ଢାକା: ବାଂଲାଦେଶର ରାଜଧାନୀ ଢାକାର ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରର କାର୍ଗୋ ଅଞ୍ଚଳରେ ଅଗ୍ନିକାଣ୍ଡ । ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।
ନିଆଁ ଏତେ ଶୀଘ୍ର ବ୍ୟାପିଗଲା ଯେ, ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ତୁରନ୍ତ ସମସ୍ତ ଉଡ଼ାଣକୁ ବାତିଲ କରିବାକୁ ପଡିଲା। ଦିଲ୍ଲୀରୁ ଢାକା ଯାଉଥିବା ଏକ ବିମାନକୁ କୋଲକାତାକୁ ପଠାଯାଇଛି ।
ବିମାନବନ୍ଦରର ଗେଟ୍ ନମ୍ବର ୮ ନିକଟସ୍ଥ କାର୍ଗୋ ଭିଲେଜରେ ଅପରାହ୍ନ ପ୍ରାୟ ୨.୩୦ ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ଏପର୍ଯ୍ୟନ୍ତ କୌଣସି ମୃତାହତ ନେଇ ଖବର ମିଳିନାହିଁ । କାର୍ଗୋର ବଡ଼ କ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ଘନ କଳା ଧୂଆଁ ଆଖପାଖ ଅଞ୍ଚଳର ବାୟୁମଣ୍ଡଳକୁ ପ୍ରଦୂଷିତ କରିପକାଇଛି । ବିଶେଷଜ୍ଞମାନେ କହିଛନ୍ତି ଯେ, ଏହା ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ।
ଢାକା ବିମାନବନ୍ଦରରେ ଅଗ୍ନିକାଣ୍ଡ ଯୋଗୁଁ ମୋଟ ନଅଟି ବିମାନକୁ ଅନ୍ୟ ବିମାନବନ୍ଦରକୁ ଡାଇଭର୍ଟ କରାଯାଇଛି। ଏହି ବିମାନଗୁଡ଼ିକ ମଧ୍ୟରୁ ଆଠଟି ଚିଟାଗଙ୍ଗ ବିମାନବନ୍ଦରରେ ଏବଂ ଗୋଟିଏ ସିଲହଟ ବିମାନବନ୍ଦରରେ ଅବତରଣ କରିଛି।
ଏହି ବିମାନଗୁଡ଼ିକ ମଧ୍ୟରୁ ଦୁଇଟି ପ୍ରଥମେ ଚିଟାଗଙ୍ଗରୁ ଢାକା ଉଡ଼ାଣ କରିଥିଲା। ବାକି ୬ଟି ଅନ୍ତର୍ଜାତୀୟ ବିମାନ ଥିଲା । ଗୋଟିଏ ବ୍ୟାଙ୍କକରୁ ଏବଂ ଅନ୍ୟଟି ମଧ୍ୟପ୍ରାଚ୍ୟରୁ ଢ଼ାକା ଆସିଥିଲା ।
କ୍ୱାଲାଲମ୍ପୁରକୁ ଯାଉଥିବା ବାଟିକ ଏୟାରର ବିମାନ ଏବଂ ମୁମ୍ବାଇକୁ ଯାଉଥିବା ଇଣ୍ଡିଗୋ ବିମାନଗୁଡ଼ିକ ବର୍ତ୍ତମାନ ରନୱେରେ ଫସି ରହିଛି। ବ୍ୟାଙ୍କକରୁ ୟୁଏସ୍-ବାଂଲା ବିମାନ ଏବଂ ସାରଜାହରୁ ଏୟାର ଆରବିୟା ବିମାନଗୁଡ଼ିକୁ ଢାକା ପରିବର୍ତ୍ତେ ଚିଟାଗଙ୍ଗକୁ ସ୍ଥାନାନ୍ତର କରାଯାଇଛି।
ଇଣ୍ଡିଗୋର ଦିଲ୍ଲୀ ବିମାନକୁ କୋଲକାତା ଅଭିମୁଖେ ସ୍ଥାନାନ୍ତର କରାଯାଇଛି। କ୍ୟାଥେ ପାସିଫିକର ହଂକଂ ବିମାନ ଆକାଶରେ କିଛି ସମୟ ଘୂରି ବୁଲିଥିଲା ଏବଂ ଅନ୍ୟତ୍ର ଅବତରଣ କରିଥିବା କୁହାଯାଉଛି । ସୈଦପୁର ଏବଂ ଚିଟାଗଙ୍ଗରୁ ଆସୁଥିବା ଘରୋଇ ବିମାନଗୁଡ଼ିକୁ ଚିଟାଗଙ୍ଗକୁ ଫେରାଇ ଦିଆଯାଇଛି।