ଭୁବନେଶ୍ୱର ୧୭/୦୩: ନିକଟରେ ପ୍ରକାଶ ପାଇଛି ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ୨୦୨୩ ଓଡ଼ିଶା ନ୍ୟାୟିକ ସେବା (ଓଜେଏସ୍‌) ପରୀକ୍ଷା ଫଳ । ଏଥିରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୫ ଜଣ ଆଇନ ଛାତ୍ରଛାତ୍ରୀ କୃତିତ୍ୱର ସହ ସଫଳତା ହାସଲ କରିଛନ୍ତି। 

ସୋଆ ପରିଚାଳିତ ସୋଆ ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲ (ଏସ୍‌ଏନ୍‌ଆଇଏଲ୍‌) ର ଛାତ୍ରୀ ପାୟଲ୍‌ ଆଟା ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସ୍ୱାତୀ ସାମଲ ୧୫ ତମ ଅଧିକାର କରିଛନ୍ତି । ସେହିଭଳି ଛାତ୍ର ରାହୁଲ ବିକ୍ରମ ପାଠୀ ୧୬ତମ ସ୍ଥାନରେ ରହିଥିବା ବେଳେ, ଦେବଦତ ଜେନା ୨୧ତମ ଏବଂ ଛାତ୍ରୀ ସ୍ମୃତି ପଟ୍ଟନାୟକ ୨୭ ତମ ସ୍ଥାନ ଅଧିକାର କରିଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ଏହି କୃତିତ୍ବ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛି । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏସ୍‌ଏନ୍‌ଆଇଏଲ୍‌ର ଛାତ୍ରଛାତ୍ରୀଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । 

ସୂଚନା ଯୋଗ୍ୟ ଯେ, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁସ୍‌ନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗସ୍‌ରେ ସୋଆ ପରିଚାଳିତ ଏସ୍‌ଏନ୍‌ଆଇଏଲ୍‌ ୨୦୨୪ରେ ଦେଶରେ ୯ମ ସ୍ଥାନ ଲାଭ କରିଛି। ଏସ୍‌ଏନ୍‌ଆଇଏଲ୍‌ ଗତ ୩ ବର୍ଷ ଧରି ଦେଶର ଆଇନ୍‌ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ଲଗାତାର ଭାବେ ଶ୍ରେଷ୍ଠ ୧୦ଟି ସ୍ଥାନ ମଧ୍ୟରେ ସ୍ଥାନୀତ ହୋଇ ଆସୁଛି।