ନୂଆଦିଲ୍ଲୀ ୦୭/୦୧: ଆମେରିକାର ଲୁଧିଆନାରେ ବାର୍ଡ ଫ୍ଲୁକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏହି ଫ୍ଲୁ ହେତୁ ଏଠାରେ ଜଣେ ୬୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। କିଛି ଦିନ ପୂର୍ବରୁ ଏହି ରୋଗୀଙ୍କୁ ମିଡ ସାଉଥ ଷ୍ଟେଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (CDC) ଏହାକୁ H5N1 ଜୀବାଣୁ ମଣିଷରେ ବ୍ୟାପିବାର ପ୍ରଥମ ମାମଲା ବୋଲି ବର୍ଣ୍ଣନା କରିଥିଲା। ଆଜିକାଲି ଆମେରିକାରେ ବାର୍ଡ ଫ୍ଲୁ ଅତି ଦ୍ରୁତ ଗତିରେ ବ୍ୟାପୁଛି। ଲୁଧିଆନା ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଏକ ବିବୃତ୍ତିରେ କହିଛି ଯେ ସାଧାରଣ ଜନତାଙ୍କ ପାଇଁ ବିପଦ କମ୍, କିନ୍ତୁ ଯେଉଁମାନେ ପକ୍ଷୀ, କୁକୁଡ଼ା ଏବଂ ଗାଈଙ୍କ ଚାରିପାଖରେ ଅଧିକ ସମୟ ରହୁଛନ୍ତି ସେମାନେ ସତର୍କ ରହିବା ଆବଶ୍ୟକ।

ରିପୋର୍ଟ ଅନୁଯାୟୀ, ବକ୍ତି ଜଣକ ବନ୍ୟ ପକ୍ଷୀମାନଙ୍କ ସଂସ୍ପର୍ଶରେ ଆସିବା ପରେ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ବର୍ତ୍ତମାନ ରାଜ୍ୟ ଏ ସମ୍ପର୍କରେ କୌଣସି ନିଶ୍ଚିତତା ଦେଇନାହିଁ। କେନ୍ଦ୍ର ସରକାର H5N1 ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି ।ଏହା ଉପରେ ଗବେଷଣା ଚାଲିଛି। ତେବେ ପକ୍ଷୀମାନଙ୍କଠାରୁ ମଣିଷ ପର୍ଯ୍ୟନ୍ତ ବାର୍ଡ ଫ୍ଲୁର ଶୀଘ୍ର ବିସ୍ତାରକୁ ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକାଶ କରିଛନ୍ତି। ଏହା ଏକ ଗମ୍ଭୀର ରୂପ ନେଇପାରେ ବୋଲି ମଧ୍ୟ କୁହାଯାଇଛି।