ନୂଆଦିଲ୍ଲୀ,୩୧/୦୫: ଦେଶରେ କରୋନା ଆତଙ୍କ ଦେଖାଦେଇଛି । ଦ୍ରୁତ ଗତିରେ ବଢୁଛି ସଂକ୍ରମଣ ମାମଲା । ଗତ ସପ୍ତାହେ ହେବ ଦେଶରେ ୨ ହଜାରରୁ ଅଧିକ ଆକ୍ଟିଭ କେସ୍ ରହିଛି। ଏହାରି ଭିତରେ ଦିଲ୍ଲୀରେ ପ୍ରଥମ କରୋଜନିତ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ପ୍ରଥମ ମୁଣ୍ଡ ନେଇଛି କରୋନାର ନୂଆ ଭାରିଏଣ୍ଟ । ଜଣେ ୬୦ ବର୍ଷୀୟ ମହିଳାଙ୍କର କରୋନାରେ ମୃତ୍ୟୁ ହୋଇଛି ।
ଦିଲ୍ଲୀ-ନୋଏଡ଼ା ଓ ଗାଜିଆବାଦରେ ବି କରୋନା ଦ୍ରୁତ ଗତିରେ ମାଡୁଛି । ଦିଲ୍ଲୀରେ ଗୋଟିଏ ଦିନରେ ୫୬ ନୂଆ ମାମଲା ଚିହ୍ନଟ ହୋଇଛି । ବର୍ତ୍ତମାନ ଦିଲ୍ଲୀରେ ସକ୍ରିୟ ମାମଲା ୨୦୦ ରହିଛି । ଦେଶରେ କରୋନାଜନିତ ମୃତ୍ୟୁ ୭ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରୁ ୨ଜଣ ରହିଥିବାବେଳେ ଦିଲ୍ଲୀ, ଗୁଜରାଟ, ପଞ୍ଜାବ, କର୍ଣ୍ଣାଟକ ଓ ତାମିଲନାଡୁରେ ଜଣେ ଲେଖାଏଁ ଆଖି ବୁଜିଛନ୍ତି ।
ଦିଲ୍ଲୀରେ କରୋନାରେ ଆଖି ବୁଜିଥିବା ମହିଳାଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା । ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚେକ୍ଅପ ପରେ ତାଙ୍କୁ ଆକ୍ୟୁଟ ଇନଷ୍ଟାଇନ୍ ଅବଷ୍ଟ୍ରକସନ୍ ହୋଇଥିବା ଜଣାପଡିଥିଲା । ଏହାପରେ ସର୍ଜରୀ ହୋଇଥିଲା । ରୁଟିନ୍ ଚେକଅପ୍ରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା ।
ଦେଶରେ କରୋନା ସ୍ଥିତି-କୋଭିଡ଼-୧୯ର ନୂଆ ଭାରିଏଣ୍ଟ ଏଲଏଫ-୭ ଓ ଏନବି.୧୮.୧ ପୁଣି ଆତଙ୍କ ଖେଳାଇଛି । ବର୍ତ୍ତମାନ ଦେଶରେ ମୋଟ୍ ସକ୍ରିୟ ମାମଲା ୨୭୧୦ ରହିଛି । ଗତ ୨୪ ଘଣ୍ଟାରେ ୫୧୧ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ୨୫୫ଜଣ ସୁସ୍ଥ ହୋଇଛନ୍ତି । ୭ ଜଣଙ୍କର ମୃତ୍ୟୁ ହୋଇଛି । କେରଳରେ ସର୍ବାଧିକ ୧,୧୪୭ ମାମଲା ରହିଛି । ଏହାପରେ ୪୨୪ ମାମଲା ସହ ଦ୍ୱିତୀୟ ରହିଛି ମହାରାଷ୍ଟ୍ର । ଦିଲ୍ଲୀରେ ୨୯୪, ଗୁଜରାଟରେ ୨୨୩, କର୍ଣ୍ଣାଟକ ଓ ତାମିଲନାଡୁରେ ୧୪୮ ଲେଖାଏଁ ସଂକ୍ରମଣ କେସ୍ ରହିଛି । ପଶ୍ଚିମବଙ୍ଗରେ ୧୧୬ ସଂକ୍ରମିତ ରହିଛନ୍ତି । ଅଧିକାଂଶ ମାମଲା ମାଇଲ୍ଡ ରହିଛି । ଚିନ୍ତିତ ନହୋଇ ସତର୍କ ରହିବାକୁ କହିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । କରୋନାର ନୂଆ ଭାରିଏଣ୍ଟ ଏକ ମାରାତ୍ମକ ନୁହେଁ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।