦେବାକୁ ଥିବାର ସମ୍ମିଶ୍ରଣ । ସୁଧ ଦେୟ ଏବଂ ରାଜସ୍ୱ  ପ୍ରାପ୍ତିର ଏକ ଉଚ୍ଚ ଅନୁପାତ ସୂଚାଇଥାଏ ଯେ, ରାଜ୍ୟ  ଋଣ ପରିଶୋଧ ପାଇଁ ଏହାର ରାଜସ୍ୱର ଏକ ଗୁରୁତ୍ୱପୂର୍ଣ୍ଣ  ପରିମାଣ ଖର୍ଚ୍ଚ କରୁଛି, ଯାହା ଆସନ୍ନ ଆର୍ଥିକ ଚାପର  ଏକ ସଙ୍କେତ ହୋଇପାରେ । ବକେୟା ଲିଆବିଲିଟିଜ୍‌  ବା ଦେୟ/ ଜିଏସଡିପି ଅନୁପାତ ରାଜ୍ୟର ଋଣ ଭାରକୁ  ପ୍ରତିଫଳିତ କରେ । 

ଏକ ଉଚ୍ଚ ଅନୁପାତ ସୂଚାଇଥାଏ  ଯେ ରାଜ୍ୟ ଅତ୍ୟଧିକ ଋଣଗ୍ରସ୍ତ । ଋଣ ସ୍ଥାୟିତ୍ୱ କହିଲେ, ଜିଏସଡିପିର ଅଭିବୃଦ୍ଧି  ହାର ସୁଧ ପରିଶୋଧର ଅଭିବୃଦ୍ଧି ହାରଠାରୁ କେତେ  ଅଧିକ । ଏକ ଯୁକ୍ତାତ୍ମକ ପାର୍ଥକ୍ୟ ଏକ ସୁସ୍ଥ ଅର୍ଥନୈତିକ  ପରିବେଶକୁ ସୂଚିତ କରିବାବେଳେ ଏକ ବିଯୁକ୍ତାତ୍ମକ  ପାର୍ଥକ୍ୟ ଏକ ବର୍ଦ୍ଧିତ ଆର୍ଥିକ ଚାପ ସମ୍ଭାବ୍ୟ ଚ୍ୟାଲେଞ୍ଜକୁ  ସୂଚିତ କରେ । ଏହି ୫ଟି ସୂଚକାଙ୍କକୁ ନେଇ କେଉଁ ରାଜ୍ୟ କେତେ  ସ୍କୋର କରିଛି ଆକଳନ ହୁଏ । ସୂଚକାଙ୍କ ସ୍କୋର  ଆଧାରରେ ରାଜ୍ୟଗୁଡ଼ିକୁ ଆଚିଭର (୫୦ ପଏଣ୍ଟରୁ  ଅଧିକ) ଫ୍ରଣ୍ଟ ରନର (୪୦ରୁ ଅଧିକ ୫୦ ବା ୫୦ରୁ  କମ୍‌), ପର୍ଫର୍ମର ବା ପ୍ରଦର୍ଶନକାରୀ (୨୫ରୁ ଅଧିକ ୪୦  ବା ୪୦ରୁ କମ୍‌), ଆସ୍ପିରେସନାଲ ବା ଆକାଂକ୍ଷୀ (୨୫ ବା  ୨୫ରୁ କମ୍‌) ଭାବରେ ବର୍ଗୀକୃତ କରାଯାଇଛି । 

ଏହି ୫ଟି  ଉପସୂଚକାଙ୍କକୁ ଭିତ୍ତିକରି ୧୮ଟି ପ୍ରମୁଖ ରାଜ୍ୟର ବିତ୍ତୀୟ  ସ୍ୱାସ୍ଥ୍ୟର ଚିତ୍ର ପ୍ରଦାନ କରାଯାଇଅଛି । ନୀତି ଆୟୋଗଙ୍କ  ଏହି ବିତ୍ତୀୟ ସ୍ୱାସ୍ଥ୍ୟ ସୂଚୀରେ ସର୍ବମୋଟ୍‌ ୬୭.୮ ସ୍କୋର  ସହିତ ଓଡ଼ିଶା ଦେଶର ସମସ୍ତ ରାଜ୍ୟମାନଙ୍କୁ ପଛରେ  ପକାଇ ଶୀର୍ଷ ସ୍ଥାନରେ ରହିଛି । ବିଶ୍ଳେଷଣର ଅବଧି  ୨୦୨୨-୨୩ ଆର୍ଥିକ ବର୍ଷ ହୋଇଥିବାରୁ ଏହାର ଶ୍ରେୟ  ଓଡ଼ିଶାର ନବୀନ ସରକାରକୁ ଯିବା ସ୍ୱାଭାବିକ । ଓଡ଼ିଶା  ସହିତ ମାତ୍ର ୬ଟି ରାଜ୍ୟ ଆଚିଭର ଶ୍ରେଣୀରେ ଅଛନ୍ତି ।  ଓଡ଼ିଶା ପଛକୁ ରହିଛି ଛତିଶଗଡ଼ (୫୫.୨), ଗୋଆ  (୫୩.୬), ଝାରଖଣ୍ଡ (୫୧.୬), ଗୁଜରାଟ (୫୦.୫)  ରହିଛି । ସବୁଠାରୁ ପଛରେ ରହିଛି ପଞ୍ଜାବ (୧୦.୨),  ଆନ୍ଧ୍ରପ୍ରଦେଶ (୨୦.୯) ଓ ପଶ୍ଚିମବଙ୍ଗ (୨୧.୮)।  ପ୍ରଥମ ସ୍ଥାନରେ ଥିବା ଓଡ଼ିଶା ଦ୍ୱିତୀୟ ସ୍ଥାନରେ ଥିବା  ଛତିଶଗଡ଼ ଠାରୁ ୧୨ ପଏଣ୍ଟ ଭଳି ବୃହତ୍‌ ବ୍ୟବଧାନ  ରହିଛି । ପାଞ୍ଚଟି ପ୍ରମୁଖ ଉପସୂଚକାଙ୍କ ଯଥା- ବ୍ୟୟର  ଗୁଣବତ୍ତା ଦୃଷ୍ଟିରୁ ୫୨ ସ୍କୋର ରଖି ଓଡ଼ିଶା ଚତୁର୍ଥ  ସ୍ଥାନରେ ରହିଛି । ମଧ୍ୟପ୍ରଦେଶ (୫୯.୭), ବିହାର (୫୬.୧), ଛତିଶଗଡ଼ (୫୫.୧), ଓଡ଼ିଶା ଆଗରେ  ଅଛନ୍ତି । ରାଜସ୍ୱ ସଂଗ୍ରହ ଦୃଷ୍ଟିରୁ ୬୯.୯ ସ୍କୋର ସହିତ  ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ଗୋଆ (୮୭.୧),  ତେଲେଙ୍ଗାନା (୭୫.୨) ଓଡ଼ିଶା ଆଗରେ ଅଛନ୍ତି ।  ବିତ୍ତୀୟ ଶୃଙ୍ଖଳା ବା ସତର୍କତା ଦୃଷ୍ଟିରୁ ୫୪ ଅଙ୍କ ସହିତ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି । ରିପୋର୍ଟରେ କୁହାଯାଇଛି ଯେ, ଓଡ଼ିଶା ଭାରତର  କିଛି ରାଜ୍ୟ ମଧ୍ୟରୁ ଗୋଟିଏ, ଯିଏ ୨୦୦୫ ମସିହାରୁ ବିତ୍ତୀୟ ଦାୟିତ୍ୱ ଏବଂ ବଜେଟ ପରିଚାଳନା ଆଇନ  (ଏଫଆରବିଏମ୍‌ ଆଇନ) ପାରାମିଟରଗୁଡ଼ିକୁ ପାଳନ  କରୁଛି । ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ଓଡ଼ିଶାର  ରାଜସ୍ୱ ବ୍ୟୟ ଏବଂ ପୁଞ୍ଜି ବ୍ୟୟ ଯଥାକ୍ରମେ ୫୩.୫%  ଏବଂ ୪୨.୦% ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ପୁଞ୍ଜି  ବ୍ୟୟ ହାରାହାରି ବାର୍ଷିକ ୯.୨% ହାରରେ ବୃଦ୍ଧିପାଇଛି ।  ପୂର୍ବ ବର୍ଷ ତୁଳନାରେ, ସମଗ୍ର ଶିକ୍ଷା ଅଧୀନରେ ଖର୍ଚ୍ଚ  ବୃଦ୍ଧି ଯୋଗୁଁ ଶିକ୍ଷା, କ୍ରୀଡ଼ା, କଳା ଏବଂ ସଂସ୍କୃତି ଉପରେ  ପୁଞ୍ଜି ବ୍ୟୟ ବୃଦ୍ଧିପାଇଛି । ନୂତନ ସହର ବିକାଶ ପାଇଁ  ଖର୍ଚ୍ଚ ବୃଦ୍ଧି ଯୋଗୁଁ ନଗର ବିକାଶରେ ବୃଦ୍ଧି ଘଟିଛି ।  ବିକାଶମୂଳକ ଆବଶ୍ୟକତା ପାଇଁ ସ୍ୱାସ୍ଥ୍ୟସେବା ଏବଂ  ଶିକ୍ଷା ଭଳି ପ୍ରାଥମିକତା କ୍ଷେତ୍ରଗୁଡ଼ିକରେ ନିରନ୍ତର ଖର୍ଚ୍ଚ  ବୃଦ୍ଧି କରିଛନ୍ତି ।

ରିପୋର୍ଟ ଅନୁସାରେ, ରାଜ୍ୟର ନିଜସ୍ୱ ଅଣରାଜସ୍ୱ  ଏବଂ ଜିଏସଡିପିର ଅନୁପାତ ୨୦୧୮-୧୯ରେ ୨.୯% ରୁ ୨୦୨୨-୨୩ରେ ୫.୬% ବୃଦ୍ଧି ପାଇଛି । କିନ୍ତୁ ବଜେଟ  ତଥ୍ୟ ଅନୁସାରେ ଏହା ୧୯୯୯-୨୦୦୦ରେ ଜିଏସଡିପିର  ୧.୫% ଥିଲାବେଳେ, ୨୦୨୨-୨୩ରେ ୬.୦୭%  ହୋଇଥିଲା । ରିପୋର୍ଟରେ ରାଜ୍ୟର ନିଜସ୍ୱ ଅଣ-କର  ରାଜସ୍ୱର ପ୍ରାୟ ୯୦% ଏବଂ ରାଜ୍ୟର ନିଜସ୍ୱ ରାଜସ୍ୱ  ପ୍ରାପ୍ତିର ୪୫% ଖଣି କ୍ଷେତ୍ରରୁ ଉତ୍ପନ୍ନ ହୋଇଛି ବୋଲି  ଯେଉଁ ଖୁସି ପ୍ରକଟ କରାଯାଇଛି ତାହା ତ୍ରୁଟିପୂର୍ଣ୍ଣ । କାରଣ  ଖଣି ଅସରନ୍ତି ନୁହେଁ । 

ପୁନଶ୍ଚ ରିପୋର୍ଟରେ କୁହାଯାଇଛି  ଯେ, ୨୦୨୨-୨୩ ଆର୍ଥିକ ବର୍ଷରେ, ନିଜସ୍ୱ ଟିକସ ରାଜସ୍ୱ  ପୂର୍ବ ବର୍ଷ ତୁଳନାରେ ୧୪.୩% ବୃଦ୍ଧିପାଇଛି । କିନ୍ତୁ ଯଦି  ବଜେଟ୍‌ ତଥ୍ୟ ଦେଖିବା, ତେବେ ନିଜସ୍ୱ ଟିକସ ରାଜସ୍ୱ  ୧୯୯୯-୨୦୦୦ରେ ଜିଏସଡିପି ଅନୁସାରେ ୩.୬% ଥିଲାବେଳେ ୨୦୨୨-୨୩ରେ ୬.୧୫% ହୋଇଛି  ଏବଂ ସେହି ଅବଧିରେ ମୋଟ୍‌ ନିଜସ୍ୱ ଟିକସ ରାଜସ୍ୱ  ୫.୦୫%ରୁ ୧୨.୨୫% ବୃଦ୍ଧିପାଇଛି । ଖର୍ଚ୍ଚରେ ସତର୍କତା  ଓ ଶୃଙ୍ଖଳା ଏବଂ ନିଜସ୍ୱ ରାଜସ୍ୱ ସଂଗ୍ରହ ପାଇଁ ପ୍ରୟାସ  ଯୋଗୁଁ ବିତ୍ତୀୟ ନିଅଣ୍ଟ ୨୦୦୦-୦୧ରେ ମୋଟ୍‌ ଘରୋଇ  ଉତ୍ପାଦ (ଜିଏସଡିପି)ର ୬.୯%ରୁ ୨୦୨୨-୨୩ରେ  ୨%କୁ ହ୍ରାସ କରିଛି, ଯାହା ଏଫଆରବିଏମ୍‌ ଆଇନ  ଦ୍ୱାରା ନିର୍ଦ୍ଧାରିତ ୩% ସୀମା ମଧ୍ୟରେ ରହିଛି ବୋଲି  ରିପୋର୍ଟରେ ଉଲ୍ଲେଖ ହୋଇଛି । କିନ୍ତୁ ବଜେଟ୍‌ ତଥ୍ୟ  ଅନୁସାରେ, ୨୦୨୨-୨୩ରେ ବିତ୍ତୀୟ ନିଅଣ୍ଟ ୨.୮୫%  ବା ଅନ୍ୟ ସବୁ ତଥ୍ୟ ଅନୁସାରେ ୩% ପାଖାପାଖି  ରହିଛି । କିନ୍ତୁ ୨% ସମ୍ପୂର୍ଣ୍ଣ ଭୁଲ୍‌ । 

ପୁନଶ୍ଚ ଉଲ୍ଲେଖ ହୋଇଛି ରାଜ୍ୟ ୨୦୦୫- ୦୬ ପରଠାରୁ ରାଜସ୍ୱ ସରପ୍ଲସ୍‌ ବା ବଳକା ହାସଲ  କରିବାରେ ସକ୍ଷମ ହୋଇଛି । ଯାହା ରାଜ୍ୟ ସରକାରଙ୍କୁ  ସାମାଜିକ-ଆର୍ଥିକ କ୍ଷେତ୍ର ଏବଂ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ  କ୍ଷେତ୍ରଗୁଡ଼ିକରେ ଅଧିକ ନିବେଶ କରିବାକୁ ସକ୍ଷମ  କରିଥିଲା । ଆହୁରି ଉଲ୍ଲେଖ ହୋଇଛି ଯେ, ୨୦୧୯-୨୦  ପରଠାରୁ ରାଜ୍ୟର ମୋଟ୍‌ ଋଣ ଓ ଜିଏସଡିପି ଅନୁପାତ  ମୁଖ୍ୟତଃ ବଜାର ଋଣ ପରିଶୋଧ ହେତୁ ହ୍ରାସପାଉଛି । ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ବକେୟା ଦେୟ/ ଜିଏସଡିପି ଅନୁସାରେ ୧୫%-୨୪% ମଧ୍ୟରେ ଥିଲା,  ଯାହା ଏଫଆରବିଏମ୍‌ ଦ୍ୱାରା ନିର୍ଦ୍ଧାରିତ ଲକ୍ଷ୍ୟ ୨୫%  ମଧ୍ୟରେ ସୀମିତ ଥିଲା । ବଜେଟ ତଥ୍ୟ ଅନୁସାରେ ୨୦୦୨-୦୩ ସୁଦ୍ଧା ଋଣ ଓ ଜିଏସଡିପି ଅନୁପାତ ବିଭିନ୍ନ  ରାଜ୍ୟମାନଙ୍କର ହାରାହାରି ୩୪.୨% ଥିଲାବେଳେ  ଓଡିଶାର ୫୦.୭% ଥିଲା। କିନ୍ତୁ ଏହା ୨୦୨୨-୨୩ରେ ୧୨.୬୭%କୁ ହ୍ରାସପାଇଛି । କେବଳ ୧୮ଟି ରାଜ୍ୟ  କାହିଁକି, ଅନ୍ୟ କଣ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ?  କୌଣସି ରାଜ୍ୟ ବା ଦେଶକୁ ଆଗକୁ ବଢ଼ିବାକୁ ହେଲେ  ଆର୍ଥିକ ଶୃଙ୍ଖଳା ବ୍ୟତୀତ ମାନବିକ ବିକାଶ ଓ ନିଯୁକ୍ତି ବୃଦ୍ଧି  ତଥା ଦରଦାମ୍‌ ନିୟନ୍ତ୍ରଣକୁ ପ୍ରାଧାନ୍ୟ ଦେବା ଆବଶ୍ୟକ।