ଫୁଲବାଣୀ/ଦାରିଙ୍ଗବାଡି,୨୭/୦୨: ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଗୁରୁବାର ଉଦ୍ଘାଟିତ ହୋଇଛି ରାଜ୍ୟର ପ୍ରଥମ ଜିଲ୍ଲା ସ୍ତରୀୟ ଇନଭେଷ୍ଟମେଣ୍ଟ ମିଟ୍-ଇନଭେଷ୍ଟ କନ୍ଧମାଳ-୨୦୨୫ । ସ୍ଥାନୀୟ ଇକୋ ରିଟ୍ରିଟ୍ ଠାରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମ ଉଦ୍ଘାଟନ କରିଛନ୍ତି । କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟନ, ପଶୁପାଳନ, ଉଦ୍ୟାନ କୃଷି ପାଇଁ ବ୍ୟାପକ ସୁଯୋଗ ରହିଥିବା ଏବଂ ଏହାର ଉପଯୋଗ ପାଇଁ ଏହା ଏକ ଯଥାର୍ଥ ଉଦ୍ୟମ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ଓ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉତ୍କର୍ଷ ଓଡିଶାର ସଫଳ ରୂପାୟନ ଦିଗରେ ଏହା ଏକ ବଳିଷ୍ଠ ପଦକ୍ଷେପ ବୋଲି କହିଥିଲେ ସାଂସଦ।
ଏହି ଇନଭେଷ୍ଟମେଣ୍ଟ ମିଟ୍ରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିଷ୍ଠିତ ଉଦ୍ୟୋଗୀମାନେ ଯୋଗ ଦେଉଛନ୍ତି । ଜିଲ୍ଲାରେ ପର୍ଯ୍ୟଟନ, ହୋଟେଲ ଶିଳ୍ପ, ଉଦ୍ୟାନ କୃଷି, ସ୍ୱାସ୍ଥ୍ୟସେବା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ପୁଞ୍ଜିନିବେଶର ସମ୍ଭାବନା ସମ୍ପର୍କରେ ଏ ଅବସରରେ ବିଶେଷ ଆଲୋଚନା କରାଯିବ । ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟୋଗୀମାନଙ୍କୁ ଭିତ୍ତିଭୂମି ସହାୟତା ନେଇ ମଧ୍ୟ ବିଚାର ବିମର୍ଶ କରାଯିବ । କନ୍ଧମାଳ ଜିଲ୍ଲାର ଔଦ୍ୟୋଗିକ ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ଯୋଗ ଦେଇଥିବା ବ୍ୟବସାୟ ପ୍ରତିଷ୍ଠାନର ପ୍ରତିନିଧି ମାନେ ପ୍ରକାଶ କରିଛନ୍ତି । କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉଦଘାଟନ କାର୍ଯ୍ୟକ୍ରମରେ ଜି. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ, ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବାଲିଗୁଡା ଉପଜିଲ୍ଲାପାଳ ଡ. ରୀନା ପ୍ରଧାନ, ମୂଖ୍ୟ ନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ ପ୍ରମୂଖ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ସ୍ବାଗତ ଭାଷଣ ପ୍ରଦାନ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।