ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ପରେ ଅନ୍ୟ ରାଜ୍ୟରେ ଏବେ ଜିବିଏସ୍‌ (ଗିଲିୟନ୍‌-ବ୍ୟାରେ ସିଂଡ୍ରୋମ୍‌) ସଂକ୍ରମଣ ବୃଦ୍ଧି ପାଉଛି। ଏବେ ଆସାମରେ ଜିବିଏସ୍‌ ଜୀବନ ନେଇଛି । ଏକ ଘରୋଇ ହସ୍ପିଟାଲରେ ଜିବିଏସ୍‌ ସଂକ୍ରମଣ ଯୋଗୁଁ ଜଣେ ୧୭ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ହୋଇଛି । ଆସାମରେ ଜିବିଏସ୍‌ ଯୋଗୁଁ ପ୍ରଥମ ଜୀବନ ଯାଇଛି ବୋଲି କୁହାଯାଉଛି । ଜଣେ ଡାକ୍ତର ଏନେଇ କହିଥିବା ବେଳେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ । 

ହସ୍ପିଟାଲର ଜଣେ ଶିଶୁ ରୋଗ ବିଶେଷଜ୍ଞ ନାମ ଗୋପନ ରଖିବା ସର୍ତ୍ତରେ ଜାତୀୟ ଗଣମାଧ୍ୟମକୁ ଦେଇଥିବା‌ ସୂଚନା ଅନୁସାରେ, +୨ ଛାତ୍ରୀଙ୍କୁ ପ୍ରାୟ ୧୦ ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କୁ ଜିବିଏସ୍‌ ହୋଇଥିବା ଜଣାପଡ଼ିଥିଲା । ଜିବିଏସ୍‌ ସଂକ୍ରମଣ ହେଲେ ହଠାତ ଶରୀରର ମାଂସପେଶୀ କମଜୋର ହୋଇପଡ଼େ ଏବଂ ପରେ ଗୁରୁତର ସମସ୍ୟା ସୃଷ୍ଟି କରିବା ସହ ରୋଗୀର ଜୀବନ ମଧ୍ୟ ନେଇଯାଏ । ଡାକ୍ତର କହିଛନ୍ତି, ‘ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଗମ୍ଭୀର ଜିବିଏସ୍‌ ଭାରିଏଣ୍ଟ ଦ୍ବାରା ପୀଡ଼ିତ ଥିବା ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । ତେବେ ଆସାମରେ ଏହା ପ୍ରଥମ ଜିବିଏସ୍‌ ମୃତ୍ୟୁ ।’ 

ମିଳିଥିବ ସୂଚନା ଅନୁସାରେ, ମୃତ ଛାତ୍ରୀଙ୍କ ଶରୀରରେ ଦେଖିବାକୁ ମିଳିଥିବା ଲକ୍ଷ୍ୟଣ ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ ମିଳିଥିବା ଲକ୍ଷ୍ୟଣ ସହ ସମାନ ଥିଲା । ଡାକ୍ତର ଜଣଙ୍କ କହିଛନ୍ତି, ଆଗକୁ ଏଭଳି ଆହୁରି ମାମଲା ଆସିପାରେ ବୋଲି ଭାବି ଭୟ ଲାଗୁଛି । ଛାତ୍ରୀ ଜଣଙ୍କ ବିହାରର ହୋଇଥିବା ବେଳେ ସେ ଆସାମରେ ରହୁଥିଲେ । ତାଙ୍କ ବାପା-ମା ଉତ୍ତମ ଚିକିତ୍ସ ଲାଗି ଝିଅକୁ ଦିଲ୍ଲୀ ନେବାକୁ ଚାହୁଁଥିଲେ ଏବଂ ଏଥିପାଇଁ ଏୟାର ଆମ୍ବୁଲାନ୍ସର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । କିନ୍ତୁ ଝିଅଟି ବଞ୍ଚିପାରିଲା ନାହିଁ ବୋଲି ଡାକ୍ତର ଜଣଙ୍କ କହିଛନ୍ତି ।