ପୁରୀ,୦୭/୧୦: ଶ୍ରୀକ୍ଷେତ୍ରରେ ରାଈଦାମୋଦର ବ୍ରତ ପାଳନ ନିମନ୍ତେ ସରକାରଙ୍କ ପକ୍ଷରୁ ପଞ୍ଜୀକରଣ ନିମନ୍ତେ ଇଛୁକ ହବିଷ୍ୟାଳିମାନଙ୍କ ଆବେଦନ ଆହ୍ୱାନ କରାଯାଇଥିଲା । ରବିବାର ପ୍ରଥମ ଦିନରେ ପ୍ରାୟ ୩୪୦୦  ହବିଷ୍ୟାଳି ନାମ ପଞ୍ଜୀକରଣ କରିଥିବା ସୂଚନା ମିଳିଛି । ଯାହା ପରେ ଅନ୍‌ଲାଇନ୍‌ ୱେବ୍‌ସାଇଟ୍‌କୁ ସରକାରଙ୍କ ପକ୍ଷରୁ ବନ୍ଦ କରି ଦିଆଯାଇଛି ।  

ତେବେ କେଉଁ ଜିଲ୍ଲାରୁ କେବେ ଆବେଦନ ଆସିଛି ତାହା  ଜଣାପଡ଼ିନି । ପ୍ରତିବର୍ଷ ପରି ଶ୍ରୀକ୍ଷେତ୍ରରେ କାର୍ତ୍ତିକ ମାସରେ ରାଈଦାମୋଦର  ବ୍ରତ ପାଳନ ନିମନ୍ତେ ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କୁ ସୁଯୋଗ  ଦିଆଯାଇଥିଲା । ମାଗଣାରେ  ରହଣି, ଜଗା ଦର୍ଶନ, ତୀର୍ଥ  ସ୍ନାନ, ମହାପ୍ରସାଦ ସେବନ,  ପୁରାଣ ଓ ପ୍ରବଚନ ଶୁଣିବା  ପ୍ରଭୃତିର ସୁଯୋଗ ସରକାର ଦେଉଥିବା ଜାଣିବା ପରେ ପ୍ରଥମ ଦିନରେ ହିଁ  ଲକ୍ଷ୍ୟ ଧାର୍ଯ୍ୟଠାରୁ ଆଧିକ ଆଶାୟୀ ହବିଷ୍ୟାଳି ଅନ୍‌ଲାଇନ୍‌ ଯୋଗେ ନାମ  ପଞ୍ଜୀକରଣ କରିଛନ୍ତି । ତେଣୁ ୧୧ ତାରିଖ ସୁଦ୍ଧା ନାମ ପଞ୍ଜୀକରଣ କରିବାକୁ ଯୋଜନା କରିଥିବା ଆଶାୟୀ ହବିଷ୍ୟାଳି ଏହି ସୁବିଧାରୁ ବାଦ୍‌ ପଡ଼ିବା  ସୁନିଶ୍ଚିତ ହୋଇଛି । 

ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ୨୫ଶହ ହବିଷ୍ୟାଳିଙ୍କୁ ଶ୍ରୀକ୍ଷେତ୍ରରେ  ରହି ହବିଷ୍ୟ ପାଳନର ମାଗଣା ସୁବିଧା ଦେବାକୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ଏଥିନିମନ୍ତେ ୨ କୋଟିରୁ ଅଧିକ ଟଙ୍କା ବ୍ୟୟ  ବଜେଟ ହୋଇଛି । ତେବେ ଶାରୀରିକ ଓ ମାନସିକ ସୁସ୍ଥ ଥିବା ବିଧବା ଓ  ନୂତନ ଆବେଦନକାରୀଙ୍କୁ ଚଳିତ ବର୍ଷ ସରକାର ପ୍ରାଥମିକତା ଭିତ୍ତିରେ ବ୍ରତ  ପାଳନର ସୁଯୋଗ ଦେବାକୁ ଅଣ୍ଟା ଭିଡ଼ିଥିବାରୁ ଯାଞ୍ଚ ପ୍ରକ୍ରିୟାରେ ଅନେକ  ବାଦ୍‌ ପଡ଼ିବା ସୁନିଶ୍ଚିତ ହୋଇଛି । ୧୮ ତାରିଖରୁ ବ୍ରତ ଆରମ୍ଭ ହେଉଥିବାରୁ  ଆସନ୍ତା ୧୩ ତାରିଖ ସୁଦ୍ଧା ସମସ୍ତ ପ୍ରସ୍ତୁତି ସାରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି।