ପୁରୀ,୨୪/୦୧: ପୁରୀ ଜିଲ୍ଲାରେ ଶିଶୁ ସୁରକ୍ଷା ଯୋଜନା ବାଟବଣା ହୋଇଯାଇଛି । ମହିଳା ଓ ଶିଶୁ ସମନ୍ୱିତ ବିକାଶ କାର୍ଯ୍ୟକ୍ରମ ଠିକ୍ରେ କାର୍ଯ୍ୟକ୍ଷମ ନହେବା ଚିନ୍ତାର କାରଣ ହୋଇଛି । ଜିଲ୍ଲାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଏପର୍ଯ୍ୟନ୍ତ ନିଜସ୍ୱ କୋଠାରେ ଚାଲିନପାରିବା, ଦୁର୍ବଳ ଭିତ୍ତିଭୂମି ଓ ଶିଶୁମାନଙ୍କୁ ଆବଶ୍ୟକ ପୃଷ୍ଟି ସାଧନ ଦିଆନଯିବା ଏହାର କାରଣ ହୋଇଛି । ସେପଟେ ଶିଶୁମାନଙ୍କ ନିରାପତ୍ତାକୁ ମଧ୍ୟ ଅଖି ବୁଜି ଦିଆଯାଇଛି । ପାଚିକା ନିଯୁକ୍ତ ହୋଇଥିଲେ ହେଁ ଜିଲ୍ଲାର କୌଣସି ଅଙ୍ଗନବାଡ଼ି କେନ୍ଦ୍ରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମଗିରି ଓ ଗୋପ ବ୍ଲକରେ ଥିବା ସିଡିପିଓ (ଚାଇଲ୍ଡ ଡେଭଲପମେଣ୍ଟ ପ୍ରୋଜେକ୍ଟ ଅଫିସର) ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ନିମନ୍ତେ ପ୍ରଶାସନିକ ବିଜ୍ଞପ୍ତି ଆହ୍ୱାନ କରିଛନ୍ତି ।
ଜିଲ୍ଲାରେ ଥିବା ମୋଟ ୨୫୯୯ ଅଙ୍ଗନବାଡ଼ି କେନ୍ଦ୍ର ଥିବାବେଳେ ଏଥିରୁ ଅସ୍ତରଙ୍ଗରେ ୧୭୮, ବ୍ରହ୍ମଗିରିରେ ୨୦୦, ଡେଲାଙ୍ଗରେ ୧୭୯, ଗୋପରେ ୨୮୭, କାକଟପୁରରେ ୧୮୨, କଣାସରେ ୨୮୫, କୃଷ୍ଣପ୍ରସାଦରେ ୧୩୪, ନିମାପଡ଼ାରେ ୩୭୯, ପିପିଲିରେ ୨୬୧, ପୁରୀ ପୌରାଞ୍ଚଳରେ ୮୦, ପୁରୀ ସଦରରେ ୨୬୯, ସତ୍ୟବାଦୀରେ ୧୬୫ ଅଙ୍ଗନବାଡ଼ି ରହିଛି । ମୋଟ ଅଙ୍ଗନବାଡ଼ି ମଧ୍ୟରୁ ୧୫୨୦ର ନିଜସ୍ୱ କୋଠା ଥିବା ବେଳେ ୧୦୭୯ର ନିଜସ୍ୱ ଘର ନାହିଁ । ଏସବୁ ଅଙ୍ଗନବାଡ଼ି କେନ୍ଦ୍ର କୋଠଘରେ ଚାଲୁଛି । ୪୧୩ଟି ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣାଧୀନ ରହିଛି । ସେହିପରି ୧୧୫ ଅଙ୍ଗନବାଡ଼ି କେନ୍ଦ୍ରରେ ବିଦ୍ୟୁତ୍ ବ୍ୟବସ୍ଥା ନଥିବାରୁ ପିଲାମାନେ ଖରାଦିନେ ପଙ୍ଖା ସୁବିଧା ନପାଇ କଲବଲ ହେଉଛନ୍ତି । ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରିବା ନିମନ୍ତେ ଅଙ୍ଗନବାଡ଼ି କେନ୍ଦ୍ର ଅସମର୍ଥ ହେଉଛି । ଶିଶୁମାନଙ୍କ ପ୍ରାଥମିକ ଶିକ୍ଷା, ପୃଷ୍ଟି ଖାଦ୍ୟ ପରିବେଷଣ, ଟୀକାକରଣ, ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ବ୍ୟାପକ ସମସ୍ୟା ସୃଷ୍ଟି ହେଉଛି । ସେମାନଙ୍କ ଖେଳିବା ନିମନ୍ତେ ସ୍ଥାନ ନାହିଁ ।
ବେସରକାରୀ ପ୍ଲେ ସ୍କୁଲକୁ ଦୃଷ୍ଟି ଦେଲେ ଅଙ୍ଗନବାଡ଼ି ଭିତ୍ତିଭୂମି ଅତି ନଗଣ୍ୟ ସ୍ଥିତିରେ ରହିଛି । ୧୩୪୪ଟି ଅଙ୍ଗନବାଡ଼ିରେ ଶୌଚାଳୟ ନାହିଁ । ତେଣୁ ଶିଶୁମାନେ ଏଣେତେଣେ ମଳମୂତ୍ର ତ୍ୟାଗ କରିବାକୁ ଯାଉଛନ୍ତି । ଗାଁଗୁଡ଼ିକ ଓଡିଏଫ୍ (ବାହ୍ୟ ମଳମୂତ୍ରମୁକ୍ତ) ପ୍ରଶାସନ ଘୋଷଣା କରିଥିଲେ ହେଁ ବାସ୍ତବରେ ସରକାରୀ ତଥ୍ୟ ଏହାକୁ ବିଫଳ ପ୍ରମାଣିତ କରାଉଛି । ଅଧିକାଂଶ ଅଙ୍ଗନବାଡ଼ି କେନ୍ଦ୍ରକୁ ପାଇପ୍ ପାନୀୟଜଳ ସଂଯୋଗ ଦିଆଯାଇନି । ଜିଲ୍ଲାରେ କୁପୋଷଣରୁ ସୁରକ୍ଷା ନିମନ୍ତେ ୬ ମାସରୁ ୬ ବର୍ଷ ପର୍ଯ୍ୟନ୍ତ ୮୫ ହଜାର ୭୪୬ ଜଣ କମ୍ ଓଜନର ଶିଶୁଙ୍କୁ ପୋଷଣ ଅଭିଯାନରେ ସାମିଲ କରାଯାଇ ଆବଶ୍ୟକ ଖାଦ୍ୟ ଓ ସ୍ୱାସ୍ଥ୍ୟ ସୁରକ୍ଷା ଅଙ୍ଗନବାଡ଼ି ଜରିଆରେ ଦିଆଯାଉଛି । ସେହିପରି ପରିଚର୍ଯ୍ୟାଭୁକ୍ତ ୪ ହଜାର ୫୨୫ ଜଣ ୬ରୁ ୩ ବର୍ଷ ବୟସ୍କ ଓ ୪୧ ହଜାର ୧୭୯ ଜଣ ୩ରୁ ୬ ବର୍ଷ ବୟସ୍କ ଶିଶୁମାନଙ୍କୁ ମଧ୍ୟ ଖାଦ୍ୟ ଦିଆଯାଉଛି । ତଥାପି ଜିଲ୍ଲାରେ ୭୪ ଜଣ ଅପପୃଷ୍ଟିର ଶିକାର ଶିଶୁ ଚିହ୍ନଟ ହୋଇଛନ୍ତି । ଏଥିରୁ ଅଙ୍ଗନବାଡ଼ିଗୁଡ଼ିକର ଦୁର୍ବଳ ଭିତ୍ତିଭୂମି ଅଭିଯାନକୁ କେତେଦୂର ସଫଳ କରାଉଛି ତାହା ସ୍ପଷ୍ଟ ଅନୁମେୟ ।
ସେପଟେ କା’ରେ ଚାଲିଛି ପାଠପଢ଼ା ଓ ଶିଶୁ ସୁରକ୍ଷା । ଅଙ୍ଗନବାଡ଼ିକୁ ପ୍ରାଥମିକ ଶିକ୍ଷା ନେବା ପାଇଁ ଆଗ୍ରହୀ ଶିଶୁମାନଙ୍କୁ ଗରମ ଖାଦ୍ୟ ଦେବାର ବ୍ୟବସ୍ଥା ରହିଛି । ହେଲେ ସପ୍ତାହକ ୭ ଦିନ ମଧ୍ୟରୁ ସୋମବାରକୁ ଛାଡ଼ିଲେ ବାକି ଦିନ ଭାତ ସହ ଅଣ୍ଡା ତରକାରୀ ଓ ଲେମ୍ବୁ ଦିଆଯାଉଛି । ଫଳରେ ନିରାମିଷ ବିଦ୍ୟାର୍ଥୀମାନେ ଅଙ୍ଗନବାଡ଼ି ପ୍ରତି ଆଗ୍ରହ ଦେଖାଉନାହାନ୍ତି । ସେପଟେ ଶିଶୁମାନଙ୍କ ନାମକୁ ଜାଲିଆତି କରି ରନ୍ଧା ଖାଦ୍ୟ ହଡ଼ପ ହେଉଛି । ଗ୍ରାମାଞ୍ଚଳରେ ସ୍ଥିତି ଉଦ୍ବେଗଜନକ ଥିବା ବେଳେ ଏଥିପ୍ରତି ପ୍ରଶାସନ ଦୃଷ୍ଟି ନଦେବା ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଉପରେ ଅଙ୍ଗୁଳି ଉଠାଇଛି ।