ଭୁବନେଶ୍ୱର ୧୪/୦୪: ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ ଦ୍ୱାରା ‘ ପ୍ରଥମ ଗ୍ୟାଷ୍ଟ୍ରୋ ସମିଟ୍‌’ ଏଠାରେ ରବିବାର ଦିନ ଆନୁଷ୍ଠିତ ହୋଇଯାଇଛି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ସମିଟ୍‌କୁ ଉଦ୍‌ଘାଟନ କରିଥିଲେ । ଏଥିରେ ଅତିଥି ରୂପେ ଜାତୀୟ ଗ୍ୟାଷ୍ଟ୍ରୋ ସଂଗଠନର ସେକ୍ରେଟାରୀ ଜେନେରାଲ୍‌ ଡ. ମାଥ୍ୟୁ ଫିଲିପ୍‌ , ନୂଆଦିଲ୍ଲୀ ସ୍ଥିତ ଏମସ୍‌ର ପ୍ରଫେସର ଡ. ଗୋବିନ୍ଦ ମଖାରିଆ ଓ ଚଣ୍ଡିଗଡ ସ୍ଥିତ ପିଜିଆଇର ପ୍ରଫେସର ଡ. ବିଶାଲ୍‌ ଶର୍ମା ଯୋଗ ଦେଇଥିଲେ ।

ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ଥିଲା ‘ଲ୍ୟୁମେନ୍‌’ ରୋଗର ରହସ୍ୟ ଉନ୍ମୋଚନ ।  ଏହି ଆଲୋଚନା ଚକ୍ରରେ ଭାରତର ବିଭିନ୍ନ ମେଡିକାଲ କଲେଜର ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଡାକ୍ତରମାନେ ନିଜ ନିଜର ଗବେଷଣା ପ୍ରସୂତ ପ୍ରବନ୍ଧ ଉପସ୍ଥାପନ କରିଥିଲେ ଓ ପ୍ରଶ୍ନୋତର ମାଧ୍ୟମରେ ଲ୍ୟୁମେନ୍‌ ରୋଗର ବିଭିନ୍ନ ସମସ୍ୟା ଓ ସମାଧାନ ପାଇଁ ଅତ୍ୟାଧୁନିକ ଉପାୟର ସୂଚନା ଦେଇଥିଲେ । ଏହି ଅବସରରେ ଭାରତର କିମ୍ବଦନ୍ତୀ ଗ୍ୟାଷ୍ଟ୍ରୋ ବିଶେଷଜ୍ଞ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପ୍ରଫେସର (ଡ.) ଟି.ଏସ୍‌. ଚନ୍ଦ୍ର ଶେଖରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଲୋଚନା ଚକ୍ରରେ ଓଡିଶା ତଥା ରାଜ୍ୟ ବାହାରୁ ୨୫୦ରୁ ଅଧିକ ଡାକ୍ତରମାନେ ଅଂଶଗ୍ରହଣ କରିଥିଲେ ।

ଏହି ଆଲୋଚନା ଚକ୍ର ପରିଚାଳନା କରିଥିଲେ ଆଇଏମ୍‌ଏସ୍‌ର ଗ୍ୟାଷ୍ଟ୍ରୋ ବିଭାଗର ମୁଖ୍ୟ ପ୍ରଫେସର (ଡ.) ଗିରିଶ କୁମାର ପତି, ସହଯୋଗ କରିଥିଲେ ପ୍ରଫେସର (ଡ) ଜିମ୍ମୀ ନାରାୟଣ । ଅତିଥି ଓ ବକ୍ତାମାନଙ୍କୁ ସ୍ୱାଗତ କରିଥିଲେ ସଂଗଠନ ସଂପାଦକ ଆସୋସିଏଟ୍‌ ପ୍ରଫେସର (ଡ) ଅନୁରାଗ ଜେନା ଓ ଅନ୍ୟତମ ସଂଗଠନ ସଂପାଦକ, ଆସୋସିଏଟ୍‌ ପ୍ରଫେସର (ଡ) ମନଜିତ୍‌ କାନୁନଗୋ । ସମ୍ମିଳନୀର ଆୟୋଜନ ଓ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ଆସୋସିଏଟ୍‌ ପ୍ରଫେସର (ଡ) ସ୍ୱରୂପ କୁମାର ପଟ୍ଟନାୟକ, ଆସୋସିଏଟ୍‌ ପ୍ରଫେସର (ଡ) ଏସ୍‌. ରାକେଶ କୁମାର ଏବଂ ଆସିଷ୍ଟାଂଟ ପ୍ରଫେସର (ଡ) ବଶିଷ୍ଠ ପାଲନଟି ।