କୋଣାର୍କ,୧୭।୧୨(ଆପ୍ର) : ଜାନୁୟାରୀ ୨୫ ତାରିଖରେ ଚନ୍ଦ୍ରଭାଗା ତୀର୍ଥରେ ପବିତ୍ର ମାଘ ସପ୍ତମୀ ବୁଡ଼। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଧବାର ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରୀୟ ରଞ୍ଜନ ପୃଷ୍ଟି, ଅତିରିକ୍ତ ଏସପି ସଚିନ ପଟେଲ , ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇ ପ୍ରମୁଖ ଯୋଗଦେଇଥିଲେ।
ଚଳିତ ବର୍ଷ ଚନ୍ଦ୍ରଭାଗା ତୀର୍ଥରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ମେଳା ପଡ଼ିଆରେ ପାନୀୟ ଜଳ ଯୋଗାଣ ନିମନ୍ତେ ୬୦ଟି ଷ୍ଟାଣ୍ଡ ପୋଷ୍ଟ ୨ଟି ପାଣି ଟ୍ୟାଙ୍କର,୧୦୦ ଅସ୍ଥାୟୀ ଶୌଚାଳୟ, ତୀର୍ଥ ପୁଷ୍କରିଣୀ ଜଳ ନିଷ୍କାସନ ଓ ବିଶୋଧନ, ଟ୍ରାଫିକ ବ୍ୟବସ୍ଥା, ଚନ୍ଦ୍ରଭାଗା, ରାମଚଣ୍ଡୀ ଓ କୋଣାର୍କ ବସଷ୍ଟାଣ୍ଡରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର, ମାଘ ଷଷ୍ଠି ଓ ସପ୍ତମୀ ଦୁଇଦିନ ପରିମଳ, ଯାନବାହାନ ପାର୍କିଂ, ଆଲୋକ ବ୍ୟବସ୍ଥ, ସୂଚନା,ପ୍ରସାରଣ, ଯାନବାହନ ନିୟନ୍ତ୍ରଣ ଆଦି ବ୍ୟବସ୍ଥାକୁ ସୂଚାରୁରୂପେ ସମ୍ପାଦନ କରିବା ପାଇଁ ବିଭାଗୀୟ ଅଧିକାରୀମାନେ ବୈଠକରେ ସୂଚନା ଦେଇଥିଲେ। ଜାନୁୟାରୀ ୨୪ ଓ ୨୫ ଏହି ଦୁଇ ଦିନ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ରହିବ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତିନି ଠାକୁରଙ୍କ ସେବାୟତ,ମେଳାର ବ୍ୟବସ୍ଥା ସହ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ, କୋଣାର୍କର ସମସ୍ତ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।