ନୂଆଦିଲ୍ଲୀ, ୭।୧୧: ଦୀର୍ଘ ଦିନ ଧରି ଆଫଗାନିସ୍ତାନ-ପାକିସ୍ତାନ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ଉଭୟ ଦେଶ ମଧ୍ୟରେ ଗୁରୁବାର ସୀମାବର୍ତ୍ତୀ ଅଞ୍ଚଳରେ ଗୁଳିବର୍ଷଣ ହୋଇଛି । ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆଫଗାନିସ୍ତାନର ଦକ୍ଷିଣ କନ୍ଧାର ପ୍ରାନ୍ତର ସ୍ପିନ ବୋଲଡକ୍ ଜିଲ୍ଲା ଡାକ୍ତରଖାନାର ଏକ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହି ଘଟଣା ପରେ ଉଭୟ ଦେଶ ପରସ୍ପର ଉପରେ ଗୁଳିମାଡ଼ କରିଥିବା ଅଭିଯୋଗ କରିଛନ୍ତି । ଉଭୟ ଦେଶ ମଧ୍ୟରେ ତୁର୍କୀରେ ଯୁଦ୍ଧବିରତି ଆଲୋଚନାର ଅନ୍ତିମ ପର୍ଯ୍ୟାୟ ଚାଲୁଥିବା ବେଳେ ଏଭଳି ହିଂସା ଘଟିଛି । ଉଭୟ ଦେଶ ମଧ୍ୟରେ ହୋଇଥିବା ଏହି ଆଲୋଚନା ନିକଟରେ ଜାରି ରହିଥିବା ସୀମା ବିବାଦକୁ ଶେଷ କରିବାକୁ ନେଇ ଆୟୋଜିତ ହୋଇଥିଲା ।
ପାକିସ୍ତାନ ଦୀର୍ଘ ସମୟ ଧରି ଆଫଗାନିସ୍ତାନ ଉପରେ ଅଭିଯୋଗ ଆଣିଛି ଯେ, ସେଠାକାର ତାଲିବାନ ସରକାର ପାକିସ୍ତାନ ତାଲିବାନ (ଟିଟିପି) ଭଳି ଉଗ୍ରବାଦୀ ସଙ୍ଗଠନକୁ ଆଶ୍ରୟ ଦେଉଛି, ଯାହା ପାକିସ୍ତାନରେ ଆତଙ୍କୀ ଆକ୍ରମଣ କରୁଥିଲେ । ତାଲିବାନ ପ୍ରଶାସନ ଏହି ଅଭିଯୋଗକୁ ଖାରଜ୍ କରିଛି । ସ୍ପିନ୍ ବୋଲଡକ ଡାକ୍ତରଖାନାର ଅଧିକାରୀ କହିଛନ୍ତି, ଶୁକ୍ରବାର ହୋଇଥିବା ଗୁଳିମାଡ଼ରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିମଧ୍ୟରୁ ୪ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି ଏବଂ ୬ଜଣ ଆହତ ହୋଇଛନ୍ତି ।
ପରସ୍ପର ଉପରେ ଦୋଷ ଲଦୁଛନ୍ତି ଉଭୟ ଦେଶ:
ତାଲିବାନ ସରକାରଙ୍କ ପ୍ରବକ୍ତା ଜବିହୁଲ୍ଲାହ ମୁଜାହିଦ୍ କହିଛନ୍ତି, ଯେବେ ତୁର୍କୀରେ ପାକିସ୍ତାନ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା ଚାଲିଥିଲା, ଠିକ୍ ଏହି ସମୟରେ ପାକିସ୍ତାନୀ ସ୍ପିନ୍ ବୋଲଡକରେ ଗୁଳିଚାଳନା ଆରମ୍ଭ କରିଥିଲେ । ଅନ୍ୟପଟେ ପାକିସ୍ତାନ ସୂଚନା ମନ୍ତ୍ରଣାଳୟ ଏହି ଅଭିଯୋଗକୁ ଖାରଜ କରି କହିଛି, ‘ଆମେ ଆଫଗାନ ପକ୍ଷ ଦ୍ୱାରା ଲଗାଯାଇଥିବା ମିଛ ଅଭିଯୋଗକୁ ସମ୍ପୂର୍ଣ୍ଣ ଖାରଜ କରୁଛୁ । ଆଫଗାନ ପକ୍ଷରୁ ପ୍ରଥମେ ଏହି ଗୁଳିଚାଳନା ଆରମ୍ଭ ହୋଇଥିଲା, ଯାହା ପରେ ଆମ ସେନା ପାଲଟା ଆକ୍ରମଣ କରିଥିଲେ ।’ ଆଫଗାନ ଉପ-ପ୍ରବକ୍ତା ହାମିଦୁଲ୍ହା ଫିଟରତ କହିଛନ୍ତି ଯେ, ପାକିସ୍ତାନ ଭାରି ଅସ୍ତ୍ରଶସ୍ତ୍ରରେ ଆଫଗାନ ନାଗରିକ ଥିବା ଅଞ୍ଚଳକୁ ଟାର୍ଗେଟ୍ କରିଥିଲା । ପ୍ରାୟ ୧୦ଟା ୧୫ ମିନିଟ୍ ସମୟରେ ଏହି ଗୁଳିଚାଳନା ହୋଇଥିଲା ।
ତୁର୍କୀରେ ଶାନ୍ତି ଆଲୋଚନା ପ୍ରଭାବିତ:
ଇସ୍ତାନବୁଲରେ ଜାରି ରହିଥିବା ଆଲୋଚନା ଗତ ସପ୍ତାହ ଯୁଦ୍ଧବିରତିର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିପାରିନଥିଲା । ଉଭୟ ପକ୍ଷ ପରସ୍ପର ଉପରେ ଅସହଯୋଗର ଅଭିଯୋଗ ଲଗାଇବା ସହ ଚେତାବାନୀ ଦେଇଛନ୍ତି ଯେ, ଅସଫଳତା ସ୍ଥିତିରେ ପୁଣି ଥରେ ସଂଘର୍ଷ ଆରମ୍ଭ ହୋଇପାରେ । ସଂଯୁକ୍ତ ରାଷ୍ଟ୍ରର ରିପୋର୍ଟ ଅନୁସାରେ, ଅକ୍ଟୋବରରେ ଆଫଗାନ ସୀମା କ୍ଷେତ୍ରରେ ଗୋଟିଏ ସପ୍ତାହର ଗୁଳିଚାଳନାରେ ୫୫ ନାଗରିକଙ୍କ ମୃତ୍ୟୁ ହୋଇଥିଲା ଓ ୪୪୭ ଲୋକ ଆହତ ହୋଇଥିଲେ । ଅନ୍ୟପଟେ କାବୁଲରେ ହୋଇଥିବା ଆକ୍ରମଣରେ ପାଖାପାଖି ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ପାକିସ୍ତାନୀ ସେନାର ୨୩ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯ ଜଣ ସେନା ଆହତ ହୋଇଥିଲେ ।