କଟକ,୧୪/୦୩: ହୋଲି ପର୍ବ  ପାଳନ ପରିପ୍ରେକ୍ଷୀରେ ଅଗ୍ନିଶମ ବିଭାଗ  ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବସିଥିଲା । ହୋଲି ଦିନ ନଦୀ ଗାଧୁଆରେ ଅଘଟଣ ରୋକିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଉଭୟ କାଠଯୋଡି ଓ ମହାନଦୀର ବିଭିନ୍ନ ଘାଟ ଗୁଡିକରେ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି । 

ମୁଖ୍ୟତଃ ମହାନଦୀର କାଳିଆବୁଦା ନିକଟସ୍ଥ ଘାଟ, ଯୋବ୍ରା, ମାଲାଗାଦାମ ଥାନା ନିକଟ, ବାଲିଯାତ୍ରା ତଳ ପଡିଆ, ହାଡିଆପଠା  ସଂଲଗ୍ନ ଘାଟ, ଏନସିସି ନ୍ୟାଭି କାର୍ଯ୍ୟାଳୟ, ଚହଟା, ଧବଳେଶ୍ୱର ଗଡା, ଭୁଆଶୁଣି ଗଡା  ଓ ନରାଜ ନିକଟ ଘାଟରେ ଉଦ୍ଧାରକାରୀ ଦଳ  ସଜାଗ ରହିବ । ସେହିପରି କାଠଯୋଡିରେ  ପାଣି ନଥିଲେ ମଧ୍ୟ ରିଂବନ୍ଧରେ ରେସ୍କ୍ୟୁ ଟିମ  ଆଲର୍ଟରେ ରହିବ । ବକ୍ସିବଜାର, ବିଡାନାସୀ  ଓ ଚାଉଳିଆଗଞ୍ଜ ଅଗ୍ନିଶମ କେନ୍ଦ୍ର ପକ୍ଷରୁ  ଗୋଟିଏ କରି ୟୁନିଟ କାର୍ଯ୍ୟକ୍ଷମ ହେବ ।  ତେବେ ନିଶାଦ୍ରବ୍ୟ ସେବନ କରି ନଦୀ ମଧ୍ୟକୁ  ପ୍ରବେଶ ନକରିବାକୁ ଅଗ୍ନିଶମ ଅଧିକାରୀ  ସଞ୍ଜିବ ବେହେରା ପରାମର୍ଶ ଦେଇଛନ୍ତି ।  

ଅନ୍ୟପଟେ, ପୁଲିସ ପକ୍ଷରୁ ମଧ୍ୟ ସହରରେ ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ହୋଲି ଦିନ କୌଣସି ଅଭିଯୋଗ ପାଇବାର  ୧୫ ମିନି୍‌ଟ ଭିତରେ ଅଭିଯୋଗାକରୀଙ୍କ ସହିତ  ଯୋଗାଯୋଗ କରି ପୁଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।