ନୂଆଦିଲ୍ଲୀ, ୨୯/୦୪ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତିରେ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି ଦେଶର ବିମାନ କମ୍ପାନି । ପରିସ୍ଥିତି ଏଭଳି ପାଲଟିଲାଣି ଯେ, ଉଡ଼ାଣ ଭରିବା କଷ୍ଟକର ହେଉଛି । ବିଶେଷ କରି ଏଟିଏଫ୍ର ବର୍ଦ୍ଧିତ ଦର ଚିନ୍ତାର କାରଣ ପାଲଟିଛି । ଏୟାର୍ ଇଣ୍ଡିଆ, ଇଣ୍ଡିଗୋ ଏବଂ ସ୍ପାଇସ୍ଜେଟ୍ ଭଳି ବଡ଼ ବଡ଼ ଏୟାର୍ଲାଇନ୍ସଗୁଡ଼ିକୁ ନେଇ ଗଠିତ ସଂଗଠନ ଫେଡେରେଶନ୍ ଅଫ୍ ଇଣ୍ଡିଆନ୍ ଏୟାର୍ଲାଇନ୍ସ(ଏଫ୍ଆଇଏ) ଏଥିପାଇଁ ସରକାରଙ୍କ ଦ୍ୱାରସ୍ଥ ହୋଇଛି । ସଂଘ ପକ୍ଷରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ପଠାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, ଏଟିଏଫ୍ ବା ବିମାନ ଇନ୍ଧନ ମହଙ୍ଗା ହେବା ଦ୍ୱାରା ସେମାନଙ୍କ ପରିଚାଳନା ଖର୍ଚ୍ଚ ୨୦% ପର୍ଯ୍ୟନ୍ତ ବଢ଼ିଯାଇଛି । ଏଭଳି ସ୍ଥିତିରେ ଉଡ଼ାଣ ଜାରି ରଖିବା ଘରୋଇ ଏୟାର୍ଲାଇନ୍ସଗୁଡ଼ିକ ପାଇଁ ମୁସ୍କିଲ ପାଲଟିଛି । ପରିସ୍ଥିତି ଏତେ ମାତ୍ରାରେ ଖରାପ ହୋଇଗଲାଣି ଯେ, କମ୍ପାନିଗୁଡ଼ିକ କାରବାର ବନ୍ଦ କରିବା କିମ୍ବା ବିମାନଗୁଡ଼ିକୁ ଛିଡ଼ା କରିଦେବା ସ୍ଥିତିକୁ ଆସିଗଲେଣି । ଏଫ୍ଆଇଏ ସରକାରଙ୍କୁ ଏଟିଏଫ୍ ଉପରେ ଉତ୍ପାଦ ଶୁଳ୍କ ଏବଂ ଭାଟ୍ କମାଇବାକୁ ଦାବି କରିଛି, ଯାହାଦ୍ୱାରା ବିମାନ ଶିଳ୍ପର କ୍ଷତିକୁ କିଛି ମାତ୍ରାରେ ଭରଣା କରାଯାଇପାରିବ ।
ପ୍ରକାଶଯୋଗ୍ୟ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ଅଶୋଧିତ ତୈଳ ଦର ଫେବ୍ରୁଆରୀ ୨୮ରୁ ବର୍ତ୍ତମାନ ମଧ୍ୟରେ ୪୫.୫% ବୃଦ୍ଧି ପାଇଛି । ଗତ ମାସ ସରକାର ଘରୋଇ ଉଡ଼ାଣ ପାଇଁ ଲିଟର ପିଛା ଏଟିଏଫ୍ ଦର ବୃଦ୍ଧିକୁ ୧୫ ଟଙ୍କାରେ ସୀମିତ କରିଥିଲେ କିନ୍ତୁ ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ଲିଟର ପିଛା ଦର ୭୩ ଟଙ୍କା ବୃଦ୍ଧି ପାଇଥିଲା । ବର୍ତ୍ତମାନ ସ୍ଥିତିରେ ଶିଳ୍ପକୁ ଉଦ୍ଧାର କରିବା ପାଇଁ ଏଟିଏଫ୍ ଦର ସଂଶୋଧନ ଏବଂ ଆର୍ଥିକ ସହାୟତା ପାଇଁ ସରକାରଙ୍କ ଆଗରେ ଗୁହାର ଜଣାଇଛନ୍ତି ଏୟାର୍ ଇଣ୍ଡିଆ, ଇଣ୍ଡିଗୋ ଏବଂ ସ୍ପାଇସ୍ ଜେଟ୍ । ଏଫ୍ଆଇଏ ଅନୁସାରେ, ଅନ୍ତର୍ଜାତୀୟ ଏବଂ ଘରୋଇ ରୁଟରେ ଇନ୍ଧନ ଦରରେ ଅନ୍ତର ବିମାନ କମ୍ପାନିଗୁଡ଼ିକର ନେଟ୍ୱର୍କକୁ ବିତ୍ତୀୟ ଭାବେ ଅସ୍ଥିର କରିଦେଇଛି । ପୂର୍ବେ ଏୟାର୍ଲାଇନ୍ସଗୁଡ଼ିକର ମୋଟ ପରିଚାଳନା ଖର୍ଚ୍ଚରେ ଇନ୍ଧନର ଭାଗ ୪୦% ଥିଲା, ଯାହା ଏବେ ବଢ଼ି ୬୦% ପର୍ଯ୍ୟନ୍ତ ପହଞ୍ଚିଯାଇଛି ।
ଫେଡେରେଶନ ସରକାରଙ୍କ ଆଗରେ ୩ଟି ଦାବି ରଖିଛି । ପ୍ରଥମ ହେଉଛି ଏଟିଏଫରେ ଲାଗୁ ୧୧% ଉତ୍ପାଦ ଶୁଳ୍କକୁ ସାମୟିକ ସମୟ ପାଇଁ ହଟାଯାଉ । ଦ୍ୱିତୀୟ ହେଉଛି ପ୍ରମୁଖ ରାଜ୍ୟଗୁଡ଼ିକରେ ଏଟିଏଫ୍ରେ ଲାଗୁଥିବା ଭାଟ୍ କମ୍ କରାଯାଉ । କୋଭିଡ୍-୧୯ ପରେ ୨୦୨୨ରେ ଆରମ୍ଭ କରାଯାଇଥିବା ‘କ୍ରୁଡ୍ ବ୍ରେଣ୍ଟ ପ୍ରାଇସିଂ ମେକାନିଜମ୍’କୁ ପୁନଃ ଲାଗୁ କରାଯାଉ । ସଂଘ ପ୍ରକାଶ କରିଛି ଯେ, ଯଦି ସମସ୍ୟାଗୁଡ଼ିକର ସମାଧାନ ନ ହୁଏ ତେବେ ଏୟାର୍ଲାଇନ୍ସଗୁଡ଼ିକୁ ନିଜର କ୍ଷମତା କମାଇବାକୁ ପଡ଼ିବ । ଫଳରେ ଯାତ୍ରୀ ଏବଂ କନେକ୍ଟିଭିଟି ଉପରେ ସିଧା ପ୍ରଭାବ ପଡ଼ିବ । ପରିସ୍ଥିତିକୁ ଦେଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କେତେକ ପଦକ୍ଷେପ ନେଇଛି । ୨୦୨୬ ଏପ୍ରିଲରୁ ୩ ମାସ ପାଇଁ ଘରୋଇ ଏୟାର୍ଲାଇନ୍ସଗୁଡ଼ିକର ଲେଣ୍ଡିଂ ଏବଂ ପାର୍କିଂ ଶୁଳ୍କରେ ୨୫% ହ୍ରାସ କରାଯାଇଛି ।
ଏହାବ୍ୟତୀତ କେନ୍ଦ୍ର ସରକାର ବିମାନ ଶିଳ୍ପ ପାଇଁ ୫,୦୦୦ କୋଟି ଟଙ୍କାର ‘ଏମର୍ଜେନ୍ସି ଏୟାରଲାଇନ୍ କ୍ରେଡିଟ୍ ସ୍କିମ୍’ ଆଣିବା ଉପରେ ବିଚାର କରୁଛନ୍ତି, ଯାହାଦ୍ୱାରା କମ୍ପାନିଗୁଡ଼ିକୁ ନଗଦ ପ୍ରବାହର ସଂକଟ ହେବ ନାହିଁ । ଯୁଦ୍ଧ ଯୋଗୁ ବିମାନ ଉଡ଼ାଣ କଟକଣା ମଧ୍ୟ ଏୟାରଲାଇନ୍ସଗୁଡ଼ିକର ପରିଚାଳନା ଖର୍ଚ୍ଚକୁ ବହୁଗୁଣା କରିଛି । ବିଶେଷକରି ଲମ୍ବା ରୁଟଗୁଡ଼ିକ ପାଇଁ ଖର୍ଚ୍ଚ ବଢ଼ିଯାଇଛି । ଏଭଳି ସ୍ଥିତିରେ କିପରି ତିଷ୍ଠିବେ ସେଥିପାଇଁ ମୁଣ୍ଡରେ ହାତ ଦେଲେଣି ବିମାନ କମ୍ପାନି । ଏଟିଏଫର ବର୍ଦ୍ଧିତ ଦର ଯୋଗୁ କମ୍ପାନିଗୁଡ଼ିକ ପାଇଁ ଚଳାଚଳ ବନ୍ଦ କରିବା ଭଳି ସ୍ଥିତି ଉପୁଜିପାରେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ବୃହତ୍ ସଂଖ୍ୟାରେ ବିମାନ ବାତିଲ ହେବା ଫଳରେ ଶିଳ୍ପର ଅବସ୍ଥା ଶୋଚନୀୟ ହେବା ସହିତ ଯାତ୍ରୀମାନେ ହନ୍ତସନ୍ତ ହେବେ ବୋଲି ଏୟାର୍ ଇଣ୍ଡିଆ, ଇଣ୍ଡିଗୋ ଏବଂ ସ୍ପାଇସ୍ଜେଟ୍କୁ ନେଇ ଗଠିତ ଏଫ୍ଆଇଏ ପ୍ରକାଶ କରିଛି । ଏପ୍ରିଲ ୨୬ରେ ଏକ ପତ୍ର ମାଧ୍ୟମରେ ସଂଘ ଜଣାଇଛି ଯେ, ଶିଳ୍ପ ଯେପରି ତିଷ୍ଠି ରହିବ, କାରବାର ବଜାୟ ରଖିବ ଏବଂ ଉଡ଼ାଣ ଜାରି ରହିବ, ସେଥିପାଇଁ ସରକାରଙ୍କ ତତ୍କାଳ ହସ୍ତକ୍ଷେପ ଲୋଡ଼ା । ବର୍ତ୍ତମାନର ସ୍ଥିତିକୁ ସମ୍ଭାଳିବା ପାଇଁ ସରକାର ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ଉଚିତ । ଏଟିଏଫ୍ ଉପରେ ୧୧% ଉତ୍ପାଦ ଶୁଳ୍କକୁ ସାମୟିକ ଭାବେ ହଟାଇବା ପାଇଁ ଅନୁରୋଧ କରିଛି ।
ଏହି ଖବରଟିକୁ ପଢନ୍ତୁ- ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଜେଲ୍ରେ କାଟିଲେ ୩୧ ବର୍ଷ, ଏବେ ହାଇକୋର୍ଟରେ ଓକିଲ