ଭୁବନେଶ୍ୱର,୨୩/୧୦: ଚଳିତବର୍ଷ ରାଜ୍ୟର ବିଭିନ୍ନ ସ୍କୁଲରେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଢାଞ୍ଚାରେ ବିରାଟ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର । କିଛିମାସ ତଳେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷାରେ କେହି ଫେଲ୍ ହେଲେ ସେ ପୁଣିଥରେ ପରୀକ୍ଷା ଦେବାର ସୁଯୋଗ ପାଇବେ ବୋଲି ନିୟମ ହୋଇଥିଲା । ଏବେ ଉଭୟ ଶ୍ରେଣୀ ପାଇଁ ହେଉଥିବା ପରୀକ୍ଷାର ଗାଇଡଲାଇନ୍ ଜାରି କରାଯାଇଛି ।
ଏବେ ଜାରି ହୋଇଥିବା ବିଭାଗର ସଂକଳ୍ପପତ୍ର କହୁଛି, ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ଛାତ୍ରଛାତ୍ରୀ ପ୍ରାଥମିକ ଶିକ୍ଷାରେ ପ୍ରବୀଣ ହେବା ଜରୁରୀ । ଏହାକୁ ଦୃଷ୍ଟିରେ ରଖି ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ହେବା ବି ଆବଶ୍ୟକ । ପରୀକ୍ଷାର ଢାଞ୍ଚା ଓ ଖାତା ଦେଖା ପ୍ରକ୍ରିୟା କେମିତି ହେବ ସେଥିପାଇଁ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଏସସିଇଆରଟି ଦାୟିତ୍ୱ ନେଇଛନ୍ତି । ଏଥିପାଇଁ ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ(ଡିଆଇଇଟି)ର କର୍ମକର୍ତ୍ତମାନେ ତାଲିମ ନେବେ । ଗାଇଡଲାଇନ କେମିତି ଲାଗୁ ହୋଇ ସଫଳ ହେବ ସେଥିପାଇଁ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ଦୃଷ୍ଟି ଦେବ । ସବୁ ଜିଲ୍ଲାକୁ ପ୍ରଶ୍ନ ପଠାଇବା ଦାୟିତ୍ୱ ଓସେପାର । ଜିଲ୍ଲାସ୍ତରରେ ପ୍ରଶ୍ନପତ୍ର ପ୍ରସ୍ତୁତି ବେଳେ ଜିଲ୍ଲା ଶିକ୍ଷାଧିକାରୀ(ଡିଇଓ) ଓ ଡିଆଇଇଟି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲ୍ଲାସ୍ତରୀୟ ତତ୍ତ୍ୱାବଧାନ କମିଟି ଅଧୀନରେ କାମ କରିବେ । ପ୍ରଶ୍ନପତ୍ର ସୁରକ୍ଷିତ ରହିବ କି ନାହିଁ ସେନେଇ ଡିଇଓ ଧ୍ୟାନ ଦେବେ ।
ତେବେ ପଞ୍ଚମ ଶ୍ରେଣୀରେ ଲିଖିତ ପରୀକ୍ଷା ପାଇଁ ୪୦ ଓ ମୌଖିକ ପରୀକ୍ଷା ପାଇଁ ୧୦ ମାର୍କ ଏବଂ ଅଷ୍ଟମ ଶ୍ରେଣୀରେ ଲିଖିତ ପରୀକ୍ଷା ପାଇଁ ୫୦ ମାର୍କ ରଖାଯାଇଛି । ବିଦ୍ୟାଳୟସ୍ତରରେ ହିଁ ଉତ୍ତର ଖାତାର ମୂଲ୍ୟାଙ୍କନ ହେବ । ଫେବ୍ରୁଆରୀ ମାସରେ ପରୀକ୍ଷା ହେବାକୁ ଥିବା ବେଳେ ମାର୍ଚ୍ଚ ଶେଷ ସୁଦ୍ଧା ଖାତାର ମୂଲ୍ୟାଙ୍କନ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।